ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ
ବାଲେଶ୍ୱର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ ଲାଗୁ ହୋଇଥିବା ଲକ ଡାଉନ ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଲକ ଡାଉନ ପରିପ୍ରେକ୍ଷୀରେ ଜିଲ୍ଲାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ବିଶେଷ କରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଉପରେ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା । ପନିପରିବା ଦୋକାନ ଓ ରାସନ ଦୋକାନଗୁଡିକରେ ବିକ୍ରି ହେଉଥିବା ସାମଗ୍ରୀର ମୂଲ୍ୟରେ ଯେପରି ଅସ୍ୱାଭାବିକ ବୃଦ୍ଧି ନ ହୁଏ ଏବଂ ସମସ୍ତ ଦୋକାନୀ ନିଜ ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ (ରେଟ ଚାର୍ଟ) ଲଗାନ୍ତି ତାହା ସୁନିଶ୍ଚିତ କରିବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସ କଲେକ୍ଟରମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରି ଏହା କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି । ଆଳୁ ଓ ପିଆଜ ଦର ଉପରେ ନିୟନ୍ତ୍ରଣ ଲାଗି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ସ୍ୱତନ୍ତ୍ର କାଉଂଟର ଖୋଲିବାକୁ ନିଷ୍ପତି ନିଆଯାଇଛି । ନୂଆବଜାର ଓ ମୋତିଗଞ୍ଜ ବଜାର ଅଂଚଳରେ ଦୋକାନୀମାନଙ୍କର ଭିଡ କମାଇବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସେମାନଙ୍କୁ ଯଥେଷ୍ଟ ବ୍ୟବଧାନରେ ଅନ୍ୟ ସ୍ଥାନରେ ବସିବା ଲାଗି ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛିି । ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖିବା ଲାଗି ଗୋଲ ଚିହ୍ନିତ କରାଯାଇ ତା ମଧ୍ୟରେ ଯେପରି ସେମାନେ ଛିଡା ହୁଅନ୍ତି ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ କରୁଥିବା ସୁପର ମାର୍କେଟର ପ୍ରତିନିଧିମାନେ ଆଜିର ବୈଠକରେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ହୋମ ଡେଲିଭରି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ହୋମ କ୍ୱାରାଂଟାଇନରେ ରହିଥିବା ଲୋକଙ୍କ ଘର ବାହାରେ ପୂରଣ ହୋଇଥିବା ନିର୍ଦ୍ଧାରିତ ଫର୍ମ ଓ ପୋଷ୍ଟର ଲଗାଯିବା କାର୍ଯ୍ୟକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଶୀଘ୍ର ସାରିବେ । ହୋମ କ୍ୱାରାଂଟାଇନରେ ଥିବା ୪ଜଣ ସରକାରୀ ଆଦେଶନାମାର ଉଲ୍ଲଙ୍ଘନ କରିଥିବା ଯୋଗୁଁ ସେମାନଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି ୪ ଜଣ ହେଲେ ଅଜିତ ଦାସ, ଦୀପକ ସାହୁ, ଜୟଶ୍ରୀ ସାହୁ ଓ ଜୟନ୍ତ ସିଂ । ବର୍ତମାନ ସମୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଆବଶ୍ୟକ ହେଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମୟିକ ଭାବେ ଏଏନଏମ, ଷ୍ଟାଫ ନର୍ସ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଫାର୍ମାସିଷ୍ଟ ଏବଂ ରେଡିଓଗ୍ରାଫର ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ଏହା ଶୀଘ୍ର ସାରିବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ଆବଶ୍ୟକ ଔଷଧ, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଉପକରଣ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିଥିବା ଗୋଦାମଗୁଡିକ ନିଜର ଷ୍ଟକ ସ୍ଥିତି ଏବଂ ରେଟ ଚାର୍ଟ ସଂପର୍କରେ ଯେପରି ସ୍ପଷ୍ଟ ଭାବରେ ସୂଚୀତ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି । ଅନ୍ୟଥା ଅଚାନକ ଯାଂଚ ସମୟରେ ଯଦି କିଛି ତ୍ରୁଟି ଦେଖାଦିଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାକୁ ବିଦେଶରୁ ଆସିଥିବା ୧୯ଜଣଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏବେ ସୁଦ୍ଧା ବିଦେଶରୁ ଆସିଥିବା ମୋଟ ୨୧୫ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟ ବାହାରୁ ଆସିଥିବା ୨୨୦୩ଜଣଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ମୋଟ ୧୦୪୬୬ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଆଜିର ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ,ଡିଏଫଓ ଶ୍ରୀ ବିଶ୍ୱରାଜ ପଣ୍ଡା, ଡିଏମଓ ଡା. ଡି.ଏସ. ଜଗଦ୍ଦେବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇ କରୋନା କଟକଣା ଓ ଲକ ଡାଉନ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।