ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୮ ସହାୟକ ପୁଲିଂ ବୁଥ୍ ସ୍ଥାପନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଭାରତର ନିର୍ବାଚନ କମିଶନ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୪୮ଟି ସହାୟକ ପୁଲିଂ ବୁଥ୍ ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ଆସନ୍ତା ଉପ-ନିର୍ବାଚନ ଏବଂ କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ତରଫରୁ ସହାୟକ ବୁଥ୍ ସ୍ଥାପନ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ମଞ୍ଜୁର କରିଛନ୍ତି । ୧ହଜାରରୁ ଅଧିକ ଭୋଟର ଥିବା ପୁଲିଂ ବୁଥ୍ର ଭୋଟରମାନେ ଭାଗ ଭାଗ ହୋଇ ମୁଖ୍ୟ ବୁଥ୍ ଏବଂ ସହାୟକ ବୁଥ୍ ଜରିଆରେ ଉପ-ନିର୍ବାଚନରେ ସେମାନଙ୍କର ମତଦାନ କରିପାରିବେ । କୋଭିଡ-୧୯ ନିୟମାବଳୀକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର କେତେକ ପୁଲିଂ ବୁଥ୍ ପରିବର୍ତନ ପାଇଁ ମଧ୍ୟ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ୯୦-ବାହାବଳପୁର ପୁଲିଂ ବୁଥ୍ ଯାହା ବାହାବଳପୁର ପ୍ରାଇମେରୀ ସ୍କୁଲ(ପଶ୍ଚିମ)ରେ ଥିଲା ତାହାକୁ ରଙ୍ଗାମାଟିଆ ଏମ.ଇ.ସ୍କୁଲ, ବାହାବଳପୁରକୁ ସ୍ଥାନାନ୍ତର କରାଯାଇଛି । ୯୧-ବାହାବଳପୁର ପୁଲିଂ ବୁଥ୍ ଯାହା ବାହାବଳପୁର ପ୍ରାଇମେରୀ ସ୍କୁଲ(ପଶ୍ଚିମ)ରେ ଥିଲା ତାହାକୁ କରଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ,ବାହାବଳପୁରକୁ ସ୍ଥାନାନ୍ତର କରାଯାଇଛି । ୧୯୧-କାୟାକଦଳା ପୁଲିଂ ବୁଥ୍ ଯାହା କାୟାକଦଳା ପ୍ରାଥମିକ ସ୍କୁଲରେ ଥିଲା ତାହାକୁ କାୟାକଦଳା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ରିଟର୍ଣ୍ଣିଂ ଅଫିସରଙ୍କ ହ୍ୟାଣ୍ଡବୁକରେ ଥିବା ପ୍ରକ୍ରିୟା ଓ ନିର୍ଦ୍ଦେଶନାମା ଅନୁଯାୟୀ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏ ବିଷୟରେ ସମସ୍ତ ରାଜନୈତିକ ଦଳ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ଜଣାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମତଦାତାମାନଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି ।


