ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ପ୍ରାଚୀ ଉପତ୍ୟକାର ଦୂର୍ଗାମାଧବ ମନ୍ଦିର

ମଙ୍ଗଳମଂ ଭଗବାନ ବିଷ୍ଣୁଃ,
ମଙ୍ଗଳମଂ ମଧୁସୂଦନଃ।
ମଙ୍ଗଳମଂ ପୁଣ୍ଡରିକାକ୍ଷେ,
ମଙ୍ଗଳମଂ ଗରୁଡ଼ଧ୍ୱଜଃ।
ମାଧବୋ ମାଧବେ ବିଷ୍ଣୁ଼ଃ,
ମାଧବୋ ମାଧବେ ହରିଃ।
ପୁରନ୍ତି ମାଧବୋ ନିତ୍ୟଂ,
ସର୍ବକାର୍ଯ୍ୟେଷୁ ମାଧବ଼ଃ।
ପୁଣ୍ୟତୋୟା ପ୍ରାଚୀ ନଦୀ ଅତୀତ ରେ ମହାନଦୀ ର ମୁଖ୍ୟ ଶାଖା ନଦୀ ଥିଲା ବୋଲି ଗବେଷକ ଓ ଐତିହାସିକ ମାନେ ପ୍ରକାଶ କରିଆସି ଛନ୍ତି। ପ୍ରାଚୀ ନଦୀ ଉପତ୍ୟକା ରେ ପ୍ରସ୍ତର ଯୁଗ ସମୟ ରୁ ବିଭିନ୍ନ ସଭ୍ୟତା ରହି ଆସିଥିବା ପ୍ରମାଣ ମିଳି ସାରିଛି। ଜଳ ପଥ ସେ ସମୟରେ ଗମନାଗମନ କରିବାର ସୁପଥ ଥିଲା। ପ୍ରାଚୀ ନଦୀ ଦୀର୍ଘ ଦଶନ୍ଧି ଧରି ସୁନାବ୍ୟା ଥିବାରୁ ଏହା ସେ ସମୟ ରେ ମୁଖ୍ୟ ଗମନାଗମନ ର ପଥ ଥିଲା। ଏହି କାରଣରୁ ପ୍ରାଚୀ ନଦୀ ର ଉଭୟ ପାଶ୍ଵ କୂଳରେ ଧୀରେ ଧୀରେ ଜନବସତି ମାନ ଗଢି ଉଠିଥିଲା। ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ ପ୍ରାଚୀ ନଦୀ ଥିଲା ଓ ଏହାର ଦୁଇ ପାଶ୍ଵ ରେ ଜନବସତି ବା ସଭ୍ୟତା ଗଢି ଉଠିଥିଲା ବୋଲି ଅନେକ ଐତିହାସିକ ମତ ଦେଇଛନ୍ତି। ପ୍ରାଚୀନ କଳିଙ୍ଗ ଐରବଂଶୀ, ଚେଦୀ ବଂଶୀ, ଭୌମକର ବଂଶୀ, ସୋମ ବଂଶୀ,ସୂର୍ଯ୍ୟ ବଂଶୀ, ଗଙ୍ଗ ବଂଶୀ ଶାସକ ମାନଙ୍କ ଦ୍ଵାରା ଶାସିତ ହୋଇଥିଲା।ସଂସ୍କୃତି, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ,ଧର୍ମ, ତପ,ତୀର୍ଥ,ନୌବାଣିଜ୍ୟ, କୃଷି,
ପଶୁପାଳନ ତଥା ସର୍ବୋପରି ଜୀବନ
ଜୀବିକା ର ଏକ ଗାରିମାମୟ ସଙ୍ଗମ ଥିଲା ପ୍ରାଚୀ ଉପତ୍ୟକା। ଶ୍ରୀ ଜଗନ୍ନାଥ ସଂସ୍କୃତି ର ପୂର୍ବ ସଂସ୍କୃତି ମାଧବ ସଂସ୍କୃତି ଥିଲା ବୋଲି ଗବେଷକ ଓ ଐତିହାସିକ ମାନେ ମତ ଦେଇଛନ୍ତି। ପ୍ରାଚୀ ଉପତ୍ୟକା ଅତୀତ ରେ ମାଧବ ଉପାସନା ର ପ୍ରମୁଖ ଅଞ୍ଚଳ ଥିଲା ବୋଲି ବିଭିନ୍ନ ପୁସ୍ତକ ରେ ବର୍ଣ୍ଣିତ ହୋଇଛି। ୭ ମ ରୁ ୧୩ ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା କମନୀୟ ମାଧବ ମୂର୍ତ୍ତି ସବୁ ଏବେ ବି ବିଭିନ୍ନ ସ୍ଥାନ ରେ ପୂଜା ପାଉଥିବା ଦେଖିବାକୁ ମିଳେ। ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଏବେ ବି ୩୦ ରୁ ଉର୍ଦ୍ଧ୍ବ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ କମନୀୟ ମାଧବ ମୂର୍ତ୍ତି ପୂଜା ପାଉଥିବା ବେଳେ ଅନେକ ମାଧବ ମନ୍ଦିର କାଳ ର କରାଳ ଗତି ରେ ଧ୍ଵଂସ ପାଇଯାଇଛି। ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ପୂଜା ପାଉଥିବା ମାଧବ ମୂର୍ତ୍ତି ଗୁଡ଼ିକ ରୁ ଅଧିକାଂଶ ବାସୁଦେବ ନାରାୟଣ ଙ୍କ ରୂପ ବୋଲି ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ ‘ବୁଦ୍ଧିଜିମ ଆଣ୍ଡ ଅଦର ରିଲିଜିୟସ କଲଟ ଅଫ ସାଉଥ ଇଷ୍ଟ ଇଣ୍ଡିଆ ‘ରେ ପ୍ରକାଶ କରିଛନ୍ତି।ବାସୁଦେବ ନାରାୟଣ ଙ୍କ ରୂପ ସହିତ ବିଷ୍ଣୁ ଙ୍କ ଅନନ୍ତ ଶୟନ ରୂପ, ବାମନ, ବରାହ, ନୃସିଂହ ଅବତାର ର ରୂପ ମୂର୍ତ୍ତି ମଧ୍ୟ ପ୍ରାଚୀ ଉପତ୍ୟକା ରେ ପୂଜା ପାଉଥିବା ଦେଖିବାକୁ ମିଳେ। ଏଣୁ ପ୍ରାଚୀ ଉପତ୍ୟକା ରେ ମାଧବ ଉପାସନା ବେଶ ଲୋକପ୍ରିୟତା ହାସଲ କରିଥିଲା।ପ୍ରତ୍ନତତ୍ତ୍ଵ ବିଭାଗ ର ପୁର୍ବତନ ଅଧ୍ୟକ୍ଷ ଡ଼ଃ. ପ୍ରଶାନ୍ତ କୁମାର ରାୟ ଙ୍କ ସର୍ଭେ ରିପୋର୍ଟ ‘ ପ୍ରାଚୀ ଭ୍ୟାଲି ‘ ର ତଥ୍ୟ ଅନୁସାରେ ପ୍ରାଚୀ ଉପତ୍ୟକା ର ଅଡଶପୁର,କଣ୍ଟାପଡ଼ା, ନିଆଳି, ତ୍ରିବେଣୀଘାଟ, ନରିଶୋ, କେନ୍ଦୁଲି, ସୁନ୍ଦରଗ୍ରାମ, ମାଧବ, କୋରକରା,ନୂଆପାଟଣା,ପିତାପଡା,ନିଭରଣ,ପାଣିଛତ୍ର,ନରସିଂହପୁର,ଅମରେଶ୍ୱର , ବଲରା , ଚଉରାଶି, ବିଷ୍ଣୁପୁର,ବନ୍ଦେଶ୍ୱର,କାକଟପୁର, ନୀଳକଣ୍ଠପୁର,ସମେଶ୍ୱର, ମୁଦୁଗଲ ନାଶିକେଶର , କୋରକୋରା, ରଘୁନାଥପୁର, ଡାଳୁଅକଣି, ଗମ୍ଭାରୀପଦା,କୁଅଁରପୁର, ଲତାହରଣ, କୃଷ୍ଣପ୍ରସାଦ ଗଡ ପ୍ରଭୃତି ସ୍ଥାନ ରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଚାରିହାତ ବିଶିଷ୍ଟ ମାଧବ ମୂର୍ତ୍ତି ସବୁ ପୂଜା ପାଉଛନ୍ତି।ରାଜନୈତିକତା ପୃଷ୍ଠପୋଷକତା ପାଇ ୭ମ ଶତାବ୍ଦୀ ରେ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ମାଧବ ପୂଜା ବେଶ ପ୍ରସାର ଲାଭ କରିଥିଲା ବୋଲି ଐତିହାସିକ ଡ଼ଃ. ସତ୍ୟ ନାରାୟଣ ରାଜଗୁରୁ ମତ ଦେଇଥିବାବେଳେ ଏହା ୧୧ଶ /୧୨ଶ ଶତାବ୍ଦୀ ବେଳକୁ ଶୀର୍ଷ ସ୍ଥାନ କୁ ଯାଇଥିଲା ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼ଃ. ଅଜିତ କୁମାର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି। ସେ ସମୟ ରେ ଏପରି ହୋଇଥିଲା କି, ଉତ୍କଳୀୟ ମାନେ ପ୍ରତ୍ୟେକ ଶୁଭ କାର୍ଯ୍ୟ ଆରମ୍ଭ କରିବା ସମୟ ରେ ମାଧବ ଙ୍କ ନାମ ନେଉଥିଲେ। ପ୍ରାଚୀ ଉପତ୍ୟକା ରେ ପୂଜା ପାଉଥିବା ମାଧବ ମୂର୍ତ୍ତି ଗୁଡ଼ିକ ମଧ୍ୟରୁ ଦ୍ୱାଦଶ ମାଧବ ପ୍ରସିଦ୍ଧ ଅଟେ। ଦ୍ୱାଦଶ ଶମ୍ଭୁ ଅବା ଅଷ୍ଟ ଶମ୍ଭୁ ଦର୍ଶନ ସମୟ ରେ ଏହି ଦ୍ୱାଦଶ ମାଧବ ଙ୍କୁ ଦର୍ଶନ କଲେ
ସର୍ବ ପାପ ରୁ ମୁକ୍ତି ମିଳି ମୋକ୍ଷ ପ୍ରାପ୍ତି
ହୋଇଥାଏ ବୋଲି ‘ପ୍ରାଚୀ ମାହାତ୍ମ୍ୟ ‘
ରେ ବର୍ଣ୍ଣିତ ହୋଇଛି। ଏହି ମାଧବ ମୂର୍ତ୍ତି ଗୁଡ଼ିକ ଐତିହ୍ୟ ଦୃଷ୍ଟି କୋଣ ରୁ ଅନନ୍ୟ ଅଟେ। ଏହି ମୂର୍ତ୍ତି ଗୁଡ଼ିକୁ ଦେଖିଲେ ଆଖି ଖୋସି ହୋଇଯିବ। ମନରେ ଭକ୍ତି ଭାବନା ସ୍ୱତପୁତ୍ତଃ ଭାବେ ଜାଗ୍ରତ ହୋଇ ଉଠିଥାଏ। ଏହି କମନୀୟ ଜୀବନ୍ତ ମାଧବ ମୂର୍ତ୍ତି ଗୁଡ଼ିକ ଦେଖି କବି ଶ୍ରୀ ଜୟଦେବ ତାଙ୍କ ରଚିତ ମହାକାବ୍ୟ
ଶ୍ରୀ ଗୀତଗୋବିନ୍ଦ କୁ ରଚନା କରିଥିଲେ ବୋଲି ବିଶ୍ୱାସ କରାଯାଏ। ଓଡ଼ିଶା ର ବିଷ୍ଣୁ ଭକ୍ତ ମାନେ ଶ୍ରୀ ଜଗନ୍ନାଥ ଓ ମାଧବ ଠାକୁର ଙ୍କୁ ସମାନ ଦୃଷ୍ଟି ରେ ଦେଖିଥାନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ରେ ରତ୍ନ ସିଂହାସନ ଉପରେ ମାଧବ ମୂର୍ତ୍ତି ପୂଜା ପାଉଥିବା ଦେଖିବାକୁ ମିଳେ।ଏଣୁ ଶ୍ରୀ ଜଗନ୍ନାଥ ମୂର୍ତ୍ତି ଯେ ମାଧବ ମୂର୍ତ୍ତି ର ପରବର୍ତ୍ତୀ ରୂପ ଏଥିରେ ସନ୍ଦେହ ନାହିଁ। ଏଥିପାଇଁ ବୋଧହୁଏ ପ୍ରାଚୀ ଉପତ୍ୟକା ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତି ର ନିବିଡ଼ ସମ୍ପର୍କ ଦେଖିବାକୁ ମିଳେ। ମାଧବ ଗ୍ରାମ ର ଦୂର୍ଗା ମାଧବ ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ବୋଲି ଲୋକ କଥା ରହିଛି। ଏଥି ସହିତ କବି ଶ୍ରୀଜୟଦେବ, କାକଟପୁର ର ମା ମଙ୍ଗଳା, ପ୍ରାଚୀ ତଟ ର ଦେଉଳି ମଠ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ି ହୋଇ ରହି ଆସିଛି କାହିଁ କେତେ କାଳରୁ। ଏକାଦଶ ଶତାବ୍ଦୀ ବେଳକୁ ପ୍ରାଚୀ ଉପତ୍ୟକା ରେ ମାଧବ ଉପାସନା ବେଶ ଲୋକପ୍ରିୟ ହୋଇ ପଡ଼ିଥିଲା। କବି ଜୟଦେବ ଓ ତାଙ୍କ ପତ୍ନୀ ପଦ୍ମାବତୀ ଉଭୟ ପ୍ରାଚୀ ଉପତ୍ୟକା ଭ୍ରମଣ କରି ଦ୍ବାଦଶ ମାଧବ ଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। ମାଧବ ଗ୍ରାମ ର ଦୂର୍ଗା ମାଧବ ଙ୍କ ମନ୍ଦିର ରେ କବି ଜୟଦେବ ଶ୍ରୀ ଗୀତ ଗୋବିନ୍ଦ ର କିଛି ସର୍ଗ ରଚନା କରିଥିଲେ ଓ
ମାଧବ ଓ ଦୂର୍ଗା ଙ୍କୁ ଶୁଣାଇଥିଲେ।
ପୁରୀ ଶ୍ରୀ ମନ୍ଦିର ଓ ମାଧବ ମନ୍ଦିର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି।
ଉଭୟ ମନ୍ଦିର ରେ ଛତିଶା ନିଯୋଗ
ର ପ୍ରଚଳନ ରହିଛି। ଶ୍ରୀ ମନ୍ଦିର ରେ
ନୀଳଚକ୍ର କୁ ଠାକୁର ଭାବେ ପୂଜା କରାଯାଉଥିବା ବେଳେ ମାଧବ ମନ୍ଦିର ମୁଖଶାଳା ରେ ବି ଏକ କଳା ମୁଗୁନି ପଥର ର କମନୀୟ ଚକ୍ର କୁ
ଚକ୍ର ନାରାୟଣ ଭାବେ ପୂଜା କରାଯାଏ। ଉଭୟ ମନ୍ଦିର ରେ ଶକ୍ତି ପୂଜା ଓ ଶୈବ ପୂଜା ର ପ୍ରାଧାନ୍ୟ ମଧ୍ୟ ରହିଛି। ଉଭୟ ମନ୍ଦିର ରେ ପୁଷ୍ପାଳକ ସେବକମାନେ ଠାକୁର ଙ୍କ ସେବା ପୂଜା ରେ ନିୟୋଜିତ ଅଛନ୍ତି।
ଶ୍ରୀ ମନ୍ଦିର ରେ ମାଧବ ଉପାସନା ର ବି ପ୍ରାଧାନ୍ୟ ରହିଛି। ଉଭୟ ମନ୍ଦିର ରେ ମାଦଳା ପାଞ୍ଜି, ଦେବଦାସୀ ପ୍ରଥାର ପ୍ରଚଳନ ରହିଥିଲା। ଏ ସବୁ କୁ ଅନୁଶୀଳନ କରିବା ପରେ ମାଧବ ଗ୍ରାମ ର ଦୂର୍ଗା ମାଧବ ମନ୍ଦିର ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଯେଉଁ ଲୋକକଥା ଚଳି ଆସିଛି ତାହା ଯେ ଅସତ୍ୟ ନୁହେଁ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର ଙ୍କ ମତ ଯେ, ଯେହେତୁ ମା ମଙ୍ଗଳା ଓ ଦୂର୍ଗା ମାଧବ ଉଭୟ ଜଳ ( ପ୍ରାଚୀ ନଦୀ ଓ ଆହାର ପୋଖରୀ) ରୁ ଉଦ୍ଧାର ହୋଇ ପୂଜା ପାଉଛନ୍ତି ସେହେତୁ ଏମାନେ ସଂପର୍କ ରେ ଭାଇ ଓ ଭଉଣୀ। ଯେହେତୁ ମା ମଙ୍ଗଳା ଙ୍କୁ ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ମାଆ ମହାମାୟା ଜଗତଜନନୀ ବୋଲି ବିବେଚନା କରାଯାଏ ସେହେତୁ ପ୍ରଭୂ ଦୁର୍ଗା ମାଧବ ଙ୍କୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ମାମୁଁ ବୋଲି ପ୍ରାଚୀ ଉପତ୍ୟକା ର ଅଧିବାସୀ ବିବେଚନା କରିଆସୁଛନ୍ତି। ମହାପ୍ରଭୂ ଙ୍କ ପାତାଳୀ ପରେ ଯେପରି ଶ୍ରୀ କ୍ଷେତ୍ର ରେ ରଥ ଯାତ୍ରା ବନ୍ଦ ହୋଇ ହୋଇଯାଇଥିଲା,
ସେହି କାରଣରୁ ଦୂର୍ଗା ମାଧବ ମନ୍ଦିର
ରୁ ଶ୍ରୀ କ୍ଷେତ୍ର କୁ ଯେଉଁ ପୋଢୁଆଁ ଭାର ଯାଉଥିଲା ତାହା ବନ୍ଦ ହୋଇ ଯାଇଥିଲା ବୋଲି ଅନୁମାନ କରାଯାଉଛି। ଏବେ ପ୍ରଭୂ ମାଧବ ମନ୍ଦିର ଠାକୁର ଙ୍କ ଛତିଶା ସେବକ, ସ୍ଥାନୀୟ ଅଞ୍ଚଳ ର ଜଗନ୍ନାଥ ପ୍ରେମୀ
ମାନେ ପୋଢୁଆଁ ଭାର ପରମ୍ପରାକୁ
ଆରମ୍ଭ କରିଛନ୍ତି। ଏହି ପରମ୍ପରାକୁ
ସମସ୍ତେ ସ୍ବାଗତ କରିବା ସହିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଆଗ୍ରହ, ଇଚ୍ଛା, ଭକ୍ତି
କୁ ସମ୍ମାନ ଜଣାଇ ଏହି ପରମ୍ପରାକୁ
ସିକୃତି ପ୍ରଦାନ କରିବା ଜରୁରୀ ହୋଇ ପଡ଼ିଛି।
ସନ୍ତୋଷ କୁମାର ଦାଶ।୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ