ଅଧିକାର

ଦିପ୍ତିମୟୀ ନାୟକ
ସମ୍ପର୍କ ଯେତେବେଳେ ନିବିଡ଼ ହୋଇଯାଏ ସେତେବେଳେ ସେହି ସମ୍ପର୍କରେ ଅଧିକାରଟା କେମିତି କେଜାଣି ଚାଲିଆସେ | ହେଲେ ଏହି ଅଧିକାର ପାଇଁ ଅନେକ ସମ୍ପର୍କ ହଠାତ ଭାଙ୍ଗିଯାଏ | ଅଧିକାର ତା ଉପରେ ଥାଏ ଯାହାକୁ ମଣିଷ ଯେତେ ବିଶ୍ୱାସ କରିଥାଏ | ହେଲେ ଆଜିର ମଣିଷ ବୁଝେନାହିଁ ଏହି ଅଧିକାରର ସଂଜ୍ଞା |
ଥରେ ଜଣେ ପ୍ରେମିକ ତା ପ୍ରେମିକାକୁ ପଚାରିଲା ତମେ କଣ ପାଇଁ ମୋ ଉପରେ ଏତେ ରାଗ | ପ୍ରେମିକା ଜଣକ କହିଥିଲା ରାଗ ଭିତରେ ଭଲପାଇବା ଥାଏ ଆଉ ସେହି ଭଲପାଇବା ଭିତରେ ମୁଁ ମୋ ଅଧିକାର ତମ ପାଖରେ ସବୁବେଳେ ଚାହେଁ | ତୁମେ ମୋତେ ପ୍ରେମିକା ହେବାର ଅଧିକାର ଦେଇଛ ଆଉ ମୁଁ ପ୍ରେମିକା ହୋଇ ମୋ ମନର କଥା ତମକୁ କହି ମୋ ଅଧିକାରକୁ ଏମିତି ଖୋଜିଛି ଯେମିତି ତମକୁ ଲାଗିଛି ମୁଁ ବିନା କାରଣରେ ତୁମ ସହ ଝଗଡା କରିଛି | ପ୍ରେମିକ ଜଣକ ହସିକି କହିଦେଲା ଏମିତି କଣ ଅଧିକାର ଖୋଜା ଯାଏ | ପ୍ରେମିକା ଜଣକ କହିଥିଲା ଦୂରେଇ ଯିବାର ଯଦି ଭୟ ନଥାନ୍ତା ତାହେଲେ ଏ ଅଧିକାର କେଉଁଠି ହଜିଯାଇଥାନ୍ତା | ଦୂରେଇବାକୁ ଚାହେଁନି ବୋଲି ଅଧିକାର ଖୋଜୁଛି | ଆଉ ଆଜି ଏ ଅଧିକାର ତୁମ ପାଖରେ ଯେମିତି ଅଭିଶାପ ହୋଇଛି | ଅଧିକାର ଅଭିଶାପ ନୁହେଁ | କି ଅଭିଶାପ ଅଧିକାର ନୁହେଁ | ଏହି କଥା ଶୁଣି ପ୍ରେମିକ ଜଣକ ଜୋର ସେ ହସିବାକୁ ଲାଗିଥିଲେ ଆଉ କହିଥିଲେ ତମ ଅଧିକାର ମୋ ଉପରେ ଏମିତି ଥାଉ |
ତେବେ ସମ୍ପର୍କରେ ଅଧିକାର ରହିବା ନିହାତି ଜରୁରୀ | ପ୍ରତ୍ୟେକ ସମ୍ପର୍କରେ କିଛି ନା କିଛି ଅଧିକାର ଥାଏ ବୋଲି ଏ ମଣିଷ ନିଦ୍ୱନ୍ଦ୍ୱରେ କହିଦିଏ | ଦୂରେଇ ଯିବାପାଇଁ ନୁହେଁ ସାରା ଜୀବନ ସାଥିରେ ରହିବାପାଇଁ ନିଜ ଅଧିକାର ନିଜ ଆପଣାର ଲୋକ ପାଖରେ ଖୋଜୁଥାଏ | କେହି କାହାକୁ ଅଧିକାର ଦିଅନ୍ତିନି | ଏ ମଣିଷ ଯାହାକୁ ଯେତେ ଭଲପାଏ ତା ପାଖରେ ସେତେ ବେଶି ଅଧିକାର ଖୋଜିଥାଏ | ବେଳେବେଳେ ଏହି ଅଧିକାର ଟିକକ ପାଇବା ପାଇଁ ନିଜର ମଣିଷ ସହ ପ୍ରତି ମୁହୂର୍ତ୍ତରେ ନିଜ ଅଧିକାର ପାଇଁ ଲଢେଇ କରିଥାଏ | ଅଧିକାରର ଅନ୍ୟ ରୂପ ହେଉଛି ପ୍ରେମ | ପ୍ରେମ ଅଛି ବୋଲି ଅଧିକାର ରହୁଛି | ପ୍ରେମ ନଥିଲେ ଏ ଅଧିକାରର ଅନ୍ତ ହୋଇଯାଆନ୍ତା | ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହେଉନଥାନ୍ତା |
ତେବେ ଆପଣମାନେ ଜାଣିଛନ୍ତି ସମସ୍ତେ ସମସ୍ତଙ୍କ ଅଧିକାର ପାଇବାପାଇଁ ବ୍ୟାକୁଳ ଥାଆନ୍ତି | କେତେବେଳେ ସମ୍ପର୍ତ୍ତିରେ ଅଧିକାର କେତେବେଳେ ଭଲପାଇବାରେ ଅଧିକାର ଆଉ କେତେବେଳେ ପରିବାର ପାଖରେ ଥିବା ଅଧିକାର | ଏହି ଅଧିକାର ଯେତେ ବଢିବ ମନରେ ସେତେ ଦ୍ଵନ୍ଦ ସୃଷ୍ଟି କରିବ | ସମ୍ପର୍ତ୍ତିରେ ଅଧିକାର ଖୋଜିଲେ ଭାଇ ଭଗାରୀ ହେଲାଭଳି ନଜର ଆସିବ | ଭଲପାଇବାରେ ଅଧିକାର ଖୋଜିଲେ ପ୍ରକୃତ ଭଲପାଇବା ସାଥିରେ ରହିବ ମିଛ ଭଲପାଇବା ଦୂରେଇ ଯିବ | ଆଉ ପରିବାରରେ ଅଧିକାର ଖୋଜିଲେ ପ୍ରତ୍ୟେକ ସମ୍ପର୍କର ମୂଲ୍ୟ ବୁଝିବାକୁ ପଡିବ | ସବୁବେଳେ କାରଣ ଖୋଜି ଲୋକଙ୍କ ଠାରୁ ବାରଣ ହୋଇ ରୁହନ୍ତୁ କିନ୍ତୁ କାରଣ ନଥାଇ ବାରଣ ହୋଇରହିଲେ ସମ୍ପର୍କ ଚୁନା ହୋଇଯିବ | ଶେଷରେ ଏ ମଣିଷ ଯାହାକୁ ଅଣଦେଖା କରିଥିବ ତାକୁ ଯଦି ଆଉଥରେ ଖୋଜିବ ସେତେବେଳେ ତାକୁ ଆଉ ପାଇବନି କାରଣ ପ୍ରେମ ମରେନି ଆଉ ପ୍ରେମକୁ ଯିଏ ମାରେ ସେ ପ୍ରେମ ପୁଣି ହୁଏନି | ଆଉ ଆଜିକାଲି ମନ କେତେବେଳେ କାହାର ହେବାର ମୁଖ୍ୟ କାରଣ ହେଲା ଯେଉଁଠି ମଣିଷ ନିଜ ଅଧିକାର ନିଜ ମଣିଷ ପାଖରୁ ପାଏନି ସେତେବେଳେ ପୁଣି ସେ ଆଉ କାହାକୁ ଚାହିଁଥାଏ |
ତେବେ ଯଦି ଆପଣଙ୍କ ପାଖରେ କିଏ କେଉଁ ଅଧିକାରରେ କିଛି କଥା କହୁଛନ୍ତି ସେମାନଙ୍କ ଠାରୁ ଦୂରେଇ ଯାଆନ୍ତୁନି | ସେମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ | ସମସ୍ତେ ସମସ୍ତଙ୍କ ପାଖରେ ଅଧିକାର ଖୋଜନ୍ତିନି | ଯିଏ ଯେତେ ଯାହାକୁ ଭଲପାଏ ତା ପାଖରେ ସେତେ ବେଶି ଅଧିକାର ଥାଏ | ଅଧିକାର ଯେତେ ବେଶି ଯାହା ପାଖରେ ରହିବ ଏ ପ୍ରେମ ଗୋଟେ ପରେ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବ | ଯେଉଁ ଅଧ୍ୟାୟ ଭିତରେ କେବଳ ଅଗାଢ଼ ଭଲପାଇବା ଲୁଚି ରହିଥିବ | ଭଲପାଇବାକୁ ସେହିମାନେ ବୁଝନ୍ତି ଯେଉଁମାନେ ସେହି ଅଧିକାର ଥିବା ଲୋକ ଭଳି ଅନ୍ୟକୁ ଆପଣାର ଭାବନ୍ତି | ଅନ୍ୟକୁ ଆପଣାର ସେତେବେଳେ ଭାବିହୁଏ ଯେତେବେଳେ ସେ ଆପଣାର ଲୋକକୁ ନିଜଠୁ ଦୂରେଇବାକୁ ନଚାହେଁ | କେତେବେଳେ ଅଧିକାର ନଥିଲେ ଆଖିରୁ ଆଉ କେତେବେଳେ ଅଧିକାର ପାଇଲେ ଓଠରେ ହସ ଖେଳିଥାଏ ଯେମିତି ନିଜ ଅଧିକାର ପାଇଲେ ଏ ଦୁନିଆର ସବୁ ଖୁସି ତାକୁ ମିଳିଯାଏ | ଏ ଅଧିକାର ଯଦିଓ ଭିନ୍ନ ଭିନ୍ନ ଥାଏ କିନ୍ତୁ ପ୍ରକୃତ ଅଧିକାର ଭଲପାଇବା ଭିତରେ ଲୁଚି ରହିଥାଏ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ