ରେକର୍ଡ ପରିମାଣର ବାଇଗଣ ଉତ୍ପାଦନ: ଅଭାବୀ ବିକ୍ରୀ ଯୋଗୁଁ କ୍ଷତିରେ ଚାଷି
ଆସିକା (ୱାଇଏନ୍ଏସ୍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ରେକର୍ଡ ପରିମାଣର ବାଇଗଣ ଉତ୍ପାଦନ ହୋଇଥିବା ଜଣାପଡିଛି। ଆସିକା ଅଞ୍ଚଳର ବହୁ ବାଇଗଣ ଚାଷୀ କ୍ଷେତରେ କିଲୋ ପ୍ରତି ୮ ରୁ ୧୦ ଟଙ୍କା ଦରରେ ବାଇଗଣ ବେପାରୀଙ୍କୁ ବିକ୍ରୀ କରୁଥିଲା ବେଳେ ବେପାରୀ ମାନେ କିଲୋ ପ୍ରତି ୨୦ ରୁ ୨୨ଟଙ୍କା ଦରରେ ଗ୍ରାହକଙ୍କୁ ବାଇଗଣ ବିକ୍ରୀ କରୁଥିବା ଆଲୋଚିତ ହେଉଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦଣ୍ଡ ପର୍ବ ଚାଲିଥିବାରୁ ବାଇଗଣର ବହୁଳ ବିକ୍ରିବଟା ହେଉଥିବା ଦେଖିବାକୁ ମିଳିଛି। ଚାଷୀ ବର୍ଷ ତମାମ କଠିନ ପରିଶ୍ରମ କରି ଚଳିତ ବର୍ଷ ଭଲ ବାଇଗଣ ଉତ୍ପାଦନ କରିଥିଲେ ମଧ୍ୟ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁନଥିବା ଯୋଗୁଁ ଚାଷୀ କ୍ଷତିର ସମ୍ମୁଖିନ ହେଉଥିବା ଜଣାପଡିଛି। ଚଳିତ ବର୍ଷ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦୈନିକ ଶହଶହ ଟନ ବାଇଗଣ ଉତ୍ପାଦନ ହେଉଥିବା ବେଳେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଉତ୍ପାଦିତ ବାଇଗଣକୁ ଶାଗମାଛ ଦରରେ ବେପାରୀଙ୍କୁ ବିକ୍ରୀ କରୁଥିବା ଅଭିଯୋଗ ହେଉଛି। ଚଳିତବର୍ଷ ବାଇଗଣ ଉତ୍ପାଦନରେ ଆସିକା ପୂର୍ବବର୍ଷ ମାନଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇପାରିଛି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବାଇଗଣ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା କେତେକ ଚାଷୀଙ୍କ ଚିନ୍ତା ବଢିଯାଇଛି। ଗୋଟିଏ ପଟେ ଜମିରେ ମାଙ୍କଡ ଓ ବାର୍ହା ପଲଙ୍କ କବଳରୁ ଫସଲକୁ ବଞ୍ଚାଇବାକୁ ଚାଷୀ ଦିନରାତି ଏକ କରି କଠିନ ପରିଶ୍ରମରେ ଭଲ ବାଇଗଣ ଫସଲ ଉତ୍ପାଦନ କରିଥିଲା ବେଳେ ଅନ୍ୟପଟେ ଫସଲ ସଂରକ୍ଷଣ ପାଇଁ ଆସିକାରେ ଶୀତଳ ଭଣ୍ଡାରର ସୁବିଧା ନାହିଁ। ଯାହାରି ଫଳରେ କେତେକ ଚାଷୀ କମ୍ ମୁଲ୍ୟରେ ବାଇଗଣ ପରିବା ବେପାରୀଙ୍କୁ ବିକ୍ରୀ କରୁଥିବା ଅଭିଯୋଗ ହେଉଛି। ଏପରିକି ମୁଣ୍ଡର ଝାଳକୁ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଭଲ ବାଇଗଣ ଉତ୍ପାଦନ କରିଥିବା ଚାଷୀଙ୍କୁ ଉଚିତ୍ ଦର ମିଳିବା ତ ଦୂରର କଥା ସାର ଓ ଔଷଧ ବାବଦର ଖର୍ଚ୍ଚ ବି ବାହାରୁ ନଥିବା କେତେକ ଚାଷୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ କେତେକ ଚାଷୀ ଜମି ମାଲିକଙ୍କୁ ସେମାନଙ୍କ କର ବି ଦେଇପାରୁ ନାହାନ୍ତ। ଚାଷୀଙ୍କ ଠାରୁ କମ୍ ମୁଲ୍ୟରେ ବାଇଗଣ କିଣି କେତେକ ବେପାରୀ ଗ୍ରାହକଙ୍କୁ ଚଢା ଦରରେ ସେହି ବାଇଗଣକୁ ବିକ୍ରୀ କରି ମାଲାମାଲ୍ ହେଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନର ନିଘୋଡ ନିଦ୍ରା ଭାଙ୍ଗୁ ନ ଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କୃଷି ବହୁଳ ଆସିକା ଅଞ୍ଚଳର ଚାଷୀ ସମାଜର ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଯୁବ ବିଜେଡି ନେତା ତଥା ସମାଜସେବୀ ଜିତେନ୍ଦ୍ର କୁମାର ମହାରଣା ଦୃଢଦାବୀ କରିଛନ୍ତି।


