ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଟିତ ହେଲା ପିଟିଏମ୍
ଆସିକା, (ଯୁଗାବ୍ଦ ନ୍ୟୁଜ):ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପ୍ରୟାସ ସ୍ୱରୁପ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୦୨୪-୨୫ ଶିକ୍ଷାବର୍ଷର ଚତୁର୍ଥ ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି/ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟ ଗୁଡିକରେ ଅନୁଷ୍ଟିତ ହୋଇଥିବା ଏହି ବୈଠକରେ ସମସ୍ତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି), ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି (ଏସ୍ଏମ୍ଡିସି) ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟରର ୧୬୮ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଏହି ଚତୁର୍ଥ ପିଟିଏମ୍ ବୈଠକ ଅନୁଷ୍ଟିତ ହୋଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ପରାମର୍ଶକ୍ରମେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହରିବନ୍ଧୁ ବେହେରା, ଶିଶିରକାନ୍ତ ବେହେରା, ଟୁଲୁ ସେଠୀ, ରାଧାମୋହନ ଡାକୁଆ, ଚନ୍ଦ୍ରଶେଖର ସ୍ୱାଇଁ, ଅର୍ଚ୍ଚନା ବେହେରା, ଚିତ୍ରସେନ ସେଠୀ, ସୌଦାମିନୀ ହୋତା, ସରୋଜ କୁମାର ପ୍ରଧାନ, ନାରାୟଣ ସାହୁ, ରଂଜିତା ପାତ୍ରଙ୍କ ସମେତ ଶିକ୍ଷା ବିଭାଗର ବହୁ ବରିଷ୍ଟ ପଦାଧିକାରୀ ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରି ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରୀଛାତ୍ରୀଙ୍କ ଅଭିଭାବକ, ଏଏମ୍ସି, ଏଏସ୍ମ୍ଡିସିର ସଦସ୍ୟମାନେ ଏହି ଅଭିଭାବକ-ଶିକ୍ଷକ ବୈଠକରେ ଉପସ୍ଥିତ ଥିଲେ । ସମାପ୍ତି ସୂଚକ ଆକଳନ-୧ର ଉପଲବ୍ଧିକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ ଓ ସମାପ୍ତି ସୂଚକ ଆକଳନ-୨ (ବାର୍ଷିକ ପରୀକ୍ଷା) ୨୦୨୫ ପାଇଁ ପ୍ରସ୍ତୁତିରେ ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଭୂମିକା, ପିଲାମାନଙ୍କୁ ପାଠରେ ଆଗକୁ ନେବା ପାଇଁ ପିତାମାତା/ଅଭିଭାବକଙ୍କ ଭୂମିକା, ପିଲାମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ, ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରି ଡ୍ରପ୍ ଆଉଟ୍ ହ୍ରାସ କରିବା, ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀ/ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ପଞ୍ଜିକରଣ, ବିଦ୍ୟାଳୟ ବିକାଶ ଯୋଜନା, ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ସମେତ ବିଭିନ୍ନ ବିଷୟ ଉପରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ବର୍ଷକୁ ଚାରିଥର ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହେବା ପାଇଁ ଶୈକ୍ଷିକ କ୍ୟାଲେଣ୍ଡରର ଉଲ୍ଲେଖ ରହିଥିଲା ବେଳେ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତଥା ଗୋଷ୍ଠୀ ଓ ବିଦ୍ୟାଳୟରେ ଏକ ନିରନ୍ତର ସଂପର୍କ ସ୍ଥାପନ କରିବା ଓ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଦକ୍ଷତାକୁ ଉପଲବ୍ଧିକୁ ନିଶ୍ଚିତ କରିବାର ଏହା ଏକ ମାଧ୍ୟମ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଶିକ୍ଷା ହିଁ ପ୍ରଗତିର ଚାବିକାଠି । ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଗୁଣାବଳୀର ବିକାଶ ହୋଇଥାଏ । ସକରାତ୍ମକ ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ ଅଟେ । ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ଓ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅଭିଭାବକ/ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ବୈଠକ/ ବିଦ୍ୟାଳୟ ପରିଚାଳନା କମିଟି ବୈଠକ/ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଆହ୍ୱାନ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ଏହି ବୈଠକ ମାଧ୍ୟମରେ ଅଭିଭାବକମାନେ ସିଧାସଳଖ ବିଦ୍ୟାଳୟ ସହିତ ସଂଯୁକ୍ତ ହୋଇ ଶିକ୍ଷାନୁଷ୍ଠାନର ବହୁବିଧ ବିକାଶ ସକାଶେ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ସୁଯୋଗ ପାଇଥାନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, କେ.ନୁଆଁପଲ୍ଲୀ, ଗଙ୍ଗାପୁର, ଆସିକା ଏନ୍ଏସି, ବାବନପୁର, ଭେଟନଇ, ବଡଖୋଲି, ହରିଡାପଦର, କାଳଷଣ୍ଢପୁୁର, ନଳବଣ୍ଟା, ଖାରିଆ କ୍ଳଷ୍ଟର ଅଧୀନସ୍ଥ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶନିବାର ଏହି ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା/ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।