ଲଙ୍କପତି ରାବଣ ପୂଜା କରି ଅମର ବର ପାଇଥିବାରୁ ନାଁ ଅମରେଶ୍ୱର
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକାରେ ରହିଛି ପ୍ରସିଦ୍ଧ ଦ୍ଵାଦଶ ଶୈବପୀଠ।ତା ମଧ୍ୟରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଅମରେଶ୍ଵର ଗ୍ରାମ ରେ ରହିଛି ପ୍ରଭୂ ଅମରେଶ୍ୱର ଶମ୍ଭୁ ମନ୍ଦିର। ଅମରେଶ୍ୱର ଶମ୍ଭୁ ପୂଜା ପାଉଥିବାରୁ ଗାଁ ର ନାଁ ଅମରେଶ୍ୱର ହୋଇଛି। ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣିତ ହୋଇଛି ଯେ, ଲଙ୍କା ର ରାଜା ରାବଣ ସୃଷ୍ଟି କର୍ତ୍ତା ବ୍ରହ୍ମା ଙ୍କୁ ତପସ୍ୟା ବଳରେ ସନ୍ତୁଷ୍ଟ କରି ଅମର ହେବାକୁ ବର ମାଗିଥିଲେ। ବ୍ରହ୍ମଦେବ ରାବଣ ଙ୍କୁ କହିଥିଲେ ଅମର ବର ଦବା ତାଙ୍କ ସାମର୍ଥର ବାହାରେ।ମୃତ୍ୟୁ ର ଦେବତା ଶିବ ଶଙ୍କର ହୋଇଥିବାରୁ ସେ ଚାହିଁଲେ ଅମର ବର ପ୍ରଦାନ କରି ପାରିବେ। ତଦନୁସାରେ ଲଙ୍କପତି ରାବଣ ପ୍ରାଚୀ ନଦୀ କୂଳକୁ ଆସି ଏକ ଶିବ ଲିଙ୍ଗ ସ୍ଥାପନା କରି ତପସ୍ୟା କରିବାରେ ଲାଗିଲେ। ଦୀର୍ଘ ଦିନ ବିତିଥିଲେ ମଧ୍ଯ ଶିବ ଶଙ୍କର ପ୍ରସନ୍ନ ନ ହେବାରୁ ଲଙ୍କପତି ରାବଣ ତପସ୍ୟାସ୍ଥଳୀ ଠାରେ ଯଜ୍ଞ ଆରମ୍ଭ କରିଥିଲେ।ଯଜ୍ଞରେ ନିଜ ୧୦ ମୁଣ୍ଡ ରୁ ୯ଟି ମୁଣ୍ଡ କାଟି ଆହୁତି ଦେବା ପରେ ଶିବ ଶଙ୍କର ପ୍ରସନ୍ନ ହୋଇ ଲଙ୍କପତି ରାବଣ ଙ୍କୁ ସାକ୍ଷାତ ଦେଇ ବର ମାଗିବାକୁ କହିଥିଲେ। ଲଙ୍କପତି ରାବଣ ଶିବଶମ୍ଭୁ ଙ୍କୁ ଅମର ବର ମାଗିଥିଲେ। ଶିବଶମ୍ଭୁ ଅମର ବର ପ୍ରଦାନ କରିଥିଲେ କିନ୍ତୁ ଗୋଟିଏ ସର୍ତ୍ତରେ। ସେ ଯେଉଁ ଦିନ ନାରୀ ହରଣ କରିବ ସେହି କାରଣରୁ ତାର ମୃତ୍ୟୁ ଘଟିବ। ତାହା ହିଁ ହୋଇଥିଲା । ମାତା ସୀତା ଙ୍କୁ ହରଣ କରିବା ପରେ ପ୍ରଭୂ ଶ୍ରୀ ରାମ ଙ୍କ ହାତରେ ତାଙ୍କର ମୃତ୍ୟୁ ହୋଇ ଥିଲା।ଶିବ ଶମ୍ଭୁ ଅମର ବର ପ୍ରଦାନ କରିଥିବାରୁ ଠାକୁର ଙ୍କ ନାଁ ଅମରେଶ୍ୱର ହୋଇଛି। ଏବେ ବି କିଛି ପଥର ମୁଣ୍ଡ ମନ୍ଦିର ସମ୍ମୁଖରେ ପଡ଼ି ରହିଛି ଯାହାକୁ ରାବଣ ମୁଣ୍ଡ ବୋଲି ସେବକ ମାନେ କହିଥାନ୍ତି।ଜାଗର ଯାତ୍ରା ପାଇଁ ଅମରେଶ୍ୱର ମନ୍ଦିର ଉତ୍ସବ ମୁଖର ହୋଇପଡ଼ିଛି।