ଯୁଗେ ଯୁଗେ ନାରୀ
ବୃନ୍ଦାବନ ପଣ୍ଡା
ସଂସାର ସୃଷ୍ଟି ବେଳରୁ ନାରୀକୁ ବେଦ ଓ ଶାସ୍ତ୍ରରେ ପ୍ରାଧାନ୍ୟ ଦିଆ ଯାଇଥିଲେ ମଧ୍ୟ ବାସ୍ତବ ଦୁନିଆରେ ପୁରୁଷକୁ ପ୍ରାଧାନ୍ୟତା ଦିଆଯାଇ ନାରୀକୁ ଘର ଉପକରଣ ବା ଘର ଚଳେଇବାର ଏକଯନ୍ତ୍ର ଏବଂ ଉପଭୋଗ୍ୟ ବସ୍ତୁ ରୂପେ ବିବେଚନା କରି ବ୍ୟବହାର କରାଯାଇ ଆସୁଛି। ଏହା ପଛରେ କୌଣସି ନୀତିଗତ କିମ୍ବା ବୈଜ୍ଞାନିକ ସମ୍ମତ କାରଣ ନଥିଲେ ବି ଏହା ସର୍ବତ୍ର ଏକ ମାନସିକତା ରୂପେ ବଳବତ୍ତର ହୋଇ ରହିଛି। ନାରୀ ସ୍ଵାଧିନତାର ଅଭାବ ହେଉ କିମ୍ବା ପାରିପାର୍ଶ୍ଵିକ ପରିସ୍ଥିତିରୁ ହେଉ ଏହା ଏକ ଯୁଗଧର୍ମ୍ମୀ ହୋଇ ରହିଆସିଛି। ନାରୀ ସ୍ଵାଧୀନତା, ନାରୀ ସମ୍ମାନ, ନାରୀ ଅଧିକାର ଏ ସବୁ ଜାଣିବାର କୌଣସି ମାଧ୍ୟମର ଉପଲବ୍ଧି କରାଇବା ପରିବର୍ତ୍ତେ ପୁରାତନ ଚଳଣି, ପରମ୍ପରା, ସଂସ୍କୃତି ଆଦି ନାଁରେ ନାରୀଜାତି ପ୍ରତି ଚାଲିଆସୁଥିବା ବିଭେଦର ପରି ସମାପ୍ତି ହୋଇନଥିଲେ ମଧ୍ୟ ସେହି ମାନସିକତାରେ ଅନେକ ପରିବର୍ତ୍ତନ ଦେଖା ଦେଲାଣି।
ଘରର ସମ୍ମାନ ହାନି ଏବଂ ଯୌନ ଉତ୍ପୀଡନ ଆଶଙ୍କାରେ ଜଣେ ବାଳିକା ଗୃହଯୁକ୍ତ/ରଜସ୍ପୋଳା ହେବାପରେ ପରେ ପାଠରେ ଡୋରୀ ବାନ୍ଧି ୧୫ ବର୍ଷ ବୟସରୁ ବିବାହ ଅପେକ୍ଷାରେ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ରହିବାକୁ ବାଧ୍ୟ ହେଉଥିବା ଯୁବତୀ ଜଣକ ଉଚ୍ଚଶିକ୍ଷା, ଚାକିରି, ରୋଜଗାର ଆଦି ଉଦ୍ୟେଶରେ ପ୍ରାୟ ୩୦ ବର୍ଷ ଯାଏଁ ସ୍ଵାଧୀନ ଭାବରେ ପରିବାର ଠାରୁ ବହୁ ଦୂରରେ ରହି ଆସୁଛି। ଉଚ୍ଚଶିକ୍ଷା ସାଙ୍ଗକୁ ନାରୀ ସ୍ଵାଧୀନତା, ଆଇନ ଗତ ପ୍ରାବଧାନ, ସାମାଜିକ ଚେତନା, ନୈତିକତା ଓ ନିଜର ଅଧିକାର ଆଦି ବିଷୟରେ ଢେର ସଚେତନ ହେଲାଣି। ହେଲେ ଆଧୁନିକତାର ବଶ୍ୟବର୍ତ୍ତୀ ହୋଇ ପାଶ୍ଚ୍ୟାତ ସଭ୍ୟତାକୁ ଆପଣେଇ ନେଉଥିବାରୁ ପୂର୍ବ ପ୍ରଚଳିତ ଧାର୍ମିକ ପରମ୍ପରା, ଆଧ୍ୟାତ୍ମିକ ଚିନ୍ତାଧାରା ସବୁ ଲୋପ ପାଇଲାଣି।
ଶାଶୁ ମାନେ ପାଳି ଆସୁଥିବା ନିଷ୍ଟାପରତା ସହିତ ଓଷା, ବ୍ରତ, ପୂଣ୍ୟ, ପର୍ବ ପାଳନ ଗୁଡିକୁ ଆଜିର ବୋହୁମାନେ କୁସଂସ୍କାରର ଆଖ୍ୟା ଦେଇ ସେଥିରୁ ନିବୃତ୍ତ ରହୁଛନ୍ତି। ଅନ୍ୟ ଦିଗରେ ଅବିବାହିତ ଯୁବତୀ ଯୁବକଙ୍କ ସହିତ ଅଣ ଅନୁମୋଦିତ ସହାବସ୍ଥାନ, ପ୍ରାକ ବୈବାହିକ ଯୌନସମ୍ପର୍କ ସ୍ଥାପନ, ନାରୀ ପୁରୁଷ ନିର୍ବିଶେଷରେ ମଦ୍ୟପାନ, ଉତ୍ସୃଙ୍ଖଳ ଜୀବନଚର୍ଯ୍ୟା, ଭୟଶୂନ୍ୟ ବାତା ବରଣ, ପିଲାମାନଙ୍କ ସ୍ଵେଛାଚାରିତାକୁ ପିତାମାତାଙ୍କ ଅନ୍ଧ ଅନୁମୋଦନ, ନୈତିକତା ବିହୀନ ବ୍ୟବସାୟିକ ଶିକ୍ଷା ଆଦି ନାରୀ ବିଶୃଙ୍ଖଳା ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀ ରେ ୨୦୧୯ ମସିହାରେ କରା ଯାଇଥିବା ଏକ ବିଦେଶୀ ସର୍ବେକ୍ଷଣ ଅନୁଯାୟୀ ଆମେରିକା, ଜର୍ମାନ, ଇଂଲଣ୍ଡ, ନରୱେ, ସୁଇଡେନ ଭଳି କେତେକ ପ୍ରଗତିଶୀଳ ରାଷ୍ଟ୍ରରେ ଯୌନ ଶୋଷଣର ଶିକାର ହେଉଥିବା ନାରୀମାନଙ୍କ ତୁଳନାରେ ଆମଦେଶ ଭାରତରେ ସେହି ସଂଖ୍ୟା କମ ଥିଲେ ମଧ୍ୟ ଭାରତ ନାରୀ ମାନଙ୍କ ପାଇଁ ଏକ ଅସୁରକ୍ଷିତ ଦେଶ ବୋଲି କୁହାଯାଇଛି। ଏଥିପାଇଁ ଥୋକେ ପୁରାତନ ସଂସ୍କୃତିର ବିଲୋପ ଓ ନାରୀ ସ୍ଵାଧୀନତା ନାମରେ ପାଶ୍ଚ୍ୟାତ ସଭ୍ୟତାର ଅନୁକରଣକୁ ଦାୟୀ କରୁଥିଲା ବେଳେ ଆଉ କିଛି ଲୋକ ଆମ ଆଇନ ଓ ସମ୍ବିଧାନ ର ଦ୍ଵାହି ଦେଇ ନାରୀକୁ ଉପଭୋଗ୍ୟ ବସ୍ତୁ ସଜାଇବାକୁ ପଛଘୁଞ୍ଚା ଦେଉ ନାହାନ୍ତି। କିଛି ନାରୀ ଏଦିଗରେ ଦୁଇପାଦ ଆଗକୁ ଅତିକ୍ରମ କରି ଯାଇଥିବା ବେଳେ ଆଉ କିଛି ସାମାଜିକ ତାଡନାର ଶିକାର ହୋଇ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି।
କେବଳ ନାରୀ ମାନଙ୍କ ମୁଣ୍ଡରେ ଆମେ ଦୋଷ ଲଦିଦେଇ ନିଜେ ଖସିଯିବା ଉଚିତ ନୁହେଁ। ଦେଶ ସ୍ଵାଧିନତାର ୭୮ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ସମାଜରେ ଦେଖା ଦେଇଥିବା ପୁରୁଷ କେନ୍ଦ୍ରିକ ମନୋଭାବରେ ପରିବର୍ତନ ଆଣି ପାରିନାହୁଁ। ସହରାଞ୍ଚଳ କଥା ଦୂରେଥାଉ ଗ୍ରାମାଞ୍ଚଳରେ ଯେଉଁଠି ୮୪ ଭାଗ ଲୋକ ବାସକରନ୍ତି ସେଇଠି ପୁତ୍ର ସନ୍ତାନ ଅପେକ୍ଷା କନ୍ୟା ସନ୍ତାନଙ୍କୁ କମ ପ୍ରାଧାନ୍ୟ ଦିଆଯାଉଛି। କନ୍ୟା ସନ୍ତାନର ଉଚ୍ଚଶିକ୍ଷା ପ୍ରତି ବାଛବିଚାର କରାଯାଉଛି। କନ୍ୟା ସନ୍ତାନର ସୁରକ୍ଷା ଦିଗରେ ପିତାମାତା ନିଶ୍ଚିନ୍ତ ହୋଇନପାରି କମ ବୟସରେ ବିବାହ ଦେବାକୁ ପଛଊ ନାହାନ୍ତି। ଏସବୁକୁ ବିଚାର କଲେ କେହି କାହା ମୁଣ୍ଡରେ ଦୋଷ ଲଦିବା ପରିବର୍ତ୍ତେ ଉଭୟ ପୁରୁଷ ଓ ନାରୀ ସଚେତନ ହେବା ସାଙ୍ଗକୁ ନିଜନିଜର ଅଧିକାରକୁ କେବଳ ଜାହିର କରିବା ପରିବର୍ତ୍ତେ କର୍ତବ୍ୟ ପ୍ରତି ମଧ୍ୟ ସଚେତନ ହେଲେ ନାରୀଜାତି ପ୍ରତି ଆମର ସମ୍ମାନ ବୃଦ୍ଧି ପାଇବା ସାଙ୍ଗକୁ ଏକ ଶୃଙ୍ଖଳିତ ଓ ସନ୍ତୁଳିତ ସାମାଜିକ ବ୍ୟବସ୍ଥା ପ୍ରତିଷ୍ଟିତ ହୋଇପାରିବ। ଏହି ବିଶ୍ଵାସ ନେଇ ୧୯୦୮ ମସିହା ମାର୍ଚ୍ଚ ମାସ ୮ ତାରିଖ ଦିନ ନିଉୟର୍କ ସହରର ରାଜରାସ୍ତାରେ ହଜାର ହଜାର ମହିଳାଙ୍କ ସମାଗମ ପରେ ଓ ମିଳିତ ଜାତିସଂଘର ନିଷ୍ପତ୍ତି କ୍ରମେ ୧୯୭୫ ମସିହାରୁ ଆଜିର ଦିନଟିକୁ ଆନ୍ତର୍ଜାତିକ ମହିଳା ଦିବସ ରୂପେ ପାଳନ କରାହୋଇ ଆସୁଅଛି।
ପ୍ରକୃତିବନ୍ଧୁ ବୃନ୍ଦାବନ ପଣ୍ଡା,ଭୀଷ୍ମଗିରି ମୋ-୯୪୩୮୨୫୧୧୨୬