୪ ମାସ ହେଲା ମିଳିନି ମଧ୍ୟାହ୍ନ ଭୋଜନ ଅନୁଦାନ ବାକି ଓ ହାତଉଧାରି ସାମଗ୍ରୀ ଆଣି ଶିକ୍ଷକ ନୟାନ୍ତ
ଆସିକା, (ଯୁଗାବ୍ଦ ନ୍ୟୁଜ):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ଅଧାରୁ ବିଦ୍ୟାଳୟ ଛାଡିବା ସଂଖ୍ୟା ହ୍ରାସ ଓ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ସରକାର କାର୍ଯ୍ୟକାରୀ କରିଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆସିକା ଅଞ୍ଚଳରେ ଏବେ ଅର୍ଥାଭାବରୁ ଗୁରୁତର ପ୍ରଭାବିତ ହୋଇଥିବା ଜଣାପଡିଛି । ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ବୃଦ୍ଧି ହୋଇଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଲାଗି ମୁଣ୍ଡପିଚ୍ଛା ବ୍ୟୟ ଭାର ନାଁକୁ ମାତ୍ର ଗତ କିଛି ଦିନ ତଳେ ୧ ଟଙ୍କା ବଢାଯାଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ମଧ୍ୟାହ୍ନ ଭୋଜନ ବାବଦର ଅନୁଦାନ ଗତ ପ୍ରାୟ ୪ ମାସ ହେଲା ମିଳିନି । ଫଳରେ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ୩ ପ୍ରତିଶତ ସୁଧରେ ଓ କେତେକ ସ୍ଥାନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାକିରେ ସଉଦା ଆଣି କଷ୍ଟେମଷ୍ଟେ ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ଅଭିଯୋଗ ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ୬୦/୪୦ ପ୍ରତିଶତ ଭାଗିଦାରୀରେ ମଧ୍ୟାହ୍ନ ଭୋଜନ ପାଇଁ ଅନୁଦାନ ଯୋଗାଇଦେଇ ଆସୁଛନ୍ତି । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଆସିକା ସଦର, କାଳଷଣ୍ଢପୁର, ହରିଡାପଦର, ଖାରିଆ, ବାବନପୁର, ଭେଟନଇ, ବଡଖୋଲି, ଗଙ୍ଗାପୁର, କେ. ନୂଆପଲ୍ଲୀ, ନିମିନା, କେନ୍ଦୁପଦର, ବାଲିସିରା କ୍ଳଷ୍ଟର ଅଧିନସ୍ଥ ଅଞ୍ଚଳରେ ଥିବା ପ୍ରାୟ ୧୩୪ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ଗତ କିଛି ମାସ ହେଲା ମଧ୍ୟାହ୍ନ ଭୋଜନ ପରିଚାଳନାରେ ନାନା ସମସ୍ୟା ସୃଷ୍ଟି ହେଉଥିଲା ବେଳେ ବହୁ ଶିକ୍ଷକ ନିଜ ଚାକିରୀକୁ ବଞ୍ଚାଇବାକୁ ବାଧ୍ୟ ହୋଇ ବାକି ଓ ହାତ ଉଧାରିରେ ବିଭିନ୍ନ ସମାଗ୍ରୀ ଆଣି ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ଆଲୋଚିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୫ଟଙ୍କା ୯୦ ପଇସା ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ମୁଣ୍ଡପିଛା ୮ଟଙ୍କା ୮୨ ପଇସା ମିଳୁଛି । ଗତ କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାବଦକୁ ମୁଣ୍ଡପିଚ୍ଛା ୧ ଟଙ୍କା ଲେଖାଏଁ ବୃଦ୍ଧି ଘୋଷଣା କରିସାରିଛନ୍ତି । ଆଉ ମହରଗ ସମୟରେ ଏହି ସ୍ୱଳ୍ପ ମୁଲ୍ୟରେ ମଧ୍ୟାହ୍ନ ଭୋଜନ ପରିଚଳନା କରିବା ଶିକ୍ଷକ ମାନଙ୍କ ପାଇଁ ଚିନ୍ତା ବଢାଉଛି । ଗତ ଚାରି ମାସ ହେଲା ବିଦ୍ୟାଳୟର ଏକାଉଣ୍ଟକୁ ମଧ୍ୟାହ୍ନ ଭୋଜନ ବାବଦର ଅର୍ଥ ଆସି ନାହିଁ । ଯାହାରି ଫଳରେ ଶିକ୍ଷକ ମାନେ ବିଭିନ୍ନ ସମୟରେ ନିଜ ହାତରୁ ପଇସା ଖର୍ଚ୍ଚ କରିବା ସହ ବାକି କରି ବିଦ୍ୟାଳୟରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ଏକ ପ୍ରକାର ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଏପରିକି କେତେକ ଦୋକାନୀ ଶିକ୍ଷକ ମାନଙ୍କୁ ମଧ୍ୟାହ୍ନ ଭୋଜନ ସକାଶେ ଫଳମୂଳ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବାକି ଦେବାକୁ ଅମଙ୍ଗ ହେଉଥିବାରୁ ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଦ୍ୟାଳୟ ଗୁଡିକୁ ପାଖାପାଖି ଚାରିମାସ ବିତିବାକୁ ବସିଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଏମଡିଏମ୍ ଆକାଉଣ୍ଟକୁ ସରକାରୀ ଅର୍ଥ ପଠାଇ ନାହାନ୍ତି । ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ସୁପରିଚାଳନା ପାଇଁ ଆବଶ୍ୟକୀୟ ଅର୍ଥ ବିଦ୍ୟାଳୟର ଏମଡିଏମ୍ ଏକାଉଣ୍ଟକୁ ପଠାଇବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।