ଅଗ୍ନିକାଣ୍ଡ ଘଟି ୨ବଖରା ଗୁହାଳ ସହ ଗାଇ ମୃତ : ସରକାରୀ ସହାୟତା ପ୍ରଦାନ ଦାବି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବାମରା ଗ୍ରାମରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ୨ବଖରା ଗୁହାଳ ଘର ଭସ୍ମୀଭୂତ ହୋଇଥିବା ବେଳେ ଏକ ଦୁଧିଆଳୀ ଗାଇ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଯେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବାମରା ଗ୍ରାମର ଗୋବର୍ଦ୍ଧନ ଦାସ ଙ୍କ ଗୁହାଳ ଘରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ ହୋଇଥିଲା ବେଳେ ଗୋଟିଏ ଦୁଧିଆଳୀ ଗାଇ ପୋଡି ମୃତ୍ୟୁ ବରଣ କରିଛି। ଖବର ପାଇ କାକଟପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରାଜେଶ କୁମାର ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଗାଈଟିର ପୋଷ୍ଟମର୍ଟମ କରିବା ସହ ଜିଓଟ୍ୟାଗ କରି ଫଟୋଚିତ୍ର ଉତ୍ତୋଳନ କରିଛନ୍ତି। ରାଜ୍ୟ ସରକାରଙ୍କ ରିଲିଫ କୋଡ ଅନୁଯାୟୀ ସରକାରୀ ସହାୟତା ପ୍ରଦାନ କରାଯିବ ଡାକ୍ତର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ମନରେଗା ଯୋଜନାରେ ଗୁହାଳ ଘର ଓ ଦୁଧିଆଳୀ ଗାଇ ମୃତ୍ୟୁ ବାବଦରେ ରିଲିଫ କୋଡ ଅନୁଯାୟୀ ସରକାରୀ ସହାୟତା ପ୍ରଦାନ କରିବା ପାଇଁ କୁରୁଜଙ୍ଗ ସରପଞ୍ଚ ରୂପାଲି କାଣ୍ଡି, ବାମରା ଗ୍ରାମର ଯୁବନେତା ନଟବର ସେନାପତି, ପବିତ୍ର କୁମାର ବିଶ୍ବାଳ ଓ ଗୋପିନାଥ ସ୍ବାଇଁ ପ୍ରମୁଖ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।