ପଥରର ଅଦ୍ଭୁତ ଶକ୍ତି

ମଧ୍ୟପ୍ରଦେଶର ଦିଣ୍ଡୋରୀ ଜିଲ୍ଲାରେ ପ୍ରାଚୀନ ଚାରୁକଳା ସମ୍ପନ୍ନ ଶିବ ମନ୍ଦିରଟିଏ ଅଛି ଯାହାକୁ ସମସ୍ତେ ଋଣ ମୁକ୍ତେଶ୍ୱର ନାମରେ ଜାଣନ୍ତି । ଏହି ମନ୍ଦିରଟି କୁକରାମଠ ନାମରେ ବି ଜଣାଶୁଣା । ମନ୍ଦିରଟି ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ଦ୍ୱାରା ସଂରକ୍ଷିତ ହୋଇ ରହିଛି । କୁହାଯାଏ ଯେ ଏହି ମନ୍ଦିର ସ୍ଥିତ ପ୍ରତିମା ନିର୍ମିତ ପଥରରେ ଅଦ୍ଭୁତ ଶକ୍ତି ଅଛି । ଯଦି କାହାକୁ କୁକୁର କାମୁଡ଼େ, ଉକ୍ତ ପ୍ରତିମା ନିର୍ମିତ ପଥରକୁ ଘଷି ପିଆଇଲେ କୁକୁର ବିଷ ନାଶ ହୁଏ । ମନ୍ଦିର ସ୍ତମ୍ଭରେ ମୂର୍ତ୍ତିମାନ ଶୋଭା ପାଉଥିବାବେଳେ ସ୍ତମ୍ଭ ଶିରରେ ଦୁଇ ଘୋଡ଼ା ସବାରୀଙ୍କ ରେଖାଙ୍କନ କରାଯାଇଛି । ଏହି ମୂର୍ତ୍ତିର ଦୁଇ କଡ଼ରେ ବାଘ ଆକୃତିମାନ ଅଙ୍କା ଯାଇଛି । କୁକୁରାମଠ ନାମକରଣ ପଛରେ କୁକୁର ସମ୍ପର୍କିତ କାହାଣୀଟିଏ ଅଛି । ଥରେ ଗୋଟିଏ ଯାଯାବରକୁ ଟଙ୍କାର ଆବଶ୍ୟକତା ପଡ଼ିଲା । ଟଙ୍କା ବଦଳରେ ନିଜର କୁକୁରଟିକୁ ସାହୁକାର ପାଖରେ ବନ୍ଧା ରଖିଲା । କିଛି ସମୟ ପରେ ସାହୁକାର ଘରେ ଚୋରମାନେ ପଶିଲେ । କୁକୁର ସବୁ କିଛି ଦେଖୁଥିଲା । ଚୋରମାନେ ଚୋରାମାଲ ଧରି ନିରବରେ ଚାଲିଗଲେ । କୁକୁରଟି ମଧ୍ୟ ସେମାନଙ୍କ ପଛେ ପଛେ ନିରବରେ ଚାଲିବାକୁ ଲାଗିଲା । ଚୋରମାନେ ଗୋଟିଏ ପୋଖରୀରେ ଚୋରାମାଲ ଲୁଚାଇ ଚୁପଚାପ ଚାଲିଗଲେ । କୁକୁର ବି ଚୁପଚାପ ସାହୁକାର ଘରକୁ ଚାଲିଗଲା । ସକାଳେ ସାହୁକାର ନିଦରୁ ଉଠି ଜାଣିବାକୁ ପାଇଲା ଯେ ଚୋରମାନେ ସବୁ କିଛି ଲୁଟି ନେଇଛନ୍ତି । କୁକୁର ସାହୁକାର ନିକଟରେ ପହଞ୍ଚି ଜୋର୍‌ରେ ଭୋକିବା ସହ ତାଙ୍କ ଧୋତିକୁ ଦାନ୍ତରେ ଟାଣି ପୋଖରୀ ଆଡ଼କୁ ନେଇଗଲା । ପୋଖରୀରେ ପଶି ଚୋରାମାଲ ଆଣି ସମସ୍ତଙ୍କ ସାମନାରେ ରଖିଦେଲା । ସାହୁକାର ଖୁସି ହୋଇ କୁକୁରକୁ ଋଣମୁକ୍ତ କରିବା ପାଇଁ ଚିନ୍ତା କଲା । ସେ ଚିଠିଟିଏ ଲେଖି କୁକୁର ବେକରେ ବାନ୍ଧି ଛାଡ଼ିଦେଲା । କୁକୁରଟିର ପୁରୁଣା ମାଲିକ ତାକୁ ଋଣ ମୁକ୍ତ କରିବାକୁ ଆସୁଥିଲା । ବାଟରେ କୁକୁରକୁ ଦେଖି ଭାବିଲା ବୋଧେ ସାହୁକାର ଘରୁ ସେ ଖସିଆସିଛି । ସେ ରାଗରେ ନିଆଁବାଣ ହୋଇ କୁକୁରଟିକୁ ପିଟିବାକୁ ଲାଗିଲା । ମାଲିକ ମାଡ଼ରେ କୁକୁରଟି ମରିଗଲା । ତା’ ବେକରେ ଲଟକି ଥିବା ଚିଠି ଉପରେ ମାଲିକର ନଜର ପଡ଼ିଲା । ସେ ଚିଠିଟିକୁ ଆଣି ପଢ଼ିଲା, ସବୁ ଜଣାପଡ଼ିବା ପରେ କୁକୁର ସ୍ମୃତିରେ ସେଠାରେ ମଠଟିଏ ନିର୍ମାଣ କରାଗଲା । ମଠଟିର ନାମକରଣ କୁକୁରାମଠ ହେଲା । ଋଣ ମୁକ୍ତେଶ୍ୱର ମନ୍ଦିର ଉପରେ ଶ୍ରଦ୍ଧାଳୁଙ୍କ ଗଭୀର ଆସ୍ଥା ରହିଛି । ଶିବରାତ୍ରୀ ଦିନ ସେଠାରେ ବଡ଼ ମେଳାର ଆୟୋଜନ କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ