ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ସଂଯୁକ୍ତା କିଶାନ୍ ମୋର୍ଚ୍ଚା ତରଫରୁ ପ୍ରତିବାଦ ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଆଜି କୃଷକ ସଙ୍ଗଠନମାନଙ୍କ ମିଳିତ ମଞ୍ଚ, ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ଆହୂତ ସର୍ବ ଭାରତୀୟ ପ୍ରତିବାଦ ଦିବସ ଆଜି ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ବ୍ୟାନର ତଳେ ଶତାଧିକ କୃଷକ ଏକ ଶୋଭାଯାତ୍ରାରେ କଲେଜ ଛକ ପର୍ଯ୍ୟନ୍ତ ଯାଇ ସେଠାରେ କେନ୍ଦ୍ରର ମୋଦି ସରକାରର ପ୍ରତାରଣାପୂର୍ଣ୍ଣ ଅଗ୍ନିପଥ ଯୋଜନାର ପ୍ରତିବାଦ କରିଥିଲେ । ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା, ଦେଶର ସୁରକ୍ଷା ସହିତ ଖେଳିବା ବନ୍ଦ କରିବା, ଦେଶର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଠିକା ଓ ଅସ୍ଥାୟୀ ନିଯୁକ୍ତି ଦେବା ବନ୍ଦ କରିବା ଆଦି ଦାବି କରାଯାଇଥିଲା । ବାର୍ଷିକ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଗତ ଆଠ ବର୍ଷ ମଧ୍ୟରେ ଦେଶର ଯୁବ ସମାଜକୁ ପ୍ରତାରିତ କରିଛନ୍ତି ବୋଲି ବକ୍ତାମାନେ କହିଥିଲେ । ସରକାର ଅଗ୍ନିପଥ ନାମରେ ଯୁବକମାନଙ୍କୁ ପ୍ରତାରିତ ନକରି ବର୍ତ୍ତମାନ ଖାଲି ପଡିଥିବା କୋଟିଏରୁ ଅଧିକ ସରକାରୀ ପଦବୀକୁ ପୂରଣ କରିବାକୁ ବକ୍ତାମାନେ ଦାବି କରିଥିଲେ ।    ଆଜିର ପ୍ରତିବାଦରେ ଅଖିଳ ଭାରତ କିଶାନ୍ ମଜଦୁର ସଭା (AIKMS)ର ଜିଲ୍ଲା ସମ୍ପାଦକ  କେଦାର ଶବର, ଜିଲ୍ଲା କମିଟି ସଭ୍ୟ କାରୁଗା ଶବର, ରଈତ କୁଲି ରଈତ ସଂଘର ଜିଲ୍ଲା ସମ୍ପାଦକ ରକମ୍ ଲୋକନାଧାମ୍, ଓଡ଼ିଆ କୃଷକ ସଭାର ଦଣ୍ଡପାଣି ରଇତ, ବିକେଏମୟୁ ନେତା ସୁବାଷ ଚନ୍ଦ୍ର ଜେନାଙ୍କ ସମେତ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ