୨୫ରୁ ନିମାପଡ଼ା ମହୋତ୍ସବ
ନିମାପଡ଼ା,( ସନ୍ତୋଷ ଦାଶ): ୨୪ ତମ ନିମାପଡ଼ା ମହୋତ୍ସବ ଆସନ୍ତା ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଯାଉଛି। ଏଥିନିମନ୍ତେ କମିଟି ସଭାପତି ତଥା ନିମାପଡ଼ା ବିଧାୟିକା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ମହୋତ୍ସବକୁ ଅଧିକ ସରସ,ସୁନ୍ଦର, ଆକର୍ଷଣୀୟ ତଥା ମହା ଆଡମ୍ବର ସହକାରେ ପାଳନ କରାଯିବାକୁ ନିମାପଡ଼ାର ସରକାରୀ, ବେସରକାରୀ କାର୍ଯ୍ୟାଳୟର ମୁଖ୍ୟ, ବ୍ୟବସାୟ ପ୍ରତିଷ୍ଠାନ, ଆୟୋଜକ ହେଲ୍ପଲାଇନ ର ସମ୍ପାଦକ, ସଭାପତିଙ୍କ ସମେତ ପ୍ରମୁଖ ସଦସ୍ୟ ମାନଙ୍କ ସହିତ ଶ୍ରୀମତୀ ପରିଡ଼ା ବିଷଦ ଆଲୋଚନା କରିଥିଲେ। ବିଲୁପ୍ତ ପ୍ରାୟ ବିଭିନ୍ନ କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଅଞ୍ଚଳର ଛୋଟବଡ଼ କାରିଗର, ମହିଳା ଗୋଷ୍ଠୀ ମାନଙ୍କୁ ମହୋତ୍ସବ ମାଧ୍ୟମରେ ଉତ୍ସାହିତ କରାଯିବ। ଓରମାସ ପକ୍ଷରୁ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ସରଞ୍ଜାମ ତଥା ଖାଦ୍ୟ ସାମଗ୍ରୀ ଷ୍ଟଲରେ ପ୍ରଦର୍ଶନ କରାଯିବ।ପଲିଶ୍ରୀ ମେଳାରେ ମିଶନ ଶକ୍ତି ମହିଳା ମାନେ ଯେପରି ଅଧିକ ଯୋଡିହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ। ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାପାଇଁ ଗତବର୍ଷ ଠାରୁ ଯାତ୍ରା କମିଟି ଯୋଡି ହୋଇଛି। ଏହି ଅବସରରେ ଅପେରା ପାର୍ଟି ୨୫ରୁ ୨୮ ପର୍ଯ୍ୟନ୍ତ ଇଣ୍ଡୋର ପଡ଼ିଆରେ ଯାତ୍ରା ପରିବେଷଣ କରିବେ। ଯାତ୍ରା କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ସ୍ଥିର କରାଯାଇଛି ବୋଲି ମହାବୀର ଯାତ୍ରା କମିଟି କୋଷାଧ୍ୟକ୍ଷ ଅନୁରାଗ ଦାସ ପ୍ରକାଶ କରିଥିଲେ।ଆଗାମୀ ଦିନରେ ନିମାପଡ଼ା ମହୋତ୍ସବକୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମହୋତ୍ସବ କମିଟି ସଭାପତି ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।