ଅଙ୍ଗଭଙ୍ଗୀ ଦ୍ୱାରା ଶିଶୁମାନେ କଷ୍ଟ ଜଣାଇଥାନ୍ତି
ଆପଣ ଯଦି ଭାବୁଥାନ୍ତି, ଶିଶୁମାନେ କେବଳ କାନ୍ଦିକାନ୍ଦି ସେମାନଙ୍କ କଷ୍ଟ ଜଣାଇଥାନ୍ତି, ତେବେ ଆପଣଙ୍କ ଅନୁମାନ ଭୁଲ ପ୍ରମାଣିତ ହେବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସେମାନେ ଅଙ୍ଗଭଙ୍ଗୀ ତଥା ମୁହଁ ହଲାରେ ସେମାନଙ୍କ କଷ୍ଟ ଜଣାଇଥାନ୍ତି । ବ୍ରିଟେନର ଗବେଷକମାନଙ୍କ ମତରେ ଶିଶୁମାନେ କାନ୍ଦିପାରନ୍ତି ବା ନ କାନ୍ଦିପାରନ୍ତି, କିନ୍ତୁ ସେମାନେ ଗୋଡହାତ, ମୁଣ୍ଡ ଓ ପିଠି ହଲାଇବା ସହ କେତେ ପରିମାଣରେ ମୁହଁ ହଲାଇ ମଧ୍ୟ ସେମାନଙ୍କ କଷ୍ଟ ଜଣାଇବାରେ ସକ୍ଷମ ହୁଅନ୍ତି । ଗବେଷକଙ୍କ ମତରେ, ଏହି ଗବେଷଣା କେବଳ ଯେ ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବ ତାହା ନୁହେଁ ବରଂ ପିତାମାତାମାନଙ୍କୁ ଶିଶୁଟିର ଦୁଃଖ ଜଣାଇବାରେ ସହାୟକ ହେବ । ଏହି ଅଧ୍ୟୟନଟି ସାମାନ୍ୟ ମନେ ହେଉଥିଲେ ହେଁ ଏହା ଡାକ୍ତରମାନଙ୍କ ପାଇଁ ଏକ ଉପଯୋଗୀ ତଥ୍ୟ ବୋଲି ଧରି ନିଆଯିବ । ସମୟେ ସମୟେ ଶିଶୁମାନେ ଭଲ ଦେଖାଯାଉଥିଲେ ବି ମାନସିକ ସ୍ତରରେ କଷ୍ଟ ମଧ୍ୟ ଅନୁଭବ କରୁଥିବାର ଦେଖାଯାଇଥାଏ ।
ଶିଶୁମାନଙ୍କ ମାନସିକ ସ୍ତରରେ ହେଉଥିବା କଷ୍ଟକୁ ଏହି ଅଧ୍ୟୟନ ଜରିଆରେ ମାପିବା ଅତ୍ୟନ୍ତ କଷ୍ଟକର । ଡକଫର ସ୍ଲାଟର ଓ ଲଣ୍ଡନ ୟୁନିଭରସିଟି କଲେଜରେ କେତେ ଜଣ ଗବେଷକ ୧୨ ଜଣ ଶିଶୁଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଏପରି ମନ୍ତବ୍ୟ ଦେଇଛନ୍ତି । ଏହି ଶିଶୁମାନଙ୍କ ମଧ୍ୟରୁ କେତେଜଣ ସଅଳ ଜନ୍ମ ହୋଇପଡିଥିଲେ । ଗବେଷକମାନେ କହିଛନ୍ତି ଯେ, ଆଖି ମିଟିମିଟି କରିବା ସହ ଶିଶୁମାନେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ସେମାନଙ୍କ କଷ୍ଟ ଜଣାଇବା ସମ୍ପର୍କରେ ସମସ୍ତେ ବେଶ୍ ଅବଗତ ହେବା ଉଚିତ । କେତେକ ଶିଶୁ ମୁହଁର ଭଙ୍ଗୀ ଦ୍ୱାରା କଷ୍ଟ ଜଣାଇଥିଲାବେଳେ ସମୟେ ସମୟେ ଅଙ୍ଗଭଙ୍ଗୀ ପ୍ରଦର୍ଶନୀ ଦ୍ୱାରା ମଧ୍ୟ କିଛି ଜଣାଇପାରନ୍ତି ନାହିଁ ବୋଲି ଡାକ୍ତରମାନେ ଭାବିଥାନ୍ତି । କେବଳ ଶିଶୁମାନେ କାନ୍ଦିଲେ ସେମାନଙ୍କ କଷ୍ଟ ହେଉଛି ବୋଲି ଭାବିବା ଭୁଲ । ପରନ୍ତୁ ଅତ୍ୟଧିକ ଥଣ୍ଡା, ଭୋକ, ମାନସିକ ଯନ୍ତ୍ରଣା ହେଲେ ସେମାନେ କାନ୍ଦିଥାନ୍ତି । ସେ ଆହୁରି ମଧ୍ୟ କହନ୍ତି ଯେ ଏପରି କି କଷ୍ଟ ହେଉଥିଲେ ବି କେତେକ ପିଲା ମଧ୍ୟ କାନ୍ଦି ନଥାନ୍ତି ।


