ଯାତ୍ରୀବାହୀ ବସ୍ ସହ ଗ୍ୟାସ ବୋଝେଇ ଟ୍ରଲର ଧକ୍କା, ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଭୋରରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ(ଓଡି୧୦କ୍ୱ୍ୟୁ ୯୨୬୩)କୁ ଗ୍ୟାସ ବୋଝେଇ ଟ୍ରଲର(ଓଡି୧୫କେ ୭୮୯୬)ଅତିକ୍ରମ କରୁଥିବା ବେଳେ ସମ୍ମୁଖ ଭାଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌(ଓଡି୦୭ଏନ ୯୧୮୧) ସହ ମୁହାଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ମୃତକ ମାନେ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପଞ୍ଚୁ ଗୌଡ, ଅରକ୍ଷିତ ଗୌଡ, ଶେରଗଡ ଥାନା କୁରୁଳା ଗ୍ରାମର ସନ୍ତୋଷ ବାଡତ୍ୟା(୪୫) ଓ ଅନ୍ୟ ଜଣେ ମୃତକ ସିମେଣ୍ଟ ବୋଝେଇ ଟ୍ରକ ହେଲପରଙ୍କ ପରିଚୟ ଖବର ଲେଖା ହେବା ସୁଦ୍ଧା ମିଳିପାରିନାହିଁ । ଖବର ଲେଖା ହେବା ସୁଦ୍ଧା ୨୫ରୁ ଉର୍ଦ୍ଧ୍ୱ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିପାରିଛି । ସେମାନେ ହେଲେ ବସ୍ ଚାଳକ ଟିଟିଲାଗଡର ହୃଷିକେଶ ସେଠ(୫୫), ହେଲପର ମନୋଜ ପଟ୍ଟନାୟକ(୩୨), କଣ୍ଡକ୍ଟର ଶେରଗଡ ଥାନା ଡେଙ୍ଗପଦର ଗ୍ରାମର ବୃନ୍ଦାବନ ରଣା(୪୫), ହିଞ୍ଜିଳି ଥାନା ସମରଝୋଳର ତନୟ ପ୍ରଧାନ(୬୨). ଚରଣ ଗୌଡ(୬୫), ଏମ. ମାର୍କଣ୍ଡ(୫୨), ଆଙ୍କୋରଡାର ଗିତା ବରଡ(୩୫), ପତଳର ତାରୀଣି ନାୟକ(୨୭), ନବରଙ୍ଗପୁର ଅଞ୍ଚଳର ସୁନ୍ଦରଲାଲ ଜଗଦୁଆ(୪୮), ଭବାନିପାଟଣା ଅଞ୍ଚଳର ସୁଜିତ ଦାସ(୩୦), ସୁମନାଥ ରାଓ(୪୫), ଶୁଭଶ୍ରୀ ଦାସ(୨୩) । ଖବର ପାଇ ତହସିଲଦାର ଭିକାରୀ ସାହୁ, ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ଜନପ୍ରତିନିଧି ଓ ସ୍ୱେଛାସେବୀ ସଂଗଠନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାରମ୍ଭ କରିଥିଲେ । ପରେ ପରିମହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ପରିବହନ ସଚିବ ଅମିତାଭ ଠାକୁର,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଦୂର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରି ଫେରିଛନ୍ତି । ଦୂର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରାଯାଇ ୬ଟି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଆହତ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଗାମୀ ସମୟରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି ପ୍ରକାଶ ଯେ, ଗୁରୁବାର ଭୋର ପ୍ରାୟ ୫ଟାରେ ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଛକରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥରେ ଗାଡିକୁ ରଖି ଚାହା ପିଇବାକୁ ଓହ୍ଲାଇଥିଲେ । ଟ୍ରକ୍ ହେଲପର ଜଣଙ୍କ ଟ୍ରକ୍ ପଛପଟେ ରହି କିଛି କାମ କରୁଥିବା ବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ବୋଝେଇ ଟ୍ରଲର , ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଟ୍ରକ୍ ହେଲପରକୁ ଧକ୍କା ଦେବା ସହ ସମ୍ମୁଖ ଭାଗରୁ ମୁଖିଗୁଡା ଠାରୁ ବ୍ରହ୍ମପୁର ଅଭିମୁଖେ ଅ୍ରାସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ପ୍ରଚଣ୍ଡ ଶବ୍ଦ ହେବା ସହ ଉଭୟ ଗାଡି ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହିଥିବା ଏକ ଦୋକାନ ଘର ଭିତରକୁ ପଶି ଯାଇଥିଲା । ଦୂର୍ଘଟଣାରେ ଟ୍ରକ୍ ହେଲପର ସମେତ ଚହା ପିଉଥିବା ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ହିଞ୍ଜିଳିକାଟୁ ତହସିଲଦାର, ଅତିରିକ୍ତ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆସିକା ଏସଡିପିଓ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ଶେରଗଡ ଆଇଆଇସି ବିରେନ୍ଦ୍ର ସିଅଳ, ଅଗ୍ନିଶମ ଅଧିକାରୀ ବଗରାଇ ମୁର୍ମୁ, ପୁଲିସ , ଅଗ୍ନିଶମ, ଆମ୍ବୁଲାନ୍ସ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଚାହା ଦୋକାନ ସମ୍ମୁଖରେ ଥିବା ୩ଟି ବାଇକ୍‌, ଚାହା ଦୋକାନ ସହ ନିକଟସ୍ଥ ଏକ ଘରର ସମ୍ମୁଖ ଭାଗ ସମ୍ପୁଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନିଶମ କର୍ମଚାରୀ ମାନେ ଗ୍ୟାସ କଟର ଯୋଗେ ବସର କିଛି ଅଂଶକୁ କାଟି ଓ ବସ୍ ପଛପଟ କାଚକୁ ଭାଙ୍ଗି ବସ୍ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୂର୍ଘଟଣା ଘଟି ଜାତୀୟ ରାଜପଥ ଅବରୋଧ ହେବାରୁ ଦୀର୍ଘ ୪ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ବ୍ରହ୍ମପୁର – ଆସିକା ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବହୁ ଯାନବାହାନ ଅଟକି ରହିଥିଲା । ପରେ ପୁଲିସ ଅନ୍ୟରାସ୍ତା ଦେଇ ଯାନବାହାନ ଚଳାଚଳ କରାଇଥିଲା । ଦୀର୍ଘ ୭ ଘଣ୍ଟାର କସରତ ପରେ ୪ଟି କ୍ରେନ ଯୋଗେ ଜାତୀୟ ରାଜପଥ ଉପରୁ ଦୂର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା । ଅନ୍ୟପକ୍ଷରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୂର୍ଘଟଣା ହୋଇଥିବାରୁ ଅନ୍ୟ କୌଣସି ଦୂର୍ଘଟଣାର ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ଘଟଣା ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟରାର ତଦନ୍ତ ଜାରୀ ରଖିଛି । ଅନ୍ୟପକ୍ଷରେ ସିମଣ୍ଟେ ବୋଝେଇ ଓ ଟ୍ରଲର ଚାଳକଙ୍କ ପତ୍ତା ମିଳିନାହିଁ । ଦୂର୍ଘଟଣା ପରେ ଉଭୟ ଟ୍ରକ୍ ଓ ଟ୍ରଲର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି । ମୁଖ୍ୟମନ୍ତ୍ରୀ ସଂପୃକ୍ତ ଘଟଣାରେ ଦୁଃଖ ପ୍ରକାଶ କରିବା ସ‌ହ ମୃତକଙ୍କ ପରିବାରକୁ ୨ଲକ୍ଷ, ଗୁରୁତର ଆହତଙ୍କ ପରିବାର ବର୍ଗଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବା ସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ