ଅଟଳ ଓ ଓଡ଼ିଶା

ଭାରତରତ୍ନ ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଚଳିତ ବର୍ଷ ଆମେ ପାଳନ କରୁଛୁ l ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଦିନ ମଧ୍ୟପ୍ରଦେଶର ଗ୍ଵାଲିୟର ଠାରେ ଜନ୍ମିତ ଅଟଳ ତାଙ୍କ କବିତାର ପଂକ୍ତି, ବାଗ୍ମୀତା, ଧୂରୀଣ ରାଜନୀତି ତଥା ବିକଶିତ ଭାରତର ଭିତ୍ତିଭୂମି ସ୍ଥାପନ ଦିଗରେ କରିଥିବା ଉଦ୍ୟମ ନିମନ୍ତେ ଆଜିବି ପ୍ରତିଟି ଭାରତୀୟଙ୍କ ପାଇଁ ଆଦର୍ଶ ପୁରୁଷ ଭାବେ ପରିଚିତ l ବିଶ୍ୱର ଅଦ୍ୱିତୀୟ ନେତା ଭାବେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଭାବ ଯୁଗ ଯୁଗ ଧରି ଅକ୍ଷୁର୍ଣ୍ଣ ରହିବ l ମେଣ୍ଟ ସରକାରକୁ ପରିଚାଳନା ହେଉ ଅବା ଜାତିସଂଘରେ ହିନ୍ଦୀରେ ଭାଷଣ ଦେବା, ସର୍ବ ଶିକ୍ଷା ଅଭିଯାନ ଦ୍ଵାରା ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଠୁ ନେଇ ମିଶନ ଶକ୍ତିକୁ ନୂତନ ଦିଗ୍ ଦର୍ଶନ ଦ୍ଵାରା ମହିଳା ସଶକ୍ତିକରଣ, ସ୍ଵର୍ଣ୍ଣ ଚତୁର୍ଭୁଜ ଠୁ ସୀମା ସୁରକ୍ଷା, ପୋଖରାନରେ ପରମାଣୁ ପରୀକ୍ଷଣ ଠୁ ଲାହୋର ବସ୍ ଯାତ୍ରା ଯାଏଁ ଅନେକ କିଛି ଜୀବନ୍ତ ମାର୍ଗ ଦର୍ଶନ ସେ ଆମ ଆଗରେ ଛାଡ଼ି ଦେଇଛନ୍ତି lବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଆମ ରାଜ୍ଯ ଓଡ଼ିଶା ସହ ତାଙ୍କର ସମ୍ପର୍କ ବେଶ୍ ନିବିଡ଼ ଥିଲା l ୧୯୯୯ ମସିହାରେ ଘଟିଥିବା ମହାବାତ୍ୟା ଯୋଗୁଁ ସମଗ୍ର ରାଜ୍ୟରେ ହା ହା କାର ପଡିଥିବା ବେଳେ, ଖୋଦ୍ ପ୍ରଧାନମନ୍ତ୍ରୀ ବାଜପେୟୀ ବାତ୍ୟା ବିଭୀଷିକା ଭୋଗିଥିବା ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଭେଟି କ୍ଷୟକ୍ଷତିର ଆକଳନ ପୂର୍ବକ ୨୫୦କୋଟି ଟଙ୍କାର ସହାୟତା ପ୍ରଦାନ କରିବା ସହ ଓଡ଼ିଶାର ପୁନଃ ନିର୍ମାଣ ପାଇଁ ତାଙ୍କ ସରକାରଙ୍କ ପକ୍ଷରୁ ଅର୍ଥ ର କୌଣସି ଅଭାବ ରହିବ ନାହିଁ ବୋଲି ମତ ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ମଧ୍ଯ ପ୍ରତିଫଳିତ ହୋଇଥିଲା l
ଜନତା ପାର୍ଟି ସମୟରୁ ଅଟଳଙ୍କ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ବେଶ୍ ଘନିଷ୍ଠ ସମ୍ପର୍କ ଥିଲା l ତେଣୁ ବିଜୁଙ୍କ ଦେହାନ୍ତ ପରେ ତାଙ୍କ ନାମରେ ବିଜୁ ଜନତା ଦଳ ଗଠନର ପ୍ରସ୍ତାବ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନଙ୍କ ଦ୍ଵାରା ଆର୍ଥିକ ସହାୟତା ପ୍ରଦାନ କରି ଦଳ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ଏଥି ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଭୟ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡ଼ଭାନୀ ଭିନ୍ନ ଭିନ୍ନ ସମୟରେ ମତ ଦେବା ସହ ସହଯୋଗ କରିଥିଲେ l ଏହା ପୂର୍ବରୁ ବିଜୁ ବାବୁଙ୍କ ନିଧନ ପରେ ଆସ୍କା ସଂସଦୀୟ କ୍ଷେତ୍ରରୁ ଜିତି ଥିବା ନବୀନ ପଟ୍ଟନାୟକଙ୍କୁ ବାଜପେୟୀ ତାଙ୍କ କ୍ୟାବିନେଟରେ ଖଣି ମନ୍ତ୍ରୀ ରୂପେ ଦାୟିତ୍ଵ ଦେଇଥିଲେ l ସେହିପରି ପ୍ରଥମ ଥର ପାଇଁ ଜନଜାତି ବର୍ଗର ଉନ୍ନତି ଲକ୍ଷ୍ୟ ନେଇ ଜନଜାତି ବ୍ୟାପାର ମନ୍ତ୍ରାଳୟ ଗଠନ କରି ଜୁଏଲ୍ ଓରାମଙ୍କୁ ମନ୍ତ୍ରୀ କରିଥିଲେ ଅଟଳ l ଅନ୍ୟ ମାନଙ୍କ ମଧ୍ୟରେ ଦେବେନ୍ଦ୍ର ପ୍ରଧାନ, ଦିଲ୍ଲୀପ ରାୟ, ଅର୍ଜୁନ ସେଠୀ ଓ ବ୍ରଜ କିଶୋର ତ୍ରିପାଠୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଓଡ଼ିଶାକୁ ଦିଲ୍ଲୀ ରାଜନୀତିରେ ଗୁରୁତ୍ଵ ଦେଇଥିଲେ l୨୫ମଇ ୨୦୦୦ ମସିହାରେ ପାରାଦ୍ଵୀପ ଠାରେ ଥିବା ତୈଳ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ଅଟଳ ବିହାରୀ ବାଜପେୟୀ ଶୁଭାରମ୍ଭ କରିଥିବା ବେଳେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ବିଶ୍ଵ ସ୍ତରୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନକୁ ୧୫ଜୁଲାଇ ୨୦୦୨ ମସିହାରେ ଭୁବନେଶ୍ବର ସ୍ଥିତ ସିଜୁଆ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ସ୍ଵର୍ଣ୍ଣ ଚତୁର୍ଭୁଜ ଯୋଜନା ଅଧିନସ୍ଥ ଦେଶର ଚାରୋଟି ମହାନଗର ଯୋଡ଼ିବା ଯୋଗୁଁ ଓଡ଼ିଶାର ପ୍ରଗତି ଆହୁରି ତୀବ୍ରତର ହୋଇଥିଲା l ସେହିପରି ପୂର୍ବତଟ ରେଳବାଇ ପ୍ରତିଷ୍ଠା ଦିଗରେ ତାଙ୍କର ଭୂମିକା ଅବିସ୍ମରଣୀୟ ହୋଇ ରହିବ l
ବାଜପେୟୀ ଅନେକ ସମୟରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ଦର୍ଶନ କରିବା ସହ ଅବଢ଼ା ମହାପ୍ରସାଦ ସେବନ କରିଛନ୍ତି l ଯାହାକି ତାଙ୍କର ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତିର ଜ୍ୱଳନ୍ତ ଉଦାହରଣ l ଏକଦା ସମ୍ପୂର୍ଣ୍ଣ ପ୍ରୋଟୋକଲ ଭାଙ୍ଗି ରାସ୍ତାରେ ଓଲହେଇ ବଡଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିଲେ l ଯାହାକି ଉପସ୍ଥିତ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥିଲା l ସେହିପରି କୋଣାର୍କ ଗସ୍ତ ସମୟରେ ସୂର୍ଯ୍ୟ ମନ୍ଦିରର ଦର୍ଶନ କରିବା ସହ ଚନ୍ଦ୍ରଭାଗା କୂଳରେ ଧ୍ୟାନ କରିବା ତାଙ୍କର ଓଡ଼ିଶା ମାଟି ପ୍ରତି ଭଲ ପାଇବାର ଅନନ୍ୟ ନିଦର୍ଶନ ଥିଲା lଅଟଳ ବିହାରୀ ବାଜପେୟୀ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ଆତ୍ମା ଓ ନେତୃତ୍ୱ ନିର୍ମାଣ ସର୍ବୋପରି ଭାରତ ମାତାର ସେବା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତିଟି ପିଢ଼ି ପାଇଁ ସର୍ବଦା ପ୍ରେରଣା ଯୋଗାଇବ l
ରାଜସ୍ମିତା ବାରିକ୍
ନୀଳଗିରି, ବାଲେଶ୍ଵର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ