ରାଷ୍ଟ୍ରୀୟ ସ୍ତରରେ ସହରାଞ୍ଚଳ ଭୂମି ସର୍ବେକ୍ଷଣ “ନକ୍ସା” କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଆଜି ମଧ୍ଯପ୍ରଦେଶର ରାଇସେନ ଠାରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ର ଭୂ-ସମ୍ବଳ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକିକରଣ ବ୍ୟବସ୍ଥା ଅନ୍ତର୍ଗତ ପାଇଲଟ ଯୋଜନା “ନକ୍ସା “କୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ,ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ଯପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି।ଭାରତ ସରକାରଙ୍କ ଏହି ଅଭିନଵ ପଦକ୍ଷେପକୁ ଚିହ୍ନିତ ତଥା ଜନଆଦୃତ କରିବା ଉଦେଶ୍ୟରେ ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ତତ୍ୱାବଧାନରେ ଏହି ଯୋଜନା ଶୁଭାରମ୍ଭର ଏକ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରିଥିଲେ। ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ,ଜ଼ିଲ୍ଲା ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ନଗରପାଳ ଶ୍ରୀ କୃଷ୍ଣା ନନ୍ଦ ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ,ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ବାରିପଦାର ଅତିରିକ୍ତ ତହସିଲଦାର ଶ୍ରୀ ଭରତ ଚନ୍ଦ୍ର ପାତ୍ର,ପୌରପାଳିକାର ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ପ୍ରମୁଖ ଯୋଗ ଦେଇଥିଲେ। ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନଗରପାଳ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମ କୁ ସଂଚାଳନ କରିବା ସହିତ ଏହି ଯୋଜନାର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ଏହି କାର୍ଯ୍ୟକ୍ରମର ପ୍ରମୁଖ ସୁବିଧା ଗୁଡିକ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖି ଏହି ଯୋଜନା ଆଗକୁ ଲୋକମାନଙ୍କ ପାଇଁ ନିଶ୍ଚିତଭାବେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।ସୂଚନା ଥାଉକି ଏହି ଯୋଜନା ରେ ପ୍ରମୁଖ ସୁବିଧା ଗୁଡିକ ମଧ୍ୟରେ ଅନଲାଇନ ମାଧ୍ୟମରେ ନିର୍ଭୁଲ ଜମି ରେକର୍ଡ ଉପଲବ୍ଧ, ସହରାଞ୍ଚଳ ଭୂମି ପରିଚାଳନାରେ ଉନ୍ନତି, ଜମି ଜମା ସଂକ୍ରାନ୍ତିୟ ପ୍ରକ୍ରିୟାକରଣରେ ଶୀଘ୍ରତା ଏବଂ ସ୍ୱଚ୍ଛତା, ଆଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ବର୍ଗର ସହରାଞ୍ଚଳ ପାଇଁ ପୃଥକ ପୃଥକ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଇ ଏରିଆଲ ସର୍ବେକ୍ଷଣ ମାଧ୍ୟମରେ ଶୀଘ୍ର ଏବଂ ସଠିକ ଡାଟା ସଂଗ୍ରହ କରି ଭବିଷ୍ୟତର ଯୋଜନା ପ୍ରସ୍ତୁତ, ଜମିଜମା ରେକର୍ଡ କୁ ସଂଗଠିତ କରିବା, ପୁରାତନ ତଥା ଅସମ୍ପୂର୍ଣ୍ଣ ତଥ୍ୟ ଯୋଗୁଁ ସରକାରୀ ଦଲିଲ ଓ ଜମି ମାଲିକ ଦଲିଲ ମଧ୍ଯରେ ଦେଖାଦେଉଥିବା ବୈସମ୍ୟ କୁ ଦୂର କରିବା, ଜମିଜମା ପରିଚାଳନା ପାଇଁ ସମାନ ବ୍ୟବସ୍ଥା ପ୍ରଚଳନ, ଜମି ମାଲିକଙ୍କ ବିଭିନ୍ନ ସମସ୍ୟା ସହ ବେଆଇନ ଜବରଦଖଲ ଜନିତ ଦୀର୍ଘଦିନ ର ଅଦାଲତ ରେ ଚାଲିଥିବା ମାମଲା ଗୁଡିକୁ ସମାଧାନ ପାଇଁ ଏହା ସହାୟକ ହେବ। ଏତଦ ବ୍ୟତୀତ ଭିତ୍ତି ଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସାଜୁଥିବା ସମସ୍ୟାକୁ ଦୂର କରିବା ସହିତ ସର୍ବୋପରି ଜମି ରେକର୍ଡ ସ୍ୱଚ୍ଛ, ସଠିକ ଏବଂ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ସହଜରେ ଉପଲବ୍ଧ ହୋଇପାରିବ।ପ୍ରକାଶ ଥାଉକି ପ୍ରଥମ ପର୍ଯ୍ୟାୟ ରେ ଦେଶର ୧୫୦ ଟି ସହରରେ ଏହି ଯୋଜନା କାଯ୍ୟକାରୀ ହେବ ଏବଂ ଓଡିଶାର ୪ଟି ପୌରପାଳିକା ମଧ୍ୟରୁ ବାରିପଦା ପୌରପାଳିକା ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମଚାରୀ, ସ୍ବେଛାସେବୀ, ପୌରପାଳିକା ର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ