ଯୈାତୁକ ଦାବିରେ ସ୍ତ୍ରୀ’ଙ୍କୁ ନିର୍ଯ୍ୟାତନା ସହ ଶାଶୁ, ଶଶୁର ଓ ଶାଳକଙ୍କୁ ଆକ୍ରମଣ ଘଟଣା, ସ୍ବାମୀ ଗିରଫ
ହିଞ୍ଜିିକାଟୁ,(ଶେଷଦେବ ସାହୁ): ବାହାଘରର ମାତ୍ର ୧ ମାସ ପରେ ଅଧିକ ୪ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଦାବି କରି ସ୍ତ୍ରୀ’ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଓ ମହିଳାଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଶାଳକଙ୍କୁ ଆକ୍ରମଣ କରିଥିବା ନେଇ ବୁଧବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୨୨୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଗୁରୁବାର ସକାଳେ ପୁଲିସ ସୋରଡା ଗ୍ରାମରେ ପହଞ୍ଚି ଆକ୍ରମଣକାରୀ ସ୍ବାମୀଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ସୋରଡା ଥାନା ତଥା ସୋରଡା ନେତାଜୀ ସାହିର ଶିବଶଙ୍କର ସାହୁ (୩୩) । ଗିରଫ ଯୁବକଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଥାଉକି, ଗତ ୨୦୨୪ ମାର୍ଚ୍ଚ ୧ ତାରିଖରେ ହିଞ୍ଜିଳି ଥାନା ପିତଳ ଗ୍ରାମର ଲକ୍ଷ୍ମୀ ସାହୁଙ୍କ ସହ ସୋରଡା ଗ୍ରାମର ଶିବଶଙ୍କରଙ୍କ ସହ ବାହାଘର ହୋଇଥିଲା। ବାହାଘର ପରେ ଅଧିକ ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଯୈାତୁକ ଦାବି କରି ଶଶୁର ଘର ଲୋକେ ଲକ୍ଷ୍ମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଯୈାତୁକ ବାବଦକୁ ଟଙ୍କା ନମିଳିବାରୁ ଶିବଶଙ୍କର ପିତଳ ଗ୍ରାମରେ ପହଞ୍ଚି ସ୍ତ୍ରୀ ଲକ୍ଷ୍ମୀଙ୍କ ସମେତ ଶାଶୁ ରଜନୀ, ଶାଳକ ବାବୁ ଓ ଶଶୁର ସୁବାଷ ସାହୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ। ଘଟଣା ନେଇ ନିର୍ଯ୍ୟାତନାର ଶୀକାର ମହିଳା ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।