ଶୃଙ୍ଖଳା ହେଉଛି ଉତ୍ତମ ବିଦ୍ୟାର ଚାବିକାଠି
ମୟୁରଭଞ୍ଜ (ମୁରାରୀ ମୋହନ ମହାପାତ୍ର )ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠି ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ରଙ୍କର ସଭାପତିତ୍ବରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବେ ବାରିପଦା ଗୋଷ୍ଠୀ ଶିକ୍ଷାଧିକାରୀ ନଳିନୀକାନ୍ତ ପ୍ରଧାନ, ପୁରାତନ ଛାତ୍ରୀ ସଂସଦର ସମ୍ପାଦିକା ବନଜା ମହାନ୍ତି ପ୍ରମୁଖ ଯୋଗଦେଇ ପିଲା ମାନଙ୍କର ଅନ୍ତର୍ଣିହିତ ଗୁଣାବଳିର ବିକାଶ ଦିଗରେ ଆଲୋକପାତ କରି ଶୃଙ୍ଖଳା ହେଉଛି ଉତ୍ତମ ବିଦ୍ୟାର ଚାବିକାଠି ବୋଲି କହିଥିଲେ. ବିଦ୍ୟାଳୟର ଛାତ୍ରୀ ମାନେ ବେଦପାଠ କରିବା ସହିତ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର କଲିଆ ବାର୍ଷିକ ବିବରଣୀ ପାଠ କରିଥିଲେ. ଜାତୀୟ ପୁରସ୍କରପ୍ରାପ୍ତ କୃତି ଶିକ୍ଷକ ଡ଼. ଶଶିଧର ବିଶ୍ଵାଳ ସ୍ଵାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ. ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସତ୍ୟବ୍ରତ ବାରିକ ତଥା ତନୁଶ୍ରି ପାଣି ଙ୍କର ମାର୍ଗଦର୍ଶନରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷୟିତ୍ରୀ ମାଧୁରୀ ଦ୍ବିବେଦୀ, ବିଦୁସ୍ମିତା ସାହୁ ଓ ବିଜୟ ଲକ୍ଷ୍ମୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନଙ୍କଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୁଷ୍ପଲତା ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ପୁରସ୍କୃତ କରିଥିଲେ.