ଶାମ୍ବ ଦଶମୀ ରେ ଘରେ ଘରେ ହେଲା ସୂର୍ଯ୍ୟପୂଜା
ନିମାପଡ଼ା,( ସନ୍ତୋଷ ଦାଶ):ଆଜି ଥିଲା ପୌଷ ମାସ ଶୁକ୍ଲପକ୍ଷ ଦଶମୀ ତିଥି । ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା ର ସମସ୍ତ ଗ୍ରାମ ର ଘରେ ଘରେ ସୂର୍ଯ୍ୟ ନାରାୟଣ ଙ୍କ ପୂଜା ଭକ୍ତି ଓ ନିଷ୍ଠାର ସହିତ ପାଳନ ହୋଇଥିଲା। ପୁରାଣ ରେ ବର୍ଣ୍ଣିତ ହୋଇଛି ଯେ, ଭଗବାନ ଶ୍ରୀ କୃଷ୍ଣ ଙ୍କ ଅଭିଶାପ ଫଳରେ ଶାମ୍ବ କୁଷ୍ଠ ରୋଗ ରେ ଆକ୍ରାନ୍ତ ହୋଇ ପଡ଼ିଥିଲେ। ଦେବର୍ଷି ନାରଦ ଙ୍କ ପରାମର୍ଶ କ୍ରମେ ସେ କଳିଙ୍ଗ ରାଜ୍ୟ ର ସମୁଦ୍ର କୂଳ ରେ ଥିବା ମୈତ୍ରେୟ ମୁନି ଙ୍କ ଆଶ୍ରମ କୁ ଯାଇ ସେଠାରେ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କରିବା ପରେ ଆଜି ର ଦିନ ରେ ସୂର୍ଯ୍ୟ ନାରାୟଣ ଙ୍କ ଦୟାରୁ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ସେଥିପାଇଁ ଏହି ଦଶମୀ ତିଥି କୁ ଶାମ୍ବ ଙ୍କ ନାମାନୁସାରେ ଶାମ୍ବ ଦଶମୀ ବୋଲି କୁହାଯାଇ ଆସୁଛି। ଏହି ଦିନ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କଲେ ସର୍ବ ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆଜି ପ୍ରାତଃ ରୁ ଘର ଅଗଣା କୁ ଲିପା ପୋଛା କରି ପଞ୍ଚ ମୁରୁଜ ପକାଇ ପୁର୍ଣ୍ଣକୁମ୍ଭ ସ୍ଥାପନା କରାଯାଇ ଏକ ପିଢ଼ା ଉପରେ ଏକ ଗୁଆ କୁ ସୂର୍ଯ୍ୟ ନାରାୟଣ ଙ୍କ ପ୍ରତୀକ ଭାବେ ସ୍ଥାପନା କରାଯାଇ ଥିଲା। ପ୍ରାତଃ ରେ ଉଦୟ ଭାନୁ ଙ୍କୁ ଫଳ ମୂଳ, ପୋଡ଼ ପିଠା ଓ ମିଷ୍ଟାନ୍ନ, ମଧ୍ୟାହ୍ନ ର ତେଜୋଦୀପ୍ତ ତପନ ଙ୍କୁ ଖେଚୁଡ଼ି,
ଶିମ୍ବ ମିଶ୍ରିତ ବ୍ୟଞ୍ଜନ, ପିଠା, ଖିରି ଓ ଅପରାହ୍ନ ରେ ଅସ୍ତଗାମୀ ଅଂଶୁମାନ ଙ୍କୁ କାକରା, ମାଲପୁଆ ପ୍ରଭୃତି ଭୋଗ ଲାଗି କରାଯାଇଥିଲା।
ଶାମ୍ବ ଦଶମୀ ପାଇଁ ସମସ୍ତ ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।