ଅଧିକ ଆଳୁ ଖାଇବା ସୃଷ୍ଟିକରେ ଗମ୍ଭୀର ରୋଗ
ଆଜିକାଲି ଅଧିକାଂଶ ଲୋକେ ଆବଶ୍ୟକତାଠୁ ଅଧିକ ଆଳୁ ଖାଉଛନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ବିଲକୁଲ ଠିକ୍ ନୁହେଁ । କାରଣ ଅଧିକ ଆଳୁ ଖାଇବା ଦ୍ୱାରା ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ମନୁଷ୍ୟ ଅସୁସ୍ଥ ଏବଂ ଦୁର୍ବଳ ହୋଇଯାଇଥାଏ । ଆସନ୍ତୁ ଜାଣିବା ଅଧିକ ଆଳୁ ଖାଇବା ଦ୍ୱାରା କେଉଁ କେଉଁ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।
୧.ଅମ୍ଳପିତ୍ତ : ଯଦି ଆପଣ ଅଧିକ ଆଳୁ ଖାଉଛନ୍ତି ତେବେ ଆପଣଙ୍କୁ ଅମ୍ଳପିତ୍ତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଆଳୁ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କର ଗ୍ୟାସ୍ ହୋଇଯାଇଥାଏ । ଯଦି ଆପଣଙ୍କର ଗ୍ୟାସ୍ ସମସ୍ୟା ରହୁଛି ତେବେ ଆପଣ ଖାଦ୍ୟରେ କମ୍ ଆଳୁ ବ୍ୟବହାର କରନ୍ତୁ । ପ୍ରତିଦିନ ଆଳୁ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ମଧ୍ୟ ଦୁର୍ବଳ ହୋଇଯାଇଥାଏ ।
୨.ରକ୍ତଚାପ : ଏକ ଗବେଷଣା ଅନୁଯାୟୀ ସପ୍ତାହରେ ୪ରୁ ଅଧିକ ଥର ଆଳୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ିଯାଇଥାଏ । ଏହା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ଅନିୟନ୍ତ୍ରିତ ହୋଇ ଯାଇଥାଏ । ଉଚ୍ଚ ରକ୍ତଚାପ ସମସ୍ୟାରୁ ବର୍ତ୍ତିବା ପାଇଁ ଆଳୁ କମ୍ ସେବନ କରନ୍ତୁ ।
୩.ମଧୁମେହ : ଆଳୁରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ ଯାହା ଦ୍ୱାରା ଶରୀରରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ହୋଇଥାଏ । ଫଳରେ ଶରୀରରେ ଶର୍କରାର ପରିମାଣ ବଢ଼ିବାକୁ ଲାଗିଥାଏ ଏବଂ ମନୁଷ୍ୟ ଧୀରେ ଧୀରେ ମଧୁମେହର ଶିକାର ହୋଇଥାଏ । ଏଥିପାଇଁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଶରୀରରେ ଶର୍କରାର ପରିମାଣ ନବଢ଼ୁ ତେବେ ଆଳୁ ସେବନ କରନ୍ତୁ ନାହିଁ ।
୪. ଓଜନ ବୃଦ୍ଧି : ଯଦି ଆପଣ ଅଧିକ ମାତ୍ରାରେ ଆଳୁ ସେବନ କରୁଛନ୍ତି, ତେବେ ଏହା ଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ପାଇପାରେ । ଏହା ସହିତ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି । ଏଥିପାଇଁ ଆପଣ ଅଧିକ ଆଳୁ ସେବନ କରନ୍ତୁ ନାହିଁ ।