ଅଜଣା ଗାଡି ଧକ୍କାରେ ଦୁଇ ଭଉଣୀ ଗୁରୁତର; ପ୍ରତିବାଦରେ ଖଣି ଗେଟ୍ ବନ୍ଦ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ତଥା ଯୋଡା ପୌରପାଳିକାର ୧୪ ନଂ ୱାର୍ଡରେ ଥିବା ବିଛାକୁଣ୍ଡିଠାରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଭଉଣୀ ଗୁରୁତର ହୋଇପଡିଥିଲେ । ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ଦୁଇ ଭଉଣୀ ବିଉଟି ନାଏକ, ସୁଇଟି ନାଏକ ଏକ ସ୍କୁଟି ନଂ- ଜେଏଚ୍ ୦୫ ଏଏନ ୯୪୨୧ ରେ ଦୀପାବଳି ପାଇଁ ଜିନିଷ କିଣି ଯୋଡା ବଜାରରୁ ବିଛାକୁଣ୍ଡି ଯିବାବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଦୁଇ ଭଉଣୀ ଗୁରୁତର ଆହତ ହେବା ଫଳରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ସହିତ ସ୍କୁଟିରେ ବସିଥିବା ଦୁଇଜଣ ଶିଶୁ ଖଣ୍ଡିଆ ଖାବରା ହୋଇଛନ୍ତି । ଗତ ଶୁକ୍ରବାରରୁ ଏହି ଘଟଣା ଘଟିଥିଲେ ହେଁ ଯୋଡା ପୋଲିସ ଏ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡିର ଟେର୍ ପାଇନାହିଁ । ତେଣେ ବିଛାକୁଣ୍ଡିରେ ଥିବା ଏକ ଖଣିର ମୁଖ୍ୟ ଫାଟକରେ ସିସିଟିଭି ଲାଗିଥିଲେ ହେଁ, ପୋଲିସ କାହିଁକି ଏପର୍ଯ୍ୟନ୍ତ ଅନୁସନ୍ଧାନରେ ବିଳମ୍ବ କରୁଛି । ଏହାର ପ୍ରତିବାଦରେ ରବିବାର ପୂର୍ବାହ୍ନ ୯ ଟାରେ ବିଛାକୁଣ୍ଡି ଅଂଚଳବାସୀ ଫାଟକ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ସେମାନଙ୍କୁ ପ୍ରତିଶ୍ରୁତି ଦେବାପରେ ସେମାନେ ଧାରଣାରୁ ଓହରିଥିଲେ । ଧାରଣାକାରୀ ସବିତା ପ୍ରଧାନ, ବଳରାମ ପାତ୍ର, ପଦ୍ମଲୋଚନ ପ୍ରଧାନ, ଲକ୍ଷୀ୍ମନାଗ ପ୍ରମୁଖ ତାଙ୍କ ଅଭିଯୋଗ ରେ କହିଛନ୍ତି ଯେ, ଶ୍ରୀମେଟାଲିକ୍ସ, ଟାଟାଷ୍ଟିଲ୍, ଖଣ୍ଡବନ୍ଧ ଖଣିର ଯାନବାହନ ଗୁଡିକ ଏହି ରାସ୍ତା ଦେଇ ବେପରୁଆ ଦ୍ରୁତ ଗତିରେ ଯା ଆସ କରୁଛନ୍ତି । ଫଳରେ ଦୁର୍ଘଟଣା ବଢୁଛି । ପୋଲିସ ଏଥିପ୍ରତି କୌଣସି ଅଂକୁଶ ଲଗାଇପାରୁନାହିଁ ।