ହଷ୍ଟେଲ ଛାତରୁ ପଡି ଛାତ୍ର ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଠାରେ ଥିବା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା ଯୋଗୁଁ ହଷ୍ଟେଲ ଛାତ ଉପରୁ ପଡି ଦଶମ ଶ୍ରେଣୀର ଜଣେ ଛାତ୍ର ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସୂଚନା ମିଳିଛି. ହଷ୍ଟେଲରେ ୱାଡେନ୍ କିମ୍ବା ସୁରକ୍ଷା କର୍ମଚାରୀ ନିଯୁକ୍ତି ରହିବା ବାଧ୍ୟତାମୂଳକ ଅଟେ. ହେଲେ ଏହି ହଷ୍ଟେଲରେ କେହି ଦାୟିତ୍ୱରେ ନଥିବା ଦୁଃଖ ଓ ପରିତାପର ବିଷୟ ଅଟେ. ହଷ୍ଟେଲ ପ୍ରତି କାହାରି କର୍ତ୍ତୃତ୍ଵ ନ ଥୁବାରୁ ଗତ ମଙ୍ଗଳବାର ଭୋର ସମୟରେ ଜଣେ ଛାତ୍ର ହଷ୍ଟେଲ ଛାତରୁ ପଡି ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଗୁରାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେଠାରୁ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କ ମା’ବାପା ତାଙ୍କୁ ଚିକିତ୍ସା ପାଇଁ ଆନ୍ଧ୍ରର ଶ୍ରୀକାକୁଲମର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ. ତେବେ ସେଠାରେ ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିବା ଜଣାପଡିଛି। ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ଗୋଷାଣୀ ବିଡ଼ିଓ ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଛାତ୍ର ଜଣକ ହଷ୍ଟେଲରୁ କୌଣସି କାରଣରୁ ତଳେ ପଡି ଆହତ ହୋଇ ପ୍ରଥମେ ଗୁରାଣ୍ଡି ଡାକ୍ତରଖାନା ପରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା. ପରେ ଛାତ୍ରଙ୍କ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରର ଘରୋଇ ଡାକ୍ତରଖାନାକୁ ନେଇଥିଲେ. ହେଲେ ସେମାନଙ୍କ ଠାରେ ଥିବା ସମସ୍ତ ଟଙ୍କା ଚିକିତ୍ସା ବେଳେ ସରିଯିବା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିବା ଛାତ୍ରକୁ ଧରି ସେମାନଙ୍କ ଘରକୁ ଫେରିଥିଲେ. ବର୍ତ୍ତମାନ ପୁଣି ସେହି ଛାତ୍ରଙ୍କୁ ଉଚ୍ଚ ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନାକୁ ନିଆ ଯାଉଥିବା ଖବର ପାଇ ଥିବା ବିଡ଼ିଓ କହିଛନ୍ତି. ହେଲେ ଏଠାରେ ପ୍ରଶ୍ନ ଉଠିଛି ଛାତ୍ର ଜଣକ କିପରି ଓ କାହିଁକି ଛାତ ଉପରୁ ପଡିଲେ. ଛାତରୁ ପଡି ଗୁରୁତର ହେବା ପରେ ମଧ୍ୟ ହଷ୍ଟେଲ ତରଫରୁ କେହି ଆସି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଖବର ଦେଇ ଚୁପ ହୋଇ ରହିବା କେତେଦୂର ଠିକ ଅଛି……? ଏହି ହଷ୍ଟେଲ ଦାୟିତ୍ୱରେ ଗୋଷାଣୀ ବ୍ଲକ ବିଇଓ ରହିଛନ୍ତି. ତଥାପି ଏଭଳି ଦାୟିତ୍ୱହୀନତା କାହିଁକି ବୋଲି ସାଧାରଣରେ ପ୍ରଶ୍ନ କରାଯିବ ସହ ଏହାର ତଦନ୍ତ ପାଇଁ ଦାବି ହୋଇଛି.


