ଅଟୋ ମହାସଂଘର ୧୧ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର, : ଅଟୋ ମହାସଂଘର ୧୧ତମ ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଅଟୋଚାଳକମାନେ ସମସ୍ତ କାଗଜପତ୍ର ଠିକ୍ ରଖି ଶୃଙ୍ଖଳିତ ଭାବରେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ଅଟୋ ଚାଳକମାନେ ଟ୍ରାଫିକ୍ ନିୟମ କାନୁନ୍ ମାନିବା ସହିତ ସଠିକ୍ ରାସ୍ତାରେ ଗାଡ଼ି ଚଳାଇାବକୁ ଉପଦେଶ ଦେଇଥିଲେ । ନିଖିଳ ଓଡ଼ିଶା ଅଟୋ ମହାସଂଘର ସଭାପତି ତଥା ଶ୍ରମିକ କଲ୍ୟାଣ ବୋର୍ଡ଼ର ଚେୟାରମ୍ୟାନ ସୁବାସ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ଭୁବନେଶ୍ୱର ଅଟୋ ମହାସଂଘର ସଭାପତି ଅନନ୍ତ ନରାୟଣ ଜେନା, ଉନ୍ନୟନ ପରିଷଦ ସଭ୍ୟ ସୁଜିତ କୁମାର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଟ୍ରାଫିକ ଡ଼ିସିପି ସାଗରିକା ନାଥ, ପରିବହନ ଅଧିକାରୀ ସଞ୍ଜୟ ବେହେରା, କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ପୁରୀ ଜିଲ୍ଲା ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ପୂର୍ବତନ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅଟୋ ମହାସଂଘର ୱେବସାଇଟ୍ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ୧୫ ଦିନ ପରେ ଏକ ବିଶେଷ ମୁହୂର୍ତ୍ତରେ ସ୍ମାର୍ଟ ଅଟୋ ଆପ୍ କାର୍ଯ୍ୟକାରୀ ହେବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଓଡ଼ିଶାର ସମସ୍ତ ଅଟୋକଚାଳକମାନେ ଉପସ୍ଥିତ ରହି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟସେବା ଶିବିରରେ ଅଂଶଗ୍ରହଣ କରି ନିଜର ପରୀକ୍ଷା ନିରୀକ୍ଷା କରାଇଥିଲେ । ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ମାଗଣା ବୀମା ମହାସଂଘ ତରଫରୁ ଯୋଗାଇ ଦିଆଯାଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।