ଅଜିତଙ୍କ ବିଦ୍ରୋହ ପଛରେ ମୋ ହାତ ନାହିଁ : ଶରତ ପାୱାର
ପୁନେ : ଏନ୍ସିପିି ସୁପ୍ରିମୋ ଶରଦ ପାୱାର ପୁଣିଥରେ ସ୍ପଷ୍ଟ କରି କହିଛନ୍ତି ଯେ, ବିଜେପି ସହ ମେଣ୍ଟ ନିଷ୍ପତ୍ତି ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଅଜିତ ପାୱାରଙ୍କ ବିଦ୍ରୋହ ପଛରେ ତାଙ୍କର ହାତ ନାହିଁ । ପଡ଼ୋଶୀ ରାଜ୍ୟ ସତରାର କରଡ୍ ସହରରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ଶରଦ ପାୱାର ଏକଥା କହିଛନ୍ତି । ମାତ୍ର ଏନ୍ସିପି ନେତା ଅଜିତ ପାୱାର ଯେଉଁଭଳି ତାଙ୍କ ନିଜ ଦଳର ନିଷ୍ପତ୍ତି ବିରୋଧରେ ଯାଇ ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ କରିଛନ୍ତି ସେ ବିଷୟରେ ଏନ୍ସିପିି ସୁପ୍ରିମୋ ଶରଦ ପାୱାର ପୂର୍ବରୁ ଜାଣିଥିଲେ ବୋଲି ଚର୍ଚ୍ଚା ହେଉଛି । ଅଜିତଙ୍କ ବିଦ୍ରୋହ ପଛରେ ଶରଦଙ୍କ ହାତ ଅଛି ବୋଲି କୁହାଯାଉଛି । ଶରଦ ପାୱାର କହିଛନ୍ତି, ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ ତାଙ୍କର କିଛି ଯୋଗାଯୋଗ ନାହିଁ । ତେବେ ଏନ୍ସିପିରୁ ଅଜିତଙ୍କୁ ବହିଷ୍କାର କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ଶରଦ ପାୱାର କହିଛନ୍ତି , ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦଳୀୟ ସ୍ତରରେ ନିଆଯିବ । ୫୦ ବର୍ଷର କ୍ୟାରିୟର ମଧ୍ୟରେ ଅନେକ ପରିସ୍ଥିତି ସାମ୍ନା କରିଛି । କଷ୍ଟଦାୟକ ପରିସ୍ଥିତିଗୁଡ଼ିକ ସବୁବେଳେ ଅସ୍ଥାୟୀ । ତେଣୁ ଏଭଳି କଷ୍ଟଦାୟକ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ ।


