ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ ପକ୍ଷରୁ ଦିନିକିଆ ଧାରଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ କେନ୍ଦ୍ରାପଡା ଡିଭିଜନାଲ ଶାଖା ପକ୍ଷରୁ କେନ୍ଦ୍ରାପଡା ଡାକ ଡିଭିଜନର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଦିନିକିଆ ଧାରଣା ଦିଆଯାଇଥିଲା । ଶ୍ରମିକଙ୍କ ପାଇଁ ଥିବା ନୀତି ନିୟମକୁ ଚାପି ଦେବା, ନୂତନ ପେନସନ ସ୍କିମ ବଦଳରେ ପୁରୁଣା ପେନସନ ସ୍କିମ ଲାଗୁ କରାଯିବା, ଗ୍ରାମୀଣ ଡାକସେବକମାନଙ୍କୁ ପେନସନ ସ୍କିମରେ ସାମିଲ କରାଯିବା, ଗ୍ରାମୀଣ ଡାକସେବକଙ୍କ ସମେତ ସାର୍ବଜନିନ ଭାବେ ସମସ୍ତ ଡାକ କର୍ମଚାରୀଙ୍କ ପାଇଁ ସାମାଜିକ ନିରାପତ୍ତା ବ୍ୟବସ୍ଥା ଲାଗୁ କରାଯିବା, ଗ୍ରାମୀଣ ଡାକସେବକଙ୍କ ସହ ସମସ୍ତ ପ୍ରମୁଖ ଭାଗରେ ଥିବା କର୍ମଚାରୀଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବା, ଡାକସେବା ସମେତ ସମସ୍ତ ସେବାରେ ଘରୋଇକରଣ ବନ୍ଦ କରାଯିବା, ଗ୍ରାମୀଣ ଡାକସେବକମାନଙ୍କୁ ସିଭିଲ ସର୍ଭାଣ୍ଟଙ୍କ ଷ୍ଟାଟସ ପ୍ରଦାନ ପ୍ରମୁଖ ଦାବିରେ ଏହି ଧାରଣା ଦିଆଯାଇଥିଲା ବୋଲି ସଙ୍ଘର କେନ୍ଦ୍ରାପଡା ଡିଭିଜନାଲ ସଭାପତି ନରେନ୍ଦ୍ର କୁମାର ତ୍ରିପାଠୀ ଏବଂ ଡିଭିଜନାଲ ସମ୍ପାଦକ ବିଜୟ କିଶୋର ଦାସ ସୂଚନା ଦେଇଥିଲେ । ଏହି ଧାରଣାରେ ଶରତ କୁମାର ହାତୀ, ଉତ୍ତମ ପ୍ରଧାନ, ରବୀନ୍ଦ୍ର ଲେଙ୍କା, ବିଜ୍ଞାନ ଦାଶ, ଶ୍ରୀଧର ସାହୁ, ଭଞ୍ଜ କିଶୋର ସାହୁ, ହରିହର ମହାନ୍ତି, ପ୍ରକାଶ ବେହେରା, ମଧୁସୁଦନ ଜେନା, ଦିପ୍ତିରଞ୍ଜନ ସ୍ୱାଇଁ, ସତ୍ୟବାନ ବିଶ୍ୱାଳ, ମନୋରଞ୍ଜନ ପରିଡା ପ୍ରମୁଖ ସଙ୍ଘର କର୍ମକର୍ତ୍ତା ଓ ସଭ୍ୟମାନେ ଯୋଗଦେଇଥିଲେ । ଆସନ୍ତା ୨୮ ଓ ୨୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨ଦିନିଆ ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ସଙ୍ଘ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।