ସମ୍ଭାବିତ ବାତ୍ୟା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନର ତତ୍ପରତା ଜିରୋ କାଜୁଆଲିଟିକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଜିଲ୍ଲାରେ ସମ୍ଭାବିତ ବାତ୍ୟା ଏବଂ ବୃଷ୍ଟିପାତକୁ ଦୃଷ୍ଟିରେ ରଖି, ଏହାର ମୁକାବିଲା ପାଇଁ ଓ ପୂର୍ବ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ପ୍ରି-ସାଇକ୍ଲୋନ୍ ବଳୟ ସୃତି ହୋଇଥିବା ବେଳେ ଆସନ୍ତା ୨୪ ଓ ୨୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ଼ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ତେଣୁ ଜିଲ୍ଲାରେ ସମସ୍ତ ପ୍ରକାର ଆପଦକାଳୀନ ପ୍ରସ୍ତୁତି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ, ଏବଂ ବିଶେଷ କରି ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ଥିବା ଯୋଗୁଁ ଜିଲ୍ଲାପାଳ ଏହି ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ନିମନ୍ତେ, ସମ୍ବେଦନଶିଳ ତହସିଲ, ବ୍ଲକ ଏବଂ ଗ୍ରାମ ପଂଚାୟତ ଯଥା ବଡ଼ସାହି, ବେତନଟୀ, ମାଣତ୍ରୀ ପଂଚାୟତ, ଖୁଣ୍ଟା, ରାସଗୋବିନ୍ଦପୁର, ସାରସକଣା , କପ୍ତିପଦା, ଉଦଳା ଅଂଚଳର ବିଭିନ୍ନ ସ୍ଥାନ ପାଇଁ ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ସମ୍ଭାବିତ ବର୍ଷାରେ ବନ୍ୟା ବ୍ଳପିତ ହେବାକୁ ଥିବା ଅଂଚଳରେ ମଧ୍ୟ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀ ଗୁଡିକର ଅବବାହିକାରେ ଅବସ୍ଥିତ ଗ୍ରାମ ଗୁଡିକ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ପରିସ୍ଥିତି ଥିବା ବଳେ ପ୍ରଶାସନ ଏଥି ପାଇଁ ପୂର୍ବରୁ ସଚେତନ ହୋଇ ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ପ୍ରଶାସନ ସୂଚିତ କରିଛନ୍ତି । ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି ।
ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି। ଜିଲ୍ଲାରେ ଥିବା ସମସ୍ତ ଓଡ୍ରାଫ ଟିମଙ୍କୁ ମହଜୁଦ ରହି ଅପଦା ପ୍ରବନ୍ଧନ କାର୍ଯ୍ୟରେ ନିୟୋଜିତ ରହିବା ଏବଂ ସମସ୍ତ ଜରୁରୀକାଳୀନ ପରିସ୍ଥିତିରେ ଜଣ ସାଧାରଣ ମାନଙ୍କ ପାଖରେ ପହଂଚିବା ଭଳି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥି ସହିତ କୌଣସି ଜରୁରୀକାଳୀନ ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ମଧ୍ୟ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ସମୟ ସମୟେ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ବିଷୟରେ ଅବଗତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଇଛି। ବିଶେଷ କରି ତୁରନ୍ତ ରିଲିଫ୍ ଯୋଗାଣ, ବିଶୁଦ୍ଧ ଜଳ ଓ ଖାଦ୍ୟ ଯୋଗାଣ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ ଏବଂ ଚିକିତ୍ସା ସହାୟତାକୁ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଆବଶ୍ୟକସ୍ଥଳେ କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର , ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।