ଅଡବା ପୋଲିସର ସଫଳତା : ୧୭ ଚୋରା ବାଇକ୍ ଉଦ୍ଧାର,୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅଡବା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍ ନିୟମ ସହ ନାକା ଗେଟ୍ ଆଦିରେ ପୋଲିସ ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ସଜାଗ ରଖାଯାଇଛି । ଅଡବା ଥାନା ଅନ୍ତର୍ଗତ ନଳାଘାଟ ନାକା ଗେଟ୍‌ରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏକ ଲୁନା ଗାଡିକୁ ତଦନ୍ତ କରି ୧୭ଗୋଟି ଚୋରା ବାଇକ୍ ଜବତ କରିଛନ୍ତି । ଏଥିରେ ପୋଲିସ ୨ଜଣକୁ ଗିରଫ କରିଥିବା ବେଳେ ଚୋରା କାରବାରର ମୁଖ୍ୟ ନାୟକକୁ ଗିରଫ ପାଇଁ ପୋଲିସ ଜାଲ ବିଛାଇଛନ୍ତି । ଘଟଣାରୁ ପ୍ରକାଶ,ଗତକାଲି ନଳାଘାଟ ନାକା ଗେଟ୍‌ରେ ଅଡବା ଏସଆଇ ଚନ୍ଦନ କୁମାର ଦାସ ବିଭିନ୍ନ ଯାନବାହନ ତନଖି କରୁଥିବା ବେଳେ ସନ୍ଦେହରେ ଏକ ଲୁନା ଗାଡିକୁ ଅଟକାଇ ତଦନ୍ତ କରିଥିଲେ । ଗାଡିର କୌଣସି କାଗଜପତ୍ର ନ ଥିବା ସହ ଚୋରା ଗାଡି ସନ୍ଦେହରେ ଲୁନା ଗାଡି ସହ ଚାଳକ ସଲମନ ନାୟକକୁ ଥାନାକୁ ଅଣାଯାଇଥିଲା । ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ଏ ନେଇ ଲୁନା ଗାଡିର ଚାଳକ ସଲମନ ନାୟକକୁ ବିଭିନ୍ନ ଭାବେ ତଦନ୍ତ କରି ବାଇକ୍ ଚୋରା କାରବାରର ପର୍ଦ୍ଦାଫାସ କରିଥିଲେ । ସଲମନ ନାୟକକୁ ଗିରଫ କରି ତା ଠାରୁ ୮ଗୋଟି ଚୋରା ବାଇକ୍ ଉଦ୍ଧାର କରିଥିବା ବେଳେ ତାହାର ବୟାନ ଅନୁଯାୟୀ ଏହି କାରବାରରେ ସମ୍ପୃକ୍ତ ତ୍ରିନାଥ ରେଡ୍ଡିକୁ ଗିରଫ କରି ୯ ଗୋଟି ଚୋରା ବାଇକ୍ ପୋଲିସ ଉଦ୍ଧାର କରିଛନ୍ତି । ଏହି ଦୁଇ ଜଣଙ୍କର ଘର ମୋହନା ବ୍ଲକର ବିରିକୋଟ ଗ୍ରାମ ଅଟେ । ଏହି ସମସ୍ତ ଗାଡି ବ୍ରହ୍ମପୁରର ଜଣେ ବ୍ୟକ୍ତି ଏମାନଙ୍କୁ ବିକ୍ରୀ କରିବା ପାଇଁ ଦେଇଥିବା ଏମାନେ ପୋଲିସକୁ ଜଣାଇଛନ୍ତି । ହେଲେ ଏହି ସମସ୍ତ ଗାଡି ଗୁଡିକର କୌଣସି କାଗଜପତ୍ର ନ ଥିବା ପୋଲିସ ସୁଚନା ଦେଇ ବ୍ରହ୍ମପୁରର ଏହି ମୁଖ୍ୟ ଆସାମୀକୁ ଗିରଫ ପାଇଁ ତଦନ୍ତ ଜାରି ରଖିଥିବା ପୋଲିସ ଜଣାଇଛି । ଅଡବା ଥାନାରେ କେସ ନଂ ୩୩/୨୦ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ମୋହନା କୋର୍ଟକୁ ଚାଲାଣ କରାଯାଇଥିବା ମଧ୍ୟ ପୋଲିସ ସୁଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ