ରାଜଧାନୀରେ ଘରୋଇ ହସ୍ପିଟାଲରେ ଯାଞ୍ଚ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ନାମକ ଏକ ଘରୋଇ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ଓ ସିଲ ପରେ ରାଜଧାନୀର ଅନ୍ୟ ସବୁ ଘରୋଇ ହସ୍ପିଟାଲରେ ଯାଞ୍ଚ ଆରମ୍ଭ ହୋଇଛି । ବିଡିଏ, ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ମିଳିତ ଚଢଉ କରାଯାଇଥିବା ଜଣାଯାଇଛି । ସମ୍ପୃକ୍ତ ହସ୍ପିଟାଲରେ କୋଭିଡ ଗାଇଡ ଲାଇନ ପାଳନ ହେଉଛି କି ନାହିଁ ତାହାର ତଦାରଖ କରାଯାଉଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ନାମକ ଏକ ଘରୋଇ ହସ୍ପିଟାଲକୁ ବିଏମସି ପକ୍ଷରୁ ସିଲ କରାଯାଇଥିଲା । ସମ୍ପୃକ୍ତ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଥିଲା । ବୁଧବାର ଉକ୍ତ ହସ୍ପିଟାଲରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିଏମସି ପକ୍ଷରୁ ଏନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଏନେଇ ବିଏମସିର ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି କହିଥିଲେ ଯେ, ଗତ ୧୭ ତାରିଖରେ ହସ୍ପିଟାଲକୁ ଯାଇଥିବା ଜଣେ ରୋଗୀ କରୋନା ପଜିଟିଭ ଜଣାପଡ଼ିଥିଲେ । ସମ୍ପୃକ୍ତ ରୋଗୀଙ୍କୁ ସେଠାରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ସେ ୨୭ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ସଂସ୍ପର୍ଶରେ ଆସିଥିବା ସମସ୍ତ ୨୭ ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ବ୍ଲୁ ହୁଇଲର ଚିକିତ୍ସା କରିଥିବା ଡାକ୍ତର କୋଭିଡ ଏସଓପି ପାଳନ କରିନଥିଲେ ବୋଲି ଶ୍ରୀ ପୃଷ୍ଟି କହିଥିଲେ ।