ଅଙ୍ଗନବାଡି କର୍ମୀଙ୍କୁ କୁଲାଡ଼ ସରପଞ୍ଚଙ୍କ ଅସଦାଚାରଣ ଅଭିଯୋଗ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କରୋନା ଭଳି ମହାମାରୀ ସମୟରେ କରୋନା ଯୋଦ୍ଧା ଭାବେ ପରିଚିତ ଅଙ୍ଗନବାଡି କର୍ମୀମାନେ ନିଜର ସ୍ୱାର୍ଥକୁ ଭୂଲି ଗାଁ କୁ ଗାଁ ଯାଇ ଘର ଘର ବୁଲି ଲୋକମାନଙ୍କୁ କରୋନା କବଳରୁ ରକ୍ଷାକରିବା ପାଇଁ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଥିବାବେଳେ,ସେମାନଙ୍କୁ ଅସଦାଚାରଣ କରାଯାଇଥିବା ଅଭିଯୋଗ ହୋଇଛି | ଗତକାଲି ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତରେ ଆଣ୍ଟିଜେନ ଟେଷ୍ଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ସେହି କାର୍ଯ୍ୟକ୍ରମରେ ଭାଗନେବାପାଇଁ କିଛି ଅଙ୍ଗନବାଡି କର୍ମୀ ଯାଇଥିଲେ,କିନ୍ତୁ ସେଠାରେ ଆଣ୍ଟିଜେନ ଟେଷ୍ଟ ପାଇଁ କମ ସଂଖ୍ୟକ ଲୋକ ଆସିଥିଲେ ସେଥିପାଇଁ ସେହି ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଆଣ୍ଟିଜେନ ଟେଷ୍ଟ କରିବାପାଇଁ ଗୋଟିଏ ଗୋଟିଏ ଅଙ୍ଗନବାଡି କର୍ମୀକୁ ୧୦ ଜଣ ଲେଖାଏଁ ଲୋକ ଯୋଗାଡ଼ କରିବାକୁ ଆଦେଶ ଦେଇଥିଲେ | କିନ୍ତୁ ଅଙ୍ଗନବାଡି କର୍ମୀ ମାନେ ସରପଞ୍ଚଙ୍କ ଆଦେଶକୁ ନ ମାନିବାରୁ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସେମାନଙ୍କୁ ବିଭିନ୍ନ ପ୍ରକାର ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ,ସରପଞ୍ଚ ନିଜର ହିତାହିତ ଜ୍ଞାନକୁ ଭୂଲିଯାଇ ସେ ପାଇଥିବା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ନେଇ ଅଙ୍ଗନବାଡି କର୍ମୀମାନେ ଗତକାଲି ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ,କିନ୍ତୁ ଉପଜିଲ୍ଲାପାଳ ସେହି ସମୟରେ ଅନୁପସ୍ଥିତ ଥିବାରୁ ସେମାନେ ଭଞ୍ଜନଗର ଉପଖଣ୍ଡ ଶିଶୁ ବିକାଶ ମଙ୍ଗଳ ଅଧିକାରୀ ( ସି. ଡି. ପି. ଓ ) ଙ୍କୁ ଅଭିଯୋଗ କରିଛନ୍ତି | କିନ୍ତୁ ସରପଞ୍ଚ ଶ୍ରୀ ପାଣିଗ୍ରାହୀ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ ଏହାର ତଦନ୍ତ ଦାବି କରିଛନ୍ତି |