ସ୍କୁଲ ବସ୍ – ଟ୍ରାକ୍ଟର ମୁହାଁମୁହିଁ ଧକ୍କା ବସ ଚାଳକ ଗୁରୁତର ୫ ଶିଶୁ ଆହତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୁଶପଡା – ସାମନ୍ତରାପୁର ଗ୍ରାମ ନିକଟ ତିନି ଆମ୍ବ ଛକ ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ମିନି ବସ୍ ଏବଂ ଏକ ଗୋଡି ବୋଝେଇ ଟ୍ରାକ୍ଟର ମଧ୍ୟରେ ବୁଧବାର ସକାଳ ପ୍ରାୟ ସାଢେ ୮ ଟାରେ ମୁହାଁମୁହିଁ ଧକ୍କା ଘଟିଥିଲା। ଏହି ଦୁର୍ଘଟଣାରେ ଦିଗପହଣ୍ଡି ଜ୍ଞାନଶ୍ରୀ ପବ୍ଲିକ ସ୍କୁଲର ମିନି ବସ ଚାଳକ ସିଦ୍ଧେଶ୍ୱର ଗ୍ରାମର ସମୀର ରଣା ଙ୍କ ସମେତ ୫ ବିଦ୍ୟାର୍ଥୀ ଓ ୨ ଶିକ୍ଷୟିତ୍ରୀ ସାମାନ୍ୟ ଆହତ ପରେ ଦିଗପହଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଗାଡ଼ି ଚାଳକ ସମୀର ଙ୍କୁ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ବୁଧବାର ସକାଳୁ ସ୍କୁଲ ବସ ଟି ସିଦ୍ଧେଶ୍ୱର ଗ୍ରାମରୁ ବାହାରି ଗୈାତମୀ , କେଦାରପୁର , ଗୋକର୍ଣ୍ଣପୁର ଗ୍ରାମରୁ କିଛି ଛାତ୍ରଛାତ୍ରୀ ଏବଂ ଶିକ୍ଷୟତ୍ରୀ ଙ୍କୁ ନେଇ ଦିଗପହଣ୍ଡି ଅଭିମୁଖେ ଆସୁଥିଲା । ସେହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାର ଶଦ୍ଦ ଏପରି ଥିଲା ଯେ , ନିକଟସ୍ଥ ଗ୍ରାମରୁ କିଛି ବ୍ୟକ୍ତି ଘଟଣାସ୍ଥଳକୁ ଦୌଡ଼ି ଆସି ସୁରକ୍ଷିତ ଭାବେ ଛାତ୍ରଛାତ୍ରୀ,ଶିକ୍ଷୟତ୍ରୀ ଙ୍କୁ ବସ ରୁ ଉଦ୍ଧାର କରିଥିଲେ । ତେବେ ବସ ଭିତରେ ଚାଳକ ଚାପି ହୋଇଯାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ପହଞ୍ଚି ଚାଳକକୁ ଉଦ୍ଧାର ପରେ ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଚାଳକ ସମେତ ଛାତ୍ର ସାଇପ୍ରସାଦ ମହାଙ୍କୁଡ ଓ ସାଇକ୍ରିଷ୍ଣା ଦୋରାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ଟ୍ରାକ୍ଟର ଚାଳକ ଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ କିଛି ପ୍ରତ୍ୟକ୍ଷଦର୍ଶୀପୁଲିସ କୁ କହିଥିବା ବେଳେ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ଛାତ୍ରଛାତ୍ରୀ ମାନେ ବର୍ତ୍ତୀ ଯାଇଛନ୍ତି । ଅପରପକ୍ଷରେ ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ି ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଟ୍ରାକ୍ଟର ଚାଳକ ଫେରାର ଥିବା ଜଣାପଡିଛି।