ଅଖ୍ୟାତ କବି କାଳୁଚରଣଙ୍କୁ ବଣମଲ୍ଲୀ ସମ୍ମାନ ଅବସରରେ ଆଲୋଚନାଚକ୍ର

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲା ଗୁଣ୍ଠପଡା ଗ୍ରାମର ଜଣେ ଅଜଣା କବି ପ୍ରତିଭା କାଳୁ ଚରଣ ପ୍ରଧାନଙ୍କୁ ‘ବଣମଲ୍ଲୀ ସମ୍ମାନ – ୨୦୨୧’ ପ୍ରଦାନ ଅବସରରେ ସାହିତ୍ୟର ଗଣତନ୍ତ୍ରୀକରଣ ବିଷୟରେ ଏକ ଆଲୋଚନାଚକ୍ର ଓ୍ୱେବିନାର ମାଧ୍ୟମରେ ମାର୍ଚ୍ଚ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବି କାଳୁ ଚରଣ ପ୍ରଧାନଙ୍କର ଗୋଟିଏ କବିତା ସଂକଳନ ମଧ୍ୟ ‘ସାହିତ୍ୟ ଚର୍ଚ୍ଚା’ ତରଫରୁ ପ୍ରକାଶିତ ତଥା ଉନ୍ମୋଚିତ ହୋଇଥିଲା ଏବଂ ଏଥି ସହିତ କବିଙ୍କୁ ମାନପତ୍ର ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ‘ସକାଳ’ର ସମ୍ପାଦକ ଡ଼. ଉମାକାନ୍ତ ମିଶ୍ର ଓଡ଼ିଶାର ଗାଁ ଗହଳିର ଅଜଣା କାବ୍ୟ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାପାଇଁ ଏଭଳି ଉଦ୍ୟମର ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଆମ ସାହିତ୍ଯ କେବଳ ଆଭିଜାତ୍ୟ ବର୍ଗ ମଧ୍ୟରେ ସୀମିତ ନ ରହୁ। ଏହି ଅବସରରେ ‘ସାହିତ୍ୟର ଗଣତାନ୍ତ୍ରୀକରଣ’ ବିଷୟ ଉପରେ ଆଲୋକପାତ କରି ସ୍ୱନାମଧନ୍ୟ ସାହିତ୍ୟିକ ଦାଶ ବେନହୂର ନିଜର ପ୍ରେରଣାଦାୟକ ବକ୍ତବ୍ୟରେ କହିଲେ ଯେ ଗଣତାନ୍ତ୍ରୀକରଣ ନା ଗଣୀକରଣ ଏହା ଆଲୋଚନାସାପେକ୍ଷ। ସାହିତ୍ୟକୁ ଗଣ ସମୂହକୁ ନେବା ହିଁ ଉଦ୍ଦେଶ୍ୟ। ବାସ୍ତବିକ ଗ୍ରନ୍ଥ ପୁରୁଷ ଗ୍ରନ୍ଥରେ ନୁହେଁ, ବାଣୀରେ, ହୃଦୟରେ, ମେଧାରେ ବାସ କରନ୍ତି। ପ୍ରକାଶନ ସଂସ୍ଥା ସବୁର ୪୫୦ ବର୍ଷର ସଂକ୍ଷିପ୍ତ ଇତିହାସର ଯଥେଷ୍ଟ ପୂର୍ବରୁ ସାହିତ୍ୟ ଗଣ ସମୂହ ଭିତରେ ଥିଲା, ଏବେ ହୁଏତ ସୀମିତ ହେଉଛି। ଏହାକୁ ପୁଣି ଗଣ ଭିତରକୁ ନେବାକୁ ହେବ। ଗଣତନ୍ତ୍ର ହେଉଛି ଅଭିଜାତ ମାନଙ୍କ ଦ୍ୱାରା ସୃଷ୍ଟ। ପ୍ରକୃତରେ ଅଭିଜାତ ହେଉଛନ୍ତି ସେହି ମାନେ ଯିଏ ସମାଜରୁ ଯେତିକି ନିଅନ୍ତି ତାଠାରୁ ଅଧିକ ଦିଅନ୍ତି। ଜଣେ ସାହିତ୍ୟିକଠାରୁ ଅଧିକ ଅଭିଜାତ କିଏ ହେବ! ସେ ସବୁବେଳେ ଦେବାରେ ଆନନ୍ଦ ପାଏ। ନିଏ କମ୍, ଦିଏ ଅଧିକ। ସଭାରେ କବି କାଳୁଚରଣ କହିଥିବା କଥା ମାନଙ୍କ ଭିତରୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଉକ୍ତିଟି ହେଲା “ଗୋଟିଏ ପଟେ ଇତିହାସ ଏବଂ ଅନ୍ୟ ପଟେ କାଳ ଆମକୁ ଅପେକ୍ଷା କରିଛି। ଏଇ ଭିତରେ ଛୋଟ ଜୀବନରେ ଆମେ ଏମିତି କଣ କରିପାରିବା ଯାହା ଆମକୁ ଅନନ୍ୟ କରିବ – ତାହା ହେଲା ଆମେ ସମାଜକୁ ଦେବା। ଯେତିକି ଜାଣିଛି, ଅନୁଭବ କରିଛି ହୁଏତ ସେଥିରୁ କେହି ନା କେହି ଉତ୍ସାହିତ ହେବେ, ଅନୁପ୍ରାଣିତ ହେବେ – ଏଇଆ ଭାବି ଲେଖିଲି। ହେଲେ ଆର୍ଥିକ ଅଭାବ ଯୋଗୁଁ ପ୍ରକାଶିତ କରି ପାରି ନଥିଲି ଯେଉଁ ସ୍ୱପ୍ନଟି ଆଜି ‘ସାହିତ୍ୟଚର୍ଚ୍ଚା’ର ପ୍ରଚେଷ୍ଟା ଫଳରେ ସଫଳ ହୋଇ ପାରିଛି”। ‘ସାହିତ୍ୟ ଚର୍ଚ୍ଚା’ ଇ-ପତ୍ରିକା ପକ୍ଷରୁ ‘ଆମେ ଓଡ଼ିଆ – ଆମ ଓଡିଶା’ ଅନୁଷ୍ଠାନର ସହଯୋଗ କ୍ରମେ ଆୟୋଜିତ ଏହି ସମାରୋହଟିର ପରିଚାଳନା କରିଥିଲେ କାନାଡ଼ା ଦେଶର ପ୍ରବୀଣ ସାହିତ୍ୟିକ ପ୍ରଶାନ୍ତ ଭୂୟାଁ (ପ୍ରଭୂ)। ପ୍ରାରମ୍ଭରେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ‘ଆମେ ଓଡ଼ିଆ – ଆମ ଓଡ଼ିଶା’ର ଉଦ୍ୟୋକ୍ତା ତଥା ଆମେରିକାର ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଧୀରେନ୍ଦ୍ର କର କାର୍ଯ୍ୟକ୍ରମଟିର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ବ୍ରହ୍ମପୁରର ବିଶିଷ୍ଟ ମଂଚ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀଙ୍କ ଦ୍ବାରା କବି କାଳୁଚରଣଙ୍କ ବିଷୟରେ ପ୍ରସ୍ତୁତ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ଉପଲକ୍ଷେ ଓଡ଼ିଆ ସାହିତ୍ୟ ଜଗତର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଶେଷରେ କାଳୁଚରଣଙ୍କର ସୁମଧୁର କାବ୍ୟପାଠ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ