ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାରେ ପାଇଖାନା ଟାଙ୍କି ପାଣିକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ):ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାରେ ପାଇଖାନା ଟାଙ୍କିର ଆବର୍ଜନା ପାଣି ଛାଡିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସାମାନ୍ୟ ବର୍ଷା ହେଲେ ଡାକ୍ତରଖାନାର ରାସ୍ତା ପାଣିରେ ବୁଡି ରହୁଥିବା ବେଳେ ଏବେ ପାଇଖାନା ଟାଙ୍କିର ଆବର୍ଜନା ପାଣି ରାସ୍ତା ଉପରେ ଠିଆ ହେଉଛି। ରୋଗୀ ଓ ଡାକ୍ତରଖାନାକୁ ଯାଉଥିବାରୋଗୀଙ୍କ ସମ୍ପର୍କୀୟ ମାନେ ଏହି ପାଣିରେ ପସି ଯିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଆଜି ପୁର୍ବତନ ସମିତି ସଭ୍ୟ ବିରେନ୍ଦ୍ର କୁମାର ବିଶ୍ଵାଳ ଜଣେରୋଗୀଙ୍କୁ ଭେଟିବାକୁ ଯିବାବେଳେ ଏପରି ଅବସ୍ଥା ଦେଖି ଉପସ୍ଥିତ ଥିବା ଡାକ୍ତରଙ୍କୁ ପଚାରିଥିଲେ। ଡାକ୍ତର ଜଣକ ତୁମେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାର ବୋଲି କହିଥିଲେ। କିନ୍ତୁ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବାରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଖାନା ପଛପଟେ ପର୍ଯ୍ୟାପ୍ତ ଜମି ଥିଲେ ମଧ୍ୟ ସେଠାକୁ ଆବର୍ଜନା ପାଣି ନିଛାଡି ଡାକ୍ତରଖାନା ପରିସରକୁ ଅପରିସ୍କାର କଣପାଇଁ କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି। ଯଦି ଡାକ୍ତରଖାନା କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନନେବେ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।