ଅଣ୍ଡରା ପଲୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-ଔପଦା ବ୍ଲକ ଅଣ୍ଡରା ପଲୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ଭଳି ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଶେଷ ନୀତିପୂଜା ପରେ ବଟେଶ୍ୱର ମହାଦେବ ମନ୍ଦିର ପରିସର (ମାଉସୀ ମା’ ମନ୍ଦିର)ରୁ ତିନି ଦିଅଁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ସମେତ ସୁଦର୍ଶନଙ୍କୁ ପହଣ୍ଡିରେ ରଥାଋଢ଼ କରାଯାଇଥିଲା । ପଲିଶ୍ରୀକ୍ଷେତ୍ର ରଥଯାତ୍ରାର ଉଦ୍ୟୋକ୍ତା ସ୍ୱର୍ଗତ ନାରାୟଣ ମିଶ୍ରଙ୍କ ସୁପୁତ୍ର ରମାକାନ୍ତ ମିଶ୍ର ଛେରାପହଁରା କରିଥିଲେ । ଭକ୍ତମାନେ ରଥାଋଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ଆଶୀର୍ଭାଦ ଭିକ୍ଷା କରିଥିଲେ । ପରେ ଘଣ୍ଟ, ଘଣ୍ଟା, ଭଜନ, କୀର୍ତ୍ତନ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା । ଏକ ଭାବାବେଗମୟ ପରିବେଶ ମଧ୍ୟରେ ଆନନ୍ଦ ଉଲାସର ସହ ରଥ ମନ୍ଦିରରେ ପହଞ୍ଚିଥିଲା । ମୁଖ୍ୟ ସେବକ ଦିପ୍ତୀକାନ୍ତ ମିଶ୍ର ଓ ଶଶିକାନ୍ତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାରେ ଆୟୋଜିତ ଏହି ବାହୁଡ଼ା ଯାତ୍ରା ପରିଚାଳନାରେ ଗୋପୀନାଥ ନାୟକ, ରମାକାନ୍ତ ଲେଙ୍କା, ପ୍ରଭାକର ମହାନ୍ତି, ପ୍ରାର୍ଥସାରଥୀ ଦାସ, ବିଜୟ କୁମାର ଦାସ ପ୍ରମୁ୍‍ଖଙ୍କ ସମେତ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଦସ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅଣ୍ଡରା ଗ୍ରାମ ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏହି ବାହୁଡ଼ାଯାତ୍ରାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ