ଅଟୋରୁ ଖସି ଶିଶୁକନ୍ୟା ମୃତ
ହିଞ୍ଜିଳିକାଟୁ, ( ଶେଷଦେବ ସାହୁ): ହିଞ୍ଜିଳି ଥାନା ପିତଳ ଗ୍ରାମ ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ଅଟୋରୁ ଖସିପଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପିତଳ ଗ୍ରାମର ଟୁନା ସେଠିଙ୍କ ୮ମାସର ଶିଶୁ କନ୍ୟା ପ୍ରିୟା ସେଠି ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଟୁନା ଗୁରୁବାର ସନ୍ଧ୍ୟାରେ ନିଜ ଯାତ୍ରୀବାହୀ ଅଟୋରେ ପରିବାର ସହ ହିଂଜିଳିକାଟୁ ଅଭିମୂଖେ ଆସୁଥିବା ସମୟରେ ପିତଳ ଗ୍ରାମ ଛକ ନିକଟରେ ମା’ କୋଳରୁ ଅସାବଧାନବଶତଃ ଶିଶୁ କନ୍ୟାଟି ଖସିପଡ଼ିଥିଲେ । ଶିଶୁକନ୍ୟାଙ୍କ ମୁଣ୍ଡ ଉପର ଦେଇ ଗାଡ଼ି ଚକା ମାଡ଼ି ଯିବାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଶିଶୁକନ୍ୟାଙ୍କୁ ମୃତ୍ୟ ଘୋଷଣା କରିଥିଲେ । ତେବେ ଏ ନେଇ ହିଂଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।