ଶିକ୍ଷାବିଭାଗ ପକ୍ଷରୁ ଆସିକାରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରୀମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ସଙ୍ଗୀତ, ଚିତ୍ରାଙ୍କନ, ନୃତ୍ୟ, କୌତୁକିଆ ପୋଷାକ ସମେତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆସିକା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ଛାତ୍ରୀମାନଙ୍କୁ ମାନପତ୍ର ଓ ସିଲ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ଆଗାମୀ ଦିନରେ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ବାଳିକା ଦିବସ ପାଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ମନୋନୀତ କରାଯାଇଥିବା ଜଣାପଡିଛି । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା, ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ପାତ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଅବସରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟବିବାହକୁ ନା, ସାଇବର ସୁରକ୍ଷା, ବାଳିକା ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧୀକ ଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସିମାଂଚଳ ସେଠୀ, ଶିକ୍ଷକ ବରୁଣ କୁମାର ବେହେରା, ରୁନୁ ମଣ୍ଡଳ, ସନ୍ତୋଷ କୁମାର ନାହାକ, ଶିବରାମ ବେହେରା, ରଂଜିତା ପାତ୍ର, ଅର୍ଚ୍ଚନା ବେହେରା, ସୌଦାମିନୀ ହୋତା, ଆର୍.ସିଲା ଦୋରାଙ୍କ ସମେତ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।