ରୋଜଗାରର ମାଧ୍ଯମ ସାଜିଛି ବେଆଇନ ଚାନ୍ଦା ଆଦାୟ , ସବୁ ଜାଣି ମଧ୍ୟ ପୁଲିସ ନୀରବ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ ଏବେ ରୋଜଗାରର ମାଧ୍ୟମ ପାଲଟିଛି। ଗୋଟିଏ ଗୋଟିଏ ଦିନରେ ହଜାର ହଜାର ଟଙ୍କା ସହଜରେ ମିଳିଯାଉ ଥିବାରୁ ଅନେକ ଯୁବକ ଏହାକୁ ବୃତ୍ତିରେ ପରିଣତ କରିଦେଲେଣି । ସ୍ଵଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର ହେଉଥିବାରୁ ଅନେକ ଯୁବକ ନିଶାଶକ୍ତ ହୋଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ବିଶେଷକରି ବାଲି ପରିବହନ ହେଉଥିବା ରାସ୍ତାରେ ଏହି ବେଆଇନ ଚାନ୍ଦା ଆଦାୟ ସଂଖ୍ୟା ଢ଼େରଗୁଣ ବୃଦ୍ଧି ପାଇଛି। କିଛିବର୍ଷ ପୁର୍ବେ ରାସ୍ତାକଡ଼ ଗାଁ ମାନଙ୍କରେ କୌଣସି ପର୍ବ ପର୍ବାଣିରେ ହେଉଥିବା ଯାନି ଯାତ୍ରା ପାଇଁ ଚାନ୍ଦା ଆଦାୟ ହେଉଥିଲା। କିନ୍ତୁ ଏବେ ବ୍ୟକ୍ତିଗତ ସ୍ତରକୁ ପଳାଇଯାଇଛି। ଗୋଟିଏ ଗୋଟିଏ ଗାଁରେ ୩୦ ରୁ ୩୫ଟି ସ୍ଥାନରେ ବେଆଇନ ଚାନ୍ଦା ଆଦାୟ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ବରାଙ୍ଗ – ସଡ଼ଙ୍ଗ ରାସ୍ତାର ଦୁଡୁଗାଁ ନିକଟରେ ଲୋକମାନେ ଧାଡି ରେ ଠିଆ ହୋଇ ଜଣେ ପରେ ଜଣେ ୩୦ରୁ ୩୫ଜଣ ଆଦାୟ କରୁଛନ୍ତି। ଯାହାକୁ ନେଇ ଗାଡ଼ି ଚାଳକ ଓ ଗାଡି ମାଲିକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାନ୍ଦା ଆଦାୟକୁ ସରକାର ନିଷିଦ୍ଧ କରିଥିବା ବେଳେ ଏଠାରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହା ଏବେ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ଗାତି ମାଲିକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ଗତ କିଛିଦିନ ତଳେ ରମ୍ପାସ ଗ୍ରାମରେ ଶହ ଶହ ଲୋକ ବେ ଆଇନ ଚାନ୍ଦା ଆଦାୟ ବନ୍ଦ ପାଇଁ ରାସ୍ତାରୋକ କରିଥିବା ବେଳେ ଟିପର ମାଲିକ ସଂଘ ଛେନାପଦି ପକ୍ଷରୁ ଏନେଇ ପୁଲିସକୁ ଅବଗତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇ ଥିଲା । କିନ୍ତୁ ପୁଲିସ ଦିନେ ଦୁଇଦିନ ପେଟ୍ରୋଲିଂ କରି କାମ ସାରିଦେଲା। ଗତ ୬ଦିନ ତଳେ ସଡ଼ଙ୍ଗରେ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ ଓ ଟ୍ରକ ଅପହରଣ ଭଳିି ସ୍ଥିତି ଉପୁଜିଥିଲା। ପରେ ଅବଶ୍ୟ ପୁଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଏହି ରାସ୍ତାରେ ୫୨ଟି ଯାଗାରେ ବେଆଇନ ଚାନ୍ଦା ଆଦାୟ ହେଉଛି। ବାଲି ଟ୍ରିପଟେ ନେବାପାଇଁ ୪/୫ ହଜାର ଟଙ୍କା ଚାନ୍ଦା ପଡ଼ୁଥିବାରୁ ବାଲି କଣୁଥିବା ଲୋକଙ୍କ ପାଇଁଏହା ଅସହ୍ୟ ହୋଇ ପଡ଼ୁଛି। ତେଣୁ ପୁଲିସ ପ୍ରଶାସନ ଏହି ବେଆଇନ ଚାନ୍ଦା ଆଦାୟକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନ୍ତଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।