ମାତ୍ର ୨ ଘଣ୍ଟା ବର୍ଷାରେ ଗଜପତି ମୁଖ୍ୟ ଡାକ୍ତରଖାନାର ସ୍ଥିତି ବେହାଲ, କ୍ରିଟିକାଲ କେୟାର ୟୁନିଟରେ ଆଣ୍ଠୁଏ ପାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମାତ୍ର ୨ ଘଣ୍ଟା ପ୍ରବଳ ବର୍ଷାରେ ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନା ସ୍ଥିତି ବେହାଲ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି. ଡାକ୍ତରଖାନର କ୍ରିଟିକାଲ କେୟାର ୟୁନିଟରେ ଆଣ୍ଠୁଏରୁ ଉର୍ଦ୍ଧ ବର୍ଷା ଜଳ ପ୍ରବେଶ କରିବା ଯୋଗୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ମିଳିଛି. ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଛି। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଗତକାଲି ଅପରାହ୍ନରେ ଦୁଇଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା। ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର କ୍ରିଟିକାଲ୍ କେୟାର୍ ୟୁନିଟ୍‌ରେ ପାଣି ପଶିଯିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରୋଗୀଙ୍କ ସମ୍ପର୍କୀୟମାନେ ନିଜେ ବାଲ୍‌ଟିରେ ପାଣି ବାହାର କରି ବାହାରେ ଫୋପାଡ଼ୁଥିବା ନଜରକୁ ଆସିଥିଲା। ସେହିପରି ବେତାଗୁଡ଼ା ରାସ୍ତାରେ କିଛି ଗଛ ଭାଙ୍ଗି ପଡ଼ିଯାଇଥିବା ଜଣାପଡ଼ିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । ତେବେ ଗତକାଲି ଠାରୁ ହିଁ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷା ଆରମ୍ଭ ହୋଇଯାଇଛି। ରାୟଗଡ଼ ବ୍ଲକ୍‌ରେ ସର୍ବାଧିକ ୬୨ ମିମି ବର୍ଷା ରେକର୍ଡ଼ କରାଯାଇଥିଲା । ଅକ୍ଟୋବର ଆସିଲେ ଗଜପତି ଜିଲ୍ଲାବାସୀଙ୍କୁ ବାତ୍ୟାର ଭୟ ଘାରୁଛି। ୨୦୧୮ରେ ଗତ ତିତ୍‌ଲି ବାତ୍ୟାର ତାଣ୍ଡବ ଏଯାଏ ଜିଲ୍ଲାବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟାର ଆକଳନ ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି. ହେଲେ ଗଜପତି ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତିକୁ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତି ରହିଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ