ସାନଭାଇର ମରଣାନ୍ତକ ଆକ୍ରମଣରେ ବଡଭାଇ ଓ ଭାଉଜ ମୃତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ କିଛି ମାସର ନୀରବତା ପରେ ଆସିକା ଥାନା ପରିସରଭୁକ୍ତ ଅଞ୍ଚଳ ପୁଣି ହୋଇଯାଇଛି ଅଶାନ୍ତ । ଜମିଜମା ବିବାଦକୁ କେନ୍ଦ୍ର କରି ଆସିକା ଥାନା ଅଧିନସ୍ଥ ଖଣ୍ଡଦେଉଳୀ ଗ୍ରାମ ପଞ୍ଚାୟତର ସମାଇଗୁଡା ଗ୍ରାମରେ ବୁଧବାର ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ନିଜର ରକ୍ତ ସମ୍ପର୍କୀୟ ସାନଭାଇର ମରଣାନ୍ତକ ଆକ୍ରମଣରେ ବଡଭାଇ ଓ ଭାଉଜ ମୃତ୍ୟୁବରଣ କରିବା ଘଟଣା ଆସିକାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସଂପର୍କରେ ମିଳିିଥିବା ସୂଚନା ଅନୁଯାୟୀ ଆସିକା ବ୍ଳକ ଓ ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମର ବଡଭାଇ ରାଜୁ ପାତ୍ର (ବୟସ ପ୍ରାୟ ୬୨ ବର୍ଷ)ଙ୍କ ସହ ତାଙ୍କ ସାନଭାଇ ଭୋବନି ପାତ୍ରଙ୍କ ମଧ୍ୟରେ ଜମିଜମାକୁ କେନ୍ଦ୍ର କରି ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ତେବେ ବୁଧବାର ପୂର୍ବାହ୍ନରେ ସାନଭାଇ ଭୋବନି ପାତ୍ର, ତାଙ୍କ ସ୍ତ୍ରୀ ରଂଜିତା ପାତ୍ର ଓ ପୁତ୍ର ପୁପୁନ୍ ପାତ୍ର ସୁପରିକଳ୍ପିତ ଯୋଜନା ଅନୁଯାୟୀ ବଡଭାଇ ରାଜୁ ପାତ୍ର ଓ ଭାଉଜ ମଲା ପାତ୍ର ଓରଫ୍ ଲକ୍ଷ୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାରି ଫଳରେ ଘଟଣାସ୍ଥଳରେ ହିଁ ବଡଭାଇ ରାଜୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା ବେଳେ ଭାଉଜ ମଲା ପାତ୍ର ଓରଫ୍ ଲକ୍ଷ୍ମୀ ପାତ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନଘଟିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣା ସଂକ୍ରାନ୍ତରେ ମୃତ ରାଜୁ ପାତ୍ର ଓ ମଲା ଓରଫ୍ ଲକ୍ଷ୍ମୀ (ବୟସ ପ୍ରାୟ ୫୦ ବର୍ଷ)ଙ୍କ ପୁତ୍ର ସନ୍ତୋଷ କୁମାର ପାତ୍ର ଏକ ଲିଖିତ ଏତଲା ଦାୟର କରିବା ପରେ ପୋଲିସ ୭୩୮/୨୦୨୪ ରେ ଏକ ହତ୍ୟା ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିବା ବେଳେ ଏହି ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଭୋବନି ପାତ୍ର ଓ ତାଙ୍କ ସ୍ତ୍ରୀ ରଂଜିତା ପାତ୍ରଙ୍କୁ ଥାନାରେ ଅଟକ ରଖି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପୁପୁନ୍ ପାତ୍ରଙ୍କୁ ଗିରଫ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ରକ୍ତସଂପର୍କୀୟ ସାନଭାଇ ଓ ତାଙ୍କର ଦୁଇ ସହଯୋଗୀଙ୍କ ମରଣାନ୍ତକ ଆକ୍ରମଣରେ ବଡଭାଇ ରାଜୁ ପାତ୍ର ଓ ଭାଉଜ ମଲା ପାତ୍ର ଓରଫ୍ ଲକ୍ଷ୍ମୀଙ୍କ ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ବେଳେ ଏହି ଘଟଣା ବର୍ତ୍ତମାନ ଆସିକାରେ ଚର୍ଚ୍ଚାର ବିଷୟ ପାଲଟିଥିବା ଲକ୍ଷ୍ୟ କରାଯାଇଛି ।