ଶାନ୍ତି ଶୃଙ୍ଖଳାର ସହ ହୋଲି ପର୍ବ ପାଳିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ଏବଂ ଏହାର ଆଖାପାଖ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ଦୋଳ ଯାତ୍ରା ଏବଂ ହୋଲି ପର୍ବ ପାଳିତ ହୋଇଯାଇଛି I ହୋଲି ଅବସରରେ ବିଭିନ୍ନ ଯୁବଗୋଷ୍ଠୀ ଏବଂ ମହିଳା,ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ଦେବାଦେବୀ ମନ୍ଦିର ତରଫରୁ ରଙ୍ଗ ଖେଳ ଅନୁଷ୍ଠିତ ହୋଇଯାଇଛି I ହୋଲି ପର୍ବର ବିଭିନ୍ନ ଅଘଟଣକୁ ଏଡ଼ାଇବା ପାଇଁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ପ୍ରମୁଖ ପାଟ୍ରୋଲିଂ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲେ I ବେଲଗୁଣ୍ଠାର ବିଭିନ୍ନ ସାହିରେ ମହିଳା ମାନେ କୁମ୍ଭ ଧରି ମନ୍ଦିର ପରିକ୍ରମା କରିବା ସହିତ ଜଗନ୍ନାଥପାଟଣା ସାହିରେ ପ୍ରତିବର୍ଷ ଭଳି ମହାସମାରୋହରେ ହୋଲି ପର୍ବ ପାଳିତ ହୋଇଯାଇଛି I ସାହିର ସ୍ଵତନ୍ତ୍ର ପରମ୍ପରା ଅନୁସାରେ ସାହିର ଆବାଳବୃଦ୍ଧବନିତା ସାହିରେ ହୋଲି ଖେଳିବା ସହିତ ସାହିରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା I ବାର୍ଷିକ ବୈଠକରେ ସଭାପତି ଚନ୍ଦନ ବିନ୍ଧାଣିରା,ସମ୍ପାଦକ ଚନ୍ଦନ ବିନ୍ଧାଣିରା,କୋଷାଧ୍ୟକ୍ଷ ଶିବାନନ୍ଦ ପାତ୍ର, ଉପଦେଷ୍ଟା ମନୋଜ କୁମାର ପାତ୍ର, ଜିତେନ୍ଦ୍ର ସୁବୁଦ୍ଧି,ବ୍ରଜେନ୍ଦ୍ର ବିନ୍ଧାଣିରାଙ୍କ ସମେତ ସାହି ବାସୀନ୍ଦା ବସି ଆଲୋଚନା କରିଥିଲେ I ଚଳିତ ଚୈତ୍ର ମାସରେ ସାହିର ବିଭିନ୍ନ ମନ୍ଦିରରେ ପଣାପାଣିର ସୁବ୍ୟବସ୍ଥା, ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ମାଆ ବ୍ରାହ୍ମଣୀ ଦେବୀଙ୍କ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ପରିଚାଳନା,ଦଣ୍ଡନାଚ ସମୟରେ ମାଆ କାଳୀଙ୍କ ଆବାହନ ସମ୍ପର୍କରେ ଆଲୋଚନା କରାଯିବା ସହିତ ରାତ୍ରିରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା I ସେହିପରି ବେଲଗୁଣ୍ଠା ବ୍ଲକ୍ ଏବଂ ଏନଏସିର ବିଭିନ୍ନ ସ୍ଥାନରେ ଦୋଳ ଯାତ୍ରା ଏବଂ ହୋଲୀପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଥିଲା I ଏହି ଅବସରରେ ବ୍ଳକ୍ ର ଖଇରପୁଟି ଗ୍ରାମରେ ଗ୍ରାମର କଳାକାର ମାନଙ୍କ ଦ୍ୱାରା ରାମାୟଣ ନାଟକ, କାଳିଆଗୁଡାରେ ଗୋବିନ୍ଦପୁରର ମହାଭାରତ ନାଟକ, ପ୍ରତାପ ଲକ୍ଷ୍ମଣପୁରରେ ଦିଗପହଣ୍ଡିର ଭାରତଲୀଳା ପ୍ରମୁଖ ମଞ୍ଚସ୍ଥ ହୋଇଯାଇଛି I