ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ପଦାର୍ଥ, ଔଷଧ, ଚୁଡ଼ା, ମୁଢି ଇତ୍ୟାଦି ଉପରୁ ଜି.ଏସ୍.ଟି ପ୍ରତ୍ୟାହାର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ବନ୍ଦ କରିବା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଭୁବନେଶ୍ୱର ଶାଖା ତରଫରୁ ସ୍ଥାନୀୟ ମାଷ୍ଟ କ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନରେନ୍ଦ୍ର ମୋଦି ସରକାର ବଡ଼ ବଡ଼ କର୍ପୋରେଟ ସଂସ୍ଥାମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଟିକସ ଛାଡ଼ କରୁଥିବା ବେଳେ ସାଧାରଣ ଲୋକ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର କମାଇବା ପରିବର୍ତ୍ତେ ସେଥିରେ ଜିଏସ୍ଟି ଲାଗୁ କରି ଦର ବୃଦ୍ଧିକୁ ଆହୁରି ବ୍ୟାପକ କରିଛନ୍ତି । କରୋନା ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କର ଆୟ ହ୍ରାସ ପାଇବା ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ଦୈନନ୍ଦିନ ବ୍ୟବହାର କରୁଥିବା ସାମଗ୍ରୀ ଚୂଡ଼ା, ଚିନି, ମୁଢି, ଉଖୁଡ଼ା, ଡ଼ାଲି, ତେଲ, ଲୁଣ, ହଳଦୀ, ଜିରା, ସୋରିଷ, କ୍ଷୀର, ଦହି ଇତ୍ୟାଦି ଉପରେ ଜିଏସ୍ଟି ଲାଗୁ କରିବା ଓ ତୈଳଜାତୀୟ ପଦାର୍ଥର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନଯାପନ ଦୁର୍ବିସହ ହୋଇପଡ଼ିଛି । ଏଥିରେ ମହିଳାମାନେ ଅଧିକ ଶାରୀରିକ ଓ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହେବେ । କେରଳ ରାଜ୍ୟ ସରକାର ଜିଏସ୍ଟିକୁ କାର୍ଯ୍ୟକାରୀ ନ କରିବାକୁ ଘୋଷଣା କରିଥିବା ବେଳେ ଆମ ରାଜ୍ୟ ସରକାର କାହିଁକି ଜିଏସ୍ଟି ବିରୋଧରେ ପଦକ୍ଷେପ ନେଉନାହାଁନ୍ତି ବୋଲି ଚିନ୍ମୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ବିକ୍ଷୋଭରେ ମହିଳା ନେତ୍ରୀମାନେ ପ୍ରଶ୍ନ କରିଛନ୍ତି । ଏହି ବିକ୍ଷୋଭରେ ମହିଳା ନେତ୍ରୀ ତାପସୀ ପ୍ରହରାଜ, ପୁଷ୍ପା ଦାସ, ମିନତୀ ପାଣିଗ୍ରାହୀ, ବିମଳି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନିରୁପମା ନାୟକ, ରୀନା ନାୟକ, ଜୟନ୍ତୀ ସ୍ୱାଇଁ ଓ ନୈନା ସେଠୀ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।