ଲାଲା ଲାଜପତରାୟଙ୍କ ମୃତୁ୍ୟ ଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଗଣବିକ୍ଷୋଭ
କେନ୍ଦୁଝର,(ପୂର୍ଣ୍ଣ ଚନ୍ଦ୍ର ମହାନ୍ତ): ବ୍ରିଟିଶ ବିରୋଧି ଆନେ୍ଦାଳନରେ ଚାଷୀ ଅଭୁ୍ୟତଥାନର ମହାନ ଜନନେତା ଲାଲା ଲାଜପତରାୟଙ୍କ ମୃତୁ୍ୟ ଦିବସ ଉପଲକ୍ଷେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ(ଏଆଇକେକେଏମ୍ଏସ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ପୂର୍ବରୁ କେନ୍ଦୁଝରସ୍ଥ କରଞ୍ଜିଆ ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଚାଷୀ, ମହିଳା, ଯୁବକମାନେ ଦରଦାମ ବୃଦ୍ଧି ବନ୍ଦ କରିବା,ବେକାରଙ୍କୁ କାମ ଯୋଗାଇ ଦେବା,ଏମ୍ଏସ୍ପି କୁ ଆଇନର ଗ୍ୟାରେଣ୍ଟି ଦେବା,ଚାଷ ଜମି ଅଧିଗ୍ରହଣ ବନ୍ଦ କରିବା ଆଦି ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ କମ୍ରେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏଆଇକେକେଏମ୍ଏସ୍ ର ରାଜ୍ୟ ସଂପାଦକ କମ୍ରେଡ ରଘୁନାଥ ଦାସ ଯୋଗଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ ଆକାଶଛୁଆଁ ଦର ବୃଦ୍ଧି,ଚାଷୀମାନଙ୍କର ଧାନ କିଣା ସମସ୍ୟା, ଚାଷ ଜମିକୁ ବଳପୂର୍ବକ ଅଧିଗ୍ରହଣ ଭଳି କେତେକ ବିଷୟ ଉପରେ ଆଲୋକପାତ କରିବା ସହ ଜିଲ୍ଲାରେ ଶକ୍ତିଶାଳୀ ଚାଷୀ ଆନେ୍ଦାଳନ ଗଢି ତୋଳିବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ପ୍ରକାଶ ମଲ୍ଲିକ,ବେଣୁଧର ସର୍ଦ୍ଦାର ପ୍ରମୁଖ ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଜିଲ୍ଲାରେ ପ୍ରତ୍ୟେକ ଅଫିସ ଦପ୍ତରରେ ଦୁର୍ନୀତି କିଭଳି ହେଉଛି, ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ବ୍ୟାପକ ଚାଷୀ ଆନେ୍ଦାଳନ ଗଢି ତୋଳିବାକୁ ସେମାନେ ମଧ୍ୟ ଆହ୍ୱାନ କରିଥିଲେ । ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ବ୍ୟବସାୟ ବାଣିଜ୍ୟ ପ୍ରଚଳନ କରିବା, ଚାଷ ଜମିରେ କାରଖାନା ନିର୍ମାଣ ବନ୍ଦ କରିବା, ପତିତ ଜମିରେ ଖଣିଭିତ୍ତକ କଳକାରଖାନା ସରକାରୀ ଉଦ୍ୟୋଗରେ ନିର୍ମାଣ କରିବା,ଏମ୍ଏସ୍ପି କୁ ଆଇନ ର ଗ୍ୟାରେଣ୍ଟି ଦେବା, ସ୍ୱାମୀନାଥନ କମିଶନ ରିପୋର୍ଟ ଅନୁଯାୟୀ ସି-ଟୁ+୫୦% ଏମ୍ଏସ୍ପି ମୂଲ୍ୟ ନିର୍ଦ୍ଧାରଣ କରିବା, ବିଦୁ୍ୟତ ବିଲ୍ ୨୦୨୩ ପ୍ରତ୍ୟାହାର କରିବା, ସ୍ମାର୍ଟ ମିଟର ବସାଇବା ସଂପୂର୍ଣ୍ଣ ବନ୍ଦ କରିବା, ରାସନ କାର୍ଡଧାରୀଙ୍କୁ ଜଣ ପିଛା ମାସକୁ ୧୫ କିଲୋ ରାସନ ପ୍ରଦାନ କରିବା, ୫୫ ବର୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କୁ ୧୦ ହଜାର ଟଙ୍କା ପେନସନ ଦେବାକୁ ଏହି ବିକ୍ଷୋଭରେ ଦାବି କରାଯାଇଥିଲା । କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ୧୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।