ଚୈତ୍ର ମଙ୍ଗଳବାର ଓଷା


ସନ୍ତୋଷ କୁମାର ଦାଶ

ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ବାର ମାସରେ ପାଳିତ ହୋଇ ଥାଏ ତେର ପର୍ବ ପର୍ବାଣୀ। ହିନ୍ଦୁ ପଞ୍ଚାଙ୍ଗର ପ୍ରଥମ ମାସ ଚୈତ୍ର ମାସ ଅଟେ । ଯାହାକି ଫାଲଗୁନ ମାସ ପୂର୍ଣ୍ଣମୀ ପରଦିନ ଠାରୁ ଆରମ୍ଭ ହୋଇଛି । ଏହି ମାସରେ ଶିତଳା ସପ୍ତମୀ, ଅଷ୍ଟମୀ, ରାମ ନବମୀ, ଚୈତ୍ର ନବରାତ୍ରୀ ଇତ୍ୟାଦି ପାଳିତ ହୋଇଥାଏ । ଏଥିସହିତ ପାଳିତ ହୁଏ ଚୈତ୍ର ମଙ୍ଗଳବାର ଓଷା । ଚୈତ୍ର ମାସର ୫ ପାଳି ମଙ୍ଗଳବାର ଓଷାକୁ ବ୍ରତଧାରୀମାନେ ନିଷ୍ଠାର ସହ ପାଳନ କରିଥାନ୍ତି । ଚୈତ୍ର ମଙ୍ଗଳବାର ଓଷା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ। ବିଶେଷ କରି ପୁରୀ ଜିଲାର କାକଟପୁର ମଙ୍ଗଳା ଏବଂ ବ୍ରହ୍ମପୁର ର ତାରାତାରିଣୀ ପୀଠରେ ଏହି ଓଷା ବହୁ ଆଡମ୍ବର ସହକାରେ ପାଳିତ ହୋଇଥାଏ। ମଙ୍ଗଳବାର ପ୍ରଥମ ପାଳିରେ କାକଟପୁର ର ମା’ ମଙ୍ଗଳା ଙ୍କ ମନ୍ଦିର ରେ ନେତୋତ୍ସବ ବିଧାନ ପାଳିତ ହେଉଥିବାବେଳେ ମା ଙ୍କ ଦିକ୍ଷୀତ ପୂଜକ ମାନେ ଫୁଲ ରେ ସୁସଜ୍ଜିତ ଥାଳିରେ ଧ୍ବଜାର ବେଢ଼ା ପରିକ୍ରମା କରାଇବା ପରେ ମନ୍ଦିର ଚୂଡ଼ାରେ ଉକ୍ତ ଧ୍ବଜାକୁ ବାନ୍ଧିଥାନ୍ତି। ଆଖ ପାଖ ଅଞ୍ଚଳର ବେହେରା ମାନେ ନିଜ ନିଜ ଚିରାଟ ଧରି ମନ୍ଦିର ରେ ପହଞ୍ଚି ଉଗାଳ ଗାଇ ଗାଇ ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି। ଜଗତସିଂହପୁର ଅଞ୍ଚଳ ର ରାଉଳ ସେବକ ମାନେ ପୁଣ୍ୟତୋୟା ପ୍ରାଚୀ ନଦୀ ର ଘଣ୍ଟ ତୋଳା ତୁଠ ରୁ ପାଣି ତୋଳି, ନିଜ ଘଟ କୁ ପୂଜା କରି ମୁଣ୍ଡ ରେ ମୁଣ୍ଡାଇ ଆସି ମନ୍ଦିର ବେଢ଼ା ରେ ଘଟନୃତ୍ୟ
( ଘଣ୍ଟ ପାଟୁଆ ନୃତ୍ୟ) ପରିବେଷଣ କରିଥାନ୍ତି। ବ୍ରହ୍ମପୁର ର ତାରାତାରିଣୀ ପୀଠରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳେ।
ଶ୍ରଦ୍ଧାଳୁ ମାନେ ନିଜ ସ୍ବାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଭକ୍ତି ଓ ନିଷ୍ଠାର ସହିତ ଚୈତ୍ର ମଙ୍ଗଳବାର ଓଷା ପାଳନ କରିଥାନ୍ତି। ରାଜ୍ୟ ର ଉପକୂଳ ଅଞ୍ଚଳରେ ସଧବା ନାରୀ ମାନେ ଗାଁ ଦାଣ୍ଡ ରେ ପନ୍ଥେଇ ଖୋଳି ତା ମଧ୍ଯ ରେ ହଳଦୀ ପାଣି ଢ଼ାଳି ମା ମଙ୍ଗଳା ଙ୍କ ନାମ ରେ ଗୁଆ ବସାଇ ପୂଜା କରିଥାନ୍ତି। ଏହି ପନ୍ଥେଇ ପୂଜା ପଞ୍ଚମ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତି
ମଙ୍ଗଳବାର ଅନୁଷ୍ଠିତ ହୋଇଥାଏ।
କିମ୍ବଦନ୍ତୀ ଅନୁସାରେ ଚଇତି ହାଡ଼ିଆଣୀ ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ । ବିଭିନ୍ନ ପ୍ରକାର ଫଳ, ଫୁଲ, ଭୋଗରେ ମଙ୍ଗଳାଙ୍କୁ ପୂଜା କରେ । ଦିନେ ରାଜନବର ଓଳାଇବାକୁ ଯାଇଥିଲା । ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ବୋଲି ଚଇତି ହାଡ଼ିଆଣି ଆଶଙ୍କା କରିଛି, କାରଣ ରାଜା ହେଉଛନ୍ତି ଅପୁତ୍ରିକ । ଆଉ ନିଜକୁ ସଂଯତ କରି ନପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଇଛି । ଫଳରେ ରାଜା ଏହି କଥାରେ ଭୀଷଣ ରାଗିଯାଇ ଚଇତି ହାଡ଼ିଆଣିର ସାତପୁଅକୁ ଢିଙ୍କିରେ କୁଟାଇ କାଳୁଆ ଗଣ୍ଡରେ ଭସାଇ ଦେବାକୁ ଆଦେଶ ଦେଇଛନ୍ତି । ପୁତ୍ରମାନଙ୍କୁ ହରାଇଥିଲେ ମଧ୍ୟ ଦୁଃଖରେ ଭାଙ୍ଗି ନପଡ଼ି ଚଇତି ମା ମଙ୍ଗଳାଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରିଛି । ଦୁବ ପ୍ରସାଦ ମା’ ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା । ମା’ଙ୍କ କୃପାରୁ ସବୁ ପୁଅ ବଞ୍ଚି ଉଠିଛନ୍ତି । ରାଜା ଏ କଥା ଜାଣି ଚଇତି ହାଡ଼ିଆଣୀ ଠାରୁ ଚଇତି ମଙ୍ଗଳବାର ଓଷା ର ମହିମା ସମ୍ପର୍କ ରେ ପଚାରି ବୁଝିଛନ୍ତି। ତାଙ୍କର ଅନେଶତ ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଛନ୍ତି ଓ ପୁତ୍ରବତୀ ହୋଇଛନ୍ତି । ତଦନୁସାରେ ମହିଳା ମାନେ ଚୈତ୍ର ମାସ ର ପ୍ରତ୍ୟେକ ମଙ୍ଗଳବାର ଚୈତ୍ର ମଙ୍ଗଳ ବାର ଓଷା ଭକ୍ତି ଓ ନିଷ୍ଠାର ସହିତ କରି ଆସୁଛନ୍ତି।
ଜୟ ମା ମଙ୍ଗଳା। ଜୟ ମା ତାରା ତାରିଣୀ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ