ଅତିଥିଙ୍କୁ ଖାଇବାକୁ ଦେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବିଭିନ୍ନ ପର୍ବପର୍ବାଣି ବା କୌଣସି ଭଲ ଖବର ମିଳିବା ପରେ ଲୋକମାନେ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଘରକୁ ଡକାଇଥାନ୍ତି । ଏହା ସହ ସେମାନଙ୍କ ଅତିଥି ଚର୍ଚ୍ଚାରେ ଯେପରି କିଛି କମ୍ ନ ହୁଏ ସେଥିପାଇଁ ଅନେକ ପ୍ରୟାସ କରିଥାଆନ୍ତି । ବିଭିନ୍ନ ବ୍ୟଞ୍ଜନ ରାନ୍ଧିବା ସହ କେଉଁ ଭଳି ତାଙ୍କୁ ସ୍ୱାଗତ କରିବେ ସେ ନେଇ ଯୋଜନା କରିଥାଆନ୍ତି । ତେବେ ଯଦି ଏତେ ସବୁର ଆୟୋଜନ କରିବା ପରେ ଆପଣଙ୍କୁ ତାହାର ମୂଲ୍ୟ ନ ମିଳେ? ଅତିଥି ଚର୍ଚ୍ଚା କରିବା ପାଇଁ ଖାଲି ଆୟୋଜନ ନୁହେଁ ସଠିକ ଆୟୋଜନ ମଧ୍ୟ କରିବା ଦରକାର । ଯାହାକୁ ଦେଖିବା ପରେ ଆପଣଙ୍କ ଘରକୁ ଆସିଥିବା ଅତିଥି ଆପଣଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଦରକାର । ଅତିଥିଙ୍କୁ ଖାଇବାକୁ ଦେବା ପୂର୍ବରୁ ଘରର କେଉଁ ସ୍ଥାନରେ ଖାଇବାକୁ ଦେବେ ତାହା ବାଛି ନିଅନ୍ତୁ । ଯଦି ଘରକୁ ଆସିଥିବା ଅତିଥିଙ୍କ ସଂଖ୍ୟା କମ୍ ତେବେ ଡାଇନିଙ୍ଗ ଟେବୁଲରେ ବସାଇ ଖାଇବାକୁ ଦିଅନ୍ତୁ । ଡାଇନିଙ୍ଗ ଉପରେ ବସାଇ ଖାଇବାକୁ ଦେଉଥିଲେ ତା ଉପରେ ପଡିଥିବା କପଡା ସଫା ଅଛି କି ନାହିଁ ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ସେଥିପାଇଁ ଆପଣ ସିଲକ ବା ଫ୍ଲୋରାଲ ପ୍ରିଣ୍ଟର କଭର ବ୍ୟବହାର କରିପାରିବେ । ଉପରେ ଖାଇବାକୁ ଦେଉଥିବା ବେଳେ ତା ଉପରେ ରଖାଯାଇଥିବା ଜିନିଷ ସବୁ ଠିକ୍ ସ୍ଥାନରେ ଅଛି କି ନାହିଁ ଧ୍ୟାନ ରଖନ୍ତୁ । ସାଲାଡ ଓ ଚପାତିକୁ ଡାଇନିଙ୍ଗ ଟେବୁଲର ବାମପଟେ ରଖିବା ସହ ଛୁରି ଏବଂ ଚାମଚକୁ ଡାହାଣ ପଟେ ରଖନ୍ତୁ । ଖାଇବାକୁ ଦେବା ସମୟରେ ସବୁଠାରୁ ଜରୁରୀ ହେଉଛି ନାପକିନ୍ । ଖାଇବା ସମୟରେ ହାତ ସଫା କରିବା ପାଇଁ ନାପକିନ୍ର ବ୍ୟବହାର କରାଯାଇଥାଏ । ସେଥିପାଇଁ ମନେ କରି ନାପକିନକୁ ଟେବୁଲ ଉପରେ ରଖି ଦିଅନ୍ତୁ । ଡାଇନିଙ୍ଗ ଟେବୁଲ ମଝିରେ ଫୁଲଦାନୀ ରଖନ୍ତୁ । ଲୁଣ, ଆଚାର ଓ ଲଙ୍କା ରଖିବାକୁ ଆଦୌ ଭୁଲନ୍ତୁନାହିଁ । ଖାଇବା ସବୁବେଳେ ବାମପଟୁ ଦେବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଖାଦ୍ୟ ବାଢ଼ିବା ସହଜ ହୋଇଥାଏ । ଖାଇବା ପରେ ଅଇଁଠା ଥାଳି ଉଠାଇବା ପରେ ହିଁ ଡେଜର୍ଟ ଦିଅନ୍ତୁ ।


