ସଭାମଣ୍ଡପ ଠାରେ ପ୍ରସିଦ୍ଧ ହରିହର ଭେଟ ଉତ୍ସବ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଆଜି ଥିଲା ଫାଲଗୁନ ମାସର ପବିତ୍ରଚତୁର୍ଦ୍ଦଶୀ ତିଥି। ପୁଣ୍ୟ ତୋୟା ପ୍ରାଚୀ ଉପତ୍ୟକା ର ଚାରିଛକ ନିକଟସ୍ଥ ଭାଣପୁର ଓ ସାନହୁଲି ଗ୍ରାମ ନିକଟରେ ଥିବା ଐତିହାସିକ ପୀଠ ସଭାମଣ୍ଡପ ଠାରେ ପାରମ୍ପରିକ ପ୍ରଥାନୁସାରେ ଦୋଳ ଯାତ୍ରା ର ପ୍ରସିଦ୍ଧ ହରି ହର ଭେଟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଇବା ପରେ ପ୍ରାଚୀ ଉପତ୍ୟକା ର ଶ୍ରୀ ମାଧବାନନ୍ଦ ବିଳମ୍ବିତ ରାତିରେ ସ୍ୱ ସୁସଜ୍ଜିତ ବିମାନରେ ଯାଇ ସଭାମଣ୍ଡପ ଠାରେ ପହଞ୍ଚି ଭେଟ ପଡ଼ିଆ ର ଉତ୍ତର ପାର୍ଶ୍ଵ ରେ ଥିବା ମଣ୍ଡପ ରେ ଉପବେଶନ କରିଥିଲେ। ସେହିପରି ପ୍ରଭୁ ରାଧାକାନ୍ତ, ପ୍ରଭୁ ଅମରେଶ୍ୱର ଓ ବନ୍ଦେଶ୍ୱର ସ୍ୱ ସ୍ୱ ସୁସଜ୍ଜିତ ବିମାନରେ ଯାଇ ଦକ୍ଷିଣ ପାଶ୍ୱ ରେ ଥିବା ମଣ୍ଡପ ରେ ଏକତ୍ର ବସିଥିଲେ। ଠିକ୍ ବ୍ରାହ୍ମ ମୁହୂର୍ତ୍ତରେ ଏହି ଠାକୁର ମାନଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇ ଥାଏ।ଯାହା ହରିହର ଭେଟ ଉତ୍ସବ ଭାବେ ପ୍ରସିଦ୍ଧି ଲାଭ କରି ଆସିଛି। ଢୋଲ ,ମହୁରୀ , କାହାଳି ,ଘଣ୍ଟ ମୃଦଙ୍ଗ , ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ପଡ଼ିଥିଲା ଭେଟ ପଡ଼ିଆ । ଆତସବାଜି ର ରଙ୍ଗୀନ ଆଲୋକ ମାଳା ଅନ୍ଧାର ଆକାଶକୁ ଝଲମଲ କରି ଦେଇ ଥିଲା।ହରି ହର ଙ୍କ ମେଳଣ ଉତ୍ସବ ଅନୁଷ୍ଠିତ ହେବା ପରେ ସମସ୍ତ ଠାକୁର ଏକତ୍ରିତ ଭାବେ ବିରାଟ ଶୋଭାଯାତ୍ରାରେ ଯାଇ ଐତିହାସିକ ସଭାମଣ୍ଡପ ଉପରେ ଉପବେଶନ କରିଥିଲେ। ଦୋଳ ପୁର୍ଣିମା ପ୍ରାତଃ ରେ ଭକ୍ତ ଶ୍ରଦ୍ଧାଳୁ ମାନେ ସଭାମଣ୍ଡପ ଉପରେ ବସିଥିବା ହରି ହର ଠାକୁର ଙ୍କୁ ଏକତ୍ର ଦର୍ଶନ କରିବା ସହିତ ନିଜର ଓ ପରିବାର ର ମଙ୍ଗଳ କାମନା କରି ଶୁଖିଲା ଭୋଗ ଲାଗି କରିଥିଲେ।ଠାକୁର ଙ୍କ ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଦିଆଯିବା ପରେ ଠାକୁର ମାନେ ଜଣଙ୍କ ପରେ ଜଣେ ସଭାମଣ୍ଡପ ରୁ ଓହ୍ଲାଇ ମଣ୍ଡପ କୁ ତିନି ଘେରା ପରିକ୍ରମା କରି ଯିଏ ଯାହା ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ହୋଇଥିଲା ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଦୋଳ ଯାତ୍ରା ହରି ହର ଭେଟ ଉତ୍ସବ। ଏହି ଅବସର ରେ ଭେଟ ପଡ଼ିଆ ଠାରେ ମେଳା ଲାଗିଥିଲା ଓ ବାର ଦୋଳ ମେଳଣ
କମିଟି ପକ୍ଷରୁ ଦୁଇ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ହରିହର ଭେଟ ଉତ୍ସବ ରେ କଟକ ଓ ପୁରୀ ଜିଲ୍ଲା ରୁ ୫୦ ହଜାର ରୁ ଉର୍ଦ୍ଧ୍ବ ଲୋକ ଙ୍କ ସମାଗମ ହୋଇଥିବା ବେଳେ ଚାରିଛକ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।