ଲଘୁଚାପ ପ୍ରଭାବରୁ ଧାନଅମଳ ପ୍ରଭାବିତପାଚିଲା କଟାଧାନ ବିଲରେ ପଡିଛି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଧାନଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା । ବିଳମ୍ବିତ ମୌସୁମୀ ତଥା ଅନିୟମିତତା ବର୍ଶା ଯୋଗୁଁ ଭାଦ୍ରବ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଳକରେ ଧାନରୁଆ କାମ ଚାଲିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ବ୍ଳକ ମଧ୍ୟ ଏଥିରୁ ବାଦ ପଡିନଥିଲା । ତେବେ ବିଳମ୍ବରେ ବର୍ଷା ହେବା ସତ୍ତ୍ୱେ ସ୍ଥାନୀୟ ବ୍ଳକ ମଧ୍ୟ ଦେଇ ପ୍ରବାହିତ ଘୋଡାହାଡ ଓ ଋଷିକୂଲ୍ୟା ନଦୀ ପ୍ରବାହିତ ହୋଇଥିବାରୁ ଧାନଚାଷ ଅମଳ ଭଲ ହୋଇଛି । ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଳକର ୯୭୦୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବା ଜଣାପଡିଛି । ହେଲେ ଏବେ ଧାନ ଅମଳ ସମୟରେ ଅଦିନିଆ ଲଘୁଚାପ ବର୍ଷ ଦାଉ ସାଧିଛି । ଗୁରୁବାର ଅପରାହ୍ନ ଠାରୁ ସ୍ଥାନୀୟ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ଶୁକ୍ରବାର ଦିନ ତମାମ ଝିପିଝିପି ବର୍ଷା ଲାଗି ରହିଛି । ଏବେ ପ୍ରାୟ ଅଧିକାାଂଶ ବିଲରେ ଧାନ ପାଚିଯାଇଥିବାରୁ ବର୍ଷାକୁ ଦେଖି ଚାଷୀ ଆତଙ୍କିତ ହୋଇପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ହିଞ୍ଜିଳିକାଟୁ ବ୍ଳକର ୩ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଧାନକଟା ହୋଇ ବିଲରେ ପଡିଛି । ଏହା ବ୍ୟତିତ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିରେ ପାଚିଲା ଧାନକେଣ୍ଡା ରହିଥିବା ଜଣାପଡିଛି । ବର୍ଷା ପାଗ ଯୋଗୁଁ ଧାନକଟାରେ ବିଳମ୍ବ ହେଉଛି । ଚଳିତ ବର୍ଷ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଧାନ ଅମଳ ବେଶ ଭଲ ହୋଇଥିବା ଜଣାପଡିଛି । କାଁ ଭାଁ ରୋଗ ପୋକ ଲାଗିଥିବା ବେଳେ ଅମଳ ପ୍ରଭାବିତ ହୋଇନାହିଁ । ହେଲେ ଆଗାମୀ ଦିନରେ ଯଦି ଲଘୁଚାପ ବର୍ଷ ଲାଗି ରହେ ତେବେ ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ବର୍ଷକର ରୋଜଗାରକୁ କିଭଳି ଅମଳ କରିବ ସେ ନେଇ ଚାଷୀ ଚିନ୍ତାରେ ପଡିଛି ।