ଇଟିକିଲି ମିଟିକିଲି ୩୦ତମ ପୁରସ୍କାର ପ୍ରଦାନ ସମାରୋହ: ପିଲାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ଲୋଡ଼ା

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ମଧ୍ୟରେ କିଛିନା କିଛି ପ୍ରତିଭା ଲୁଚି ରହିଛି । ଏହି ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚରେ ସୁଯୋଗ ମିଳିଲେ ପିଲାମାନେ ନିଜ ପ୍ରତିଭାକୁ ବିକଶିତ କରିବା ସହ ଭବିଷ୍ୟତରେ ଆମ ରାଜ୍ୟ ପାଇଁ କଳା-ସଂସ୍କୃତି କ୍ଷେତ୍ରରେ ଗୌରବ ଆଣିଦେବେ । ସେଥିପାଇଁ ପିଲାମାନଙ୍କୁ ପ୍ରତିଭା ସମାରୋହ ମାଧ୍ୟମରେ ଉପଯୁକ୍ତ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ଆଜି ଜୟଦେବ ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଇଟିକିଲି ମିଟିକିଲିର ୩୦ତମ ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଅତିଥିମାନେ ଏହି ମତ ପ୍ରକାଶ କରିଛନ୍ତି ।

ପୁରସ୍କାର ପ୍ରଦାନ ସମାରୋହକୁ ଶିଶୁ-ପ୍ରତିଭା ସ୍ୱସ୍ତିକ ମିଶ୍ର, ସ୍ଥିତିପ୍ରଜ୍ଞା ମିଶ୍ର, ଦିୟାଂଶୀ ଷଡ଼ଙ୍ଗୀ, ପ୍ରତ୍ୟାଶା ସାହୁ, ସୁଶ୍ରୀ ଶର୍ମିଷ୍ଠା ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଏହାପରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶରତ କୁମାର ଦାଶଙ୍କ ପୌରୋହିତ୍ୟରେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ରାଜୀବ ଶେଖର ସାହୁ, ପ୍ରଶାସକ ଓ ସାହିତ୍ୟିକ ନିରଞ୍ଜନ ସାହୁ, ପ୍ରଶାସକ ଓ କବି ପ୍ରଦୀପ କୁମାର ବିଶ୍ୱାଳ, ରୟାଲ କଲେଜର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବିଷ୍ଣୁମୋହନ ମହାନ୍ତି, ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ପାରାଦ୍ୱୀପ ଫସ୍‌ପେଟ୍‌ର କର୍ପୋରେଟ୍ ମୁଖ୍ୟ ସୁଧୀ ରଞ୍ଜନ ମିଶ୍ର, ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାରର ଜନସଂପର୍କ ମୁଖ୍ୟ ଅଧିକାରୀ ସଞ୍ଜୟ ସାହୁ, ବିଶିଷ୍ଟ ଶିଳ୍ପ ପରାମର୍ଶଦାତା ପ୍ରଭାସ ଚନ୍ଦ୍ର ନାୟକ, ବିଶିଷ୍ଟ ଶିଳ୍ପଦ୍ୟୋଗୀ ଉଦୟନାଥ ସାହୁ ଓ ମଡେଲ୍ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରଲିପ୍ତା ରାୟ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ସମ୍ୟକ ବକ୍ତବ୍ୟ ରଖିଥିଲେ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗତ ଏପ୍ରିଲ୍ ଓ ମଇ ମାସରେ ପିଲାମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଏକ ଚାରିଦିନିଆ ପ୍ରତିଭା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ତଥା ରାଜ୍ୟର କୋଣଅନୁକୋଣରୁ ଆସିଥିବା ଦୁଇଶହ ଏକଷଠି ଜଣ ସାଧାରଣ ଓ ଭିନ୍ନକ୍ଷମ ଶିଶୁପ୍ରତିଭାଙ୍କୁ ଅତିଥିମାନେ ମାନପତ୍ର ଓ ସୁଦୃଶ୍ୟ ଫଳକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଉପସଭାପତି ଚିତ୍ତ ମହାପାତ୍ର ସ୍ୱାଗତ ସୂଚନା ପ୍ରଦାନ କରିବା ସହିତ ଅନୁଷ୍ଠାନର ବିଗତ କାର୍ଯ୍ୟାବଳୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ଅନୁଷ୍ଠାନ ଦୀର୍ଘ ୩୦ ବର୍ଷ ହେଲା ଶହଶହ ଅଭିଭାବକ ଓ ସେମାନଙ୍କର ପିଲାମାନଙ୍କ ସହଯୋଗରେ କିପରି ନିରବଚ୍ଛିନ୍ନ ଭାବରେ ବିଭିନ୍ନ କାର୍ଯ୍ୟଧାରା ବଜାୟ ରଖିଛି ତାହା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭା କାର୍ଯ୍ୟକ୍ରମକୁ ଶିଶୁପ୍ରତିଭା ଶ୍ୱେତପଦ୍ମା ନାରାୟଣୀ ଆଚାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ହିମାଂଶୁ ଶେଖର ପ୍ରଧାନଙ୍କୁ ଇଟିକିଲି ମିଟିକିଲି ସମ୍ବର୍ଦ୍ଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଆଜିର ପୁରସ୍କାର ପ୍ରଦାନ ସମାରୋହ ଆରମ୍ଭରେ ଶିଶୁ କଣ୍ଠଶିଳ୍ପୀ ଶାରଦା ପ୍ରସନ୍ନ ରାଉତ ଓ ସିଦ୍ଧିସ୍ନା ବିନ୍ଧାଣୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରିବା ପରେ ମଞ୍ଚରେ ପ୍ରଥମ କାର୍ଯ୍ୟକ୍ରମ ଥିଲା ଏକ ଆକର୍ଷଣୀୟ କୁଇଜ୍ ପ୍ରତିଯୋଗିତା। ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ ଭୂ-ବିଜ୍ଞାନୀ ଜେନାମଣି ସଞ୍ଜିବ କୁମାର। ଏହା ପରେପରେ ଶିଶୁ-ନୃତ୍ୟଶିଳ୍ପୀମାନଙ୍କଦ୍ୱାରା ଆକର୍ଷଣୀୟ ଦଳଗତ ନୃତ୍ୟ କାର୍ଯ୍ୟକ୍ରମ ନୃତ୍ୟ-ନୈବେଦ୍ୟ ପରିବେଷଣ କରାଯାଇଥିଲା । ଏଥିରେ କଳିଙ୍ଗ କିଡ୍‌ସ, ନୃତ୍ୟନାଦ ଡ୍ୟାନ୍‌ସ ଏକାଡେମୀ, ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ, ନୃତ୍ୟକଳା ଡ୍ୟାନ୍‌ସ ଏକାଡେମୀ, ନୃତ୍ୟମନ୍ଦିର ଓ ସଙ୍ଗିନୀ ଫାଉଣ୍ଡେସନ୍ ପ୍ରମୁଖ ନୃତ୍ୟ ଅନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରି ଚିତ୍ତାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ କାର୍ଯ୍ୟକ୍ରମକୁ ଶିଶୁପ୍ରତିଭା ଦିୟାଂଶୀ ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ସାଂସ୍କୃତିକ ସଂପାଦିକା ଅନିତା ରଥ, ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତଙ୍କ ସମେତ ସଦସ୍ୟ ରଜନୀକାନ୍ତ ରାଉତ, ଜ୍ୟୋତିରଞ୍ଜନ ଦାସ, ହରିହର ଶୁକ୍ଳ, ସବିତା ତ୍ରିପାଠୀ, ପ୍ରତ୍ୟୁଷିନୀ ମହାନ୍ତି, ନିଝୁମ ମହାନ୍ତି, ଶିଳ୍ପୀତା ବିଶ୍ୱାଳ, ପ୍ରିୟଦର୍ଶୀ ସୌମ୍ୟକାନ୍ତ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ