ଶୁଭ ଅଶୁଭରେ ପଶୁ ଓ ସରୀସୃପ
ଭାରି ଅସ୍ତବ୍ୟସ୍ତ ଲାଗୁଥିଲା ରୁବିଙ୍କୁ. ତାଙ୍କ ପଡାରେ ଥିବା ଆଠଟି ଘର. ସେଇ ଘରମାନଙ୍କର ବଳକା ଖାଦ୍ୟ ଖାଉଥିବା କୁକୁରମାନେ କାହାରି ନା କାହାରି ଦୁଆରେ ଶୋଇରହିଥାଆନ୍ତି. କିଏ ଚୁ ଚୁ ଡାକିଦେଲେ ଦଉଡି ଯାଆନ୍ତି ପଞ୍ଝାକଜାକ. କିଏ ଡାକୁଥାଏ ଆ କାଳିଆ ଆ ତ କିଏ ଡାକୁଥାଏ କୁଆଡେ ଗଲ କିରେ ସବୁ ବୋଲି କେଡେ ସରାଗରେ.ସେ ସରାଗ କିନ୍ତୁ ଆଉ ନାହିଁ କାହାରି ମନରେ. ବର୍ଷାରେ ଓଦା ହୋଇଯାଉଥିଲେ କେହି ଅଖାଟିଏ ପାରି ଦେଉନି କି କହୁନି ଆ ଆ ଉଠିଆ ପିଣ୍ଢା ଉପରକୁ କାଳିଆ, ଓଦା ହୋଇଯିବୁ. ତାର କାରଣ ସମସ୍ତଙ୍କ ମନ ମରିଯାଇଛି. ସମସ୍ତେ ଆତଙ୍କିତ. କାଳିଆ କସରା ଦୁଇ କୁକୁର ଅସ୍ୱାଭାବିକ ଭାବେ ଭୁକି ଲାଗିଛନ୍ତି ଏମୁଣ୍ଡରୁ ସେମୁଣ୍ଡ ଯାଏଁ. ଭୁକିବା କୁହାଯାଇ ନପାରେ କାନ୍ଦୁଛନ୍ତି କୁକୁର ଦୁଇଟି. ରୁବି ଲକ୍ଷ କରୁଛନ୍ତି ତାଙ୍କ ଦୁଆର ଆଗରେ ବେଶି ସମୟ କାନ୍ଦୁଛିନ୍ତି . ସେକଥା ମଧ୍ୟ ପଡୋଶୀମାନଙ୍କୁ କହିହେଉନି ସେମାନେ ମଧ୍ୟ ସେଇ ଗୋଟିଏ କଥା କହିବେ ଆମ ଦୁଆର ଆଗରେ ବେଶି କାନ୍ଦୁଛି ସେଇ କାଳିଆ ତ କିଏ କହୁଛି କସରା କିନ୍ତୁ ରୁବି ଠିକ ଲକ୍ଷ କରନ୍ତି ଗେଟ ଭିତରୁ ଚାହିଁ ଦେଖନ୍ତି ତାଙ୍କରି ଘର ଆଗରେ ଦୁହେଁ କାଳିଆ କସରା ସାଙ୍ଗ ହୋଇ କେତେବେଳେ କୋଉ ଦିଗକୁ ମୁହଁ କରି ଭୁକିବାରେ ତ ନୁହେଁ କାନ୍ଦିବାରେ ଲାଗିଛନ୍ତି.
ରୁବିଙ୍କ ସ୍ୱାମୀ ଏସବୁକୁ ଅନ୍ଧବିଶ୍ୱାସ କହି ଏଡାଇ ଯାଉଥିବା ବେଳେ ରୁବି ଦେଖନ୍ତି ରାଶିଫଳ. ପିତାଙ୍କ ଉପରେ ବିପତ୍ତି ଅଛି ଦେଖି ରୁବି ଭାବନ୍ତି ପିତା ତ ନାହାଁନ୍ତି ତେବେ ଅଖଣ୍ଡ ଦୀପ ଜାଳି ସ୍ୱାମୀ,ପୁଅ, ବୋହୂ,ଝିଅ, ଜୋଇଁ, ନାତୁଣୀ, ନାତି ଓ ଭାଇ ଭଉଣୀ ତଥା ରକ୍ତସମ୍ପର୍କୀୟ, ଚିହ୍ନଜଣା, ପଡୋଶୀ ତଥା ବନ୍ଧୁବାନ୍ଧବଙ୍କ ଶୁଭ ମନାସୁଥିବା ବେଳେ ଦେଖନ୍ତି ଦୀପ ଆଗପରି ଜଳୁନି. ଦୀପଦାନୀ ମାଜିମୁଜି ଯେତେ ପରିସ୍କାର କଲେ ବି ସଳିତା ପୋଡି ପୋଡି ଟାଣ ହୋଇ ଦୀପ ଅଗ୍ରରେ ବସି ଯିବା ଦ୍ୱାରା ଦୀପ ଲିଭୁଛି ଥରକୁ ଥର . ସେଇ ଦୀପ, ସେଇ ତେଲ, ସେଇ ଘିଅ, ସେଇ ବଳିତା ଆଗରୁ ଜଳୁଥିଲା, ଏବେ ଜଳୁନି, ଆତଙ୍କିତ ମନ ପ୍ରାଣ ରୁବିଙ୍କର . ତଥାପି ରାଶିଫଳରେ ଝିଟିପିଟି ଦେଖିଲେ କାନ୍ଥରେ ଭାରି ଶୁଭ, ଚାଲୁଥିଲେ ଆହୁରି ଶୁଭ କହୁଥିଲା ତ ରୁବି କାନ୍ଥରେ ଅନୁସନ୍ଧାନ କରୁ କରୁ ଗୋଟେ ବି ଝିଟିପିଟି ଦେଖୁନଥିଲେ.
କୁକୁର ସବୁଙ୍କୁ ଖାଦ୍ୟ ଦେଉଥିବା, ସ୍ନେହ ଶ୍ରଦ୍ଧା କରୁଥିବା ପଡୋଶୀଙ୍କ ଉଚ୍ଚାରଣ ଓ ଆଚରଣରେ ବ୍ୟତିକ୍ରମ. କିଏ ଟେକା ମାରୁଛି ତ କିଏ କହୁଛି ଯା ଯା.. ହେ ହେ.. ଛିକ ଛିକ. ରୁବିଙ୍କୁ କଷ୍ଟ ହୁଏ. କୁକୁରଙ୍କର କି ଦୋଷ!ଏମିତିରେ ବୁଲାକୁକୁରଙ୍କର ଖାଦ୍ୟ କଷ୍ଟ, ଆଶ୍ରୟ କଷ୍ଟ ଭିତରେ ତାଙ୍କ ଭୁକିବା ଶୈଳୀ ଆଧାରରେ କେଵେ ଖାଦ୍ୟ ଆଶ୍ରୟ ମିଳୁଛି ତ କେଵେ ଦୂର ଦୂର ଭାଗ ଭାଗ. କଷ୍ଟ ଲାଗିଲା ରୁବିଙ୍କୁ. ବିସ୍କୁଟ ଡବା ଝାଡିଦେଲେ ଉପରୁ ଥାଇ ତଳକୁ ତ ଝୁପୁ ଝୁପୁ ବର୍ଷାରେ ଓଦା ହୋଇ ଯାଉଥିଲା ବିସ୍କୁଟ ଗୁଡିକ. କୁକୁରମାନଙ୍କର ବି ଆଗ୍ରହ ନାହିଁ ଖାଦ୍ୟପାଇଁ.ସେଥିପାଇଁ ରୁବିଙ୍କ ମନ ଖୁବ ସନ୍ତାପିତ ହେଉଥିଲା ବେଳେ ହଠାତ କାନ୍ଥରେ ଝିଟିପିଟିଟିଏ ଦେଖି ଉଜ୍ଜ୍ୱଳ ଦିଶିଲା ମୁହଁ. ନା ତାଙ୍କର ଆଉ ଭୟ କରିବାର ନାହିଁ ହେଲେ ଏ କଣ ଝିଟିପିଟିଟା ଆଗ ଦୁଇଗୋଡ଼ରେ ଲେପେଟେଇ ଲେପେଟେଇ କଷ୍ଟରେ ଚାଲୁଛି. ପଛ ଦୁଇ ଗୋଡ଼ ଯେମିତି ଯୋଡି ହୋଇଯାଇଛି.ରୁବି ଭାବୁଥିଲେ କିନ୍ତୁ କେମିତି? ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବାକୁ ଲାଞ୍ଜ ଛିଣ୍ଡେଇ ଖସି ଯାଉଥିବା ଝିଟିପିଟିର ଲାଞ୍ଜ ଠିକ ଅଛି.ତ ତେବେ କବାଟରେ ଚାପି ହୋଇଗଲାକି? ନା ଝିଟିପିଟିଙ୍କୁ ବି ପାରାଲିସିସ ହୁଏ!ଏମିତି ଭାବୁ ଭାବୁ କୁକୁରଙ୍କ କଥା ମନେପଡ଼ିଲା. ବିଚରା ଗୁଡାକ ବିନା ଦୋଷରେ ଟେକା ମାଡ଼ ଖାଇ ଖାଇ ଛୋଟା ହୋଇ ଏମିତି ଘୁଷୁରୁଛନ୍ତି. ଛି ଛି କି ଅମାନବିକତା. ଦଉଡିଲେ ରୋଷେଇ ଘରକୁ. ଚିକେନ କଣ୍ଟା, ମାଛ କଣ୍ଟା ଗୋଳେଇ ଭାତ ଆଣି ତଳକୁ ଯାଇ ତାଙ୍କୁ ଦେବେ ବୋଲି . ଫୋନ ଏତିକି ବେଳକୁ ଆସିବାର ଥିଲା?ଝିଅର ଫୋନ ଥିଲା. ଝିଅ କହୁଥିଲା ଅଜାଶଶୁର ଚାଲିଗଲେ ମାଆ. ତାଙ୍କୁ ପାରାଲିସିସ ହୋଇଥିଲା. ଚଳପ୍ରଚଳ କରିବାରେ ଅସୁବିଧା ଭିତରେ ବୟସାଧିକ ଓ ରୋଗ ଯୋଗୁଁ ଚାଲିଗଲେ. ମାଛ, ଚିକେନ ଗୋଳା ଭାତ ଥୋଇଦେଇ ସେଇଠି ବସିଗଲେ ରୁବି. ଜୋଇଁ ମଧ୍ୟ ଫୋନ କରି କହୁଥିଲେ ଶଶୁରଙ୍କୁ ମାନେ ରୁବିଙ୍କ ସ୍ୱାମୀଙ୍କୁ ଖବରଟି ତ ସ୍ୱାମୀ କହୁଥିଲେ ଧର୍ଯ୍ୟ ଧର. କେତେବେଳେ ମୃତ୍ୟୁ ଆସିବ ତ କହିହେବନି. ହଁ ବାପା କିନ୍ତୁ ପାରାଲିସିସରେ ଥାଇ ମଧ୍ୟ ଅଜା ତାଙ୍କ ଟାଇପରାଇଟର ଚଳାଇ କିଛି ବି ଲେଖୁଥିଲେ ସବୁଦିନ . ରୁବି ଖୋଜୁଥିଲେ ଝିଟିପିଟିଟାକୁ ତ ସ୍ୱାମୀ କୁକୁରଙ୍କ ଖାଦ୍ୟ ନେଇ ଦାଣ୍ଡରେ ଡାକୁଥିଲେ କାଳିଆ ଆ ଆ ଚୁ ଚୁ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ