ଅଧ୍ୟକ୍ଷ ପଦରେ ସବିତା ସାହୁ ଓ ୧୮ କାଉନସିଲର ବିଜୟୀ

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନରେ ସମଗ୍ର ଓଡ଼ିଶାରେ ବିଜେଡି ବାଜିମାତ କରିଥିବା ବେଳେ ବାଲେଶ୍ୱର ଜିଲାରେ ବି ଅନୁରୂପ ପ୍ରତିଫଳନ ଦେଖାଯାଇଛି । ଜିଲାର ୩ଟି ପୌରପାଳିକା ଓ ୨ଟି ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ସୋରକୁ ବାଦ ଦେଲେ ଅନ୍ୟ ୪ଟିର ଅଧ୍ୟକ୍ଷ ପଦ ବିଜେଡି କବଜା କରିଛି । ଏହି ପରିପ୍ରେକ୍ଷୀରେ ବିଜେଡିର ସବିତା ସାହୁ ବାଲେଶ୍ୱର ପୌର ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିଦତ ହୋଇଛନ୍ତି । ୩୧ ଗୋଟି ୱାର୍ଡ଼ରୁ ୨୯୪୬୨ ଖଣ୍ଡ ଭୋଟ ପାଇ ଶ୍ରୀମତୀ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରଶ୍ମିରେଖା ଦେବଙ୍କଠାରୁ ୩୫୭୭ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ôଥନୀ ଚିତ୍ରାରାଣୀ ପାତ୍ର ୨୬୫୬ ଖଣ୍ଡ, କଂଗ୍ରେସର ପ୍ରଜ୍ଞା ପାରମିତା ବିଶ୍ୱାଳ ୨୦୦୬ ଖଣ୍ଡ ଓ ଆମ ଆଦମୀ ପାର୍ଟିର ସବିତା ରାଣୀ ସାହୁ ୬୫୯ଖଣ୍ଡ ଭୋଟ ପାଇଥିବା ବେଳେ ୫୩୩ ଖଣ୍ଡ ଭୋଟ ନୋଟାରେ ପଡିଥିବା ସୂଚନା ମିଳିଛି । ବାଲେଶ୍ୱର ସରକାରୀ ଆଇଟିଆଇରେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ପାଇଁ ୭ ଗୋଟି ଟେବୁଲ ବ୍ୟବସ୍ଥା ହୋଇଥିଲା । ପ୍ରତି ରାଉଣ୍ଡରେ ୭ ଗୋଟି ୱାର୍ଡ଼ର ଗଣତି ହୋଇଥିଲା । ମଧ୍ୟାହ୍ନ ୧୨ଟା ସୁଦ୍ଧା ସମସ୍ତ କାଉନସିଲର ଭୋଟ ଗଣତି ଶେଷ ହେବା ସହ ଅଧ୍ୟକ୍ଷା ନିର୍ବାଚନର ଫଳ ଘୋଷଣା କରାଯାଇଥିଲା । ଘୋଷିତ ଫଳାଫଳ ଅନୁଯାୟୀ ବିଜେଡି ୧୮ଟି, ବିଜେପି ୯ଟି ଓ ସ୍ୱାଧୀନ ପ୍ରାର୍ଥୀ ୪ଟି କାଉନସିଲର ପଦବୀରେ ବିଜୟ ଲାଭ କରିଛନ୍ତି । ତେବେ ଏହି ବିଜୟକୁ ନେଇ ବଜେଡି ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀମାନେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱର୍‌ୂପ କୁମାର ଦାସ ଓ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ । ସଭାପତି ଇଂ ଜେନା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନରେ ସହରବାସୀ ବିଜେଡି ଉପରେ ଆସ୍ତା ପ୍ରକଟ କରିଛନ୍ତି ବୋଲି ସେ କହିଥିଲେ । ତେବେ ବାଲେଶ୍ୱର ପୌରପାଳିକାକୁ ୧ ନଂରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଇଂ ଜେନାଙ୍କ ସମେତ ସଦର ବିଧାୟକ ପରାମର୍ଶ ଦେଇଥିଲେ । ପରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସଦର ବିଧାୟକ ଶ୍ରୀ ଦା, ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ଜେନା, ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଓ ବିଜେଡି କାଉନସିଲରଙ୍କ ସମେତ ଜିଲା ବିଜେଡିର କାର୍ଯ୍ୟକର୍ତ୍ତା, ବିଭିନ୍ନ ବର୍ଗର କର୍ମୀ ଓ ସମର୍ଥକ ଏଥିରେ ସାମିଲି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ