ଅନଲାଇନ ଠକେଇ ମାମଲାର ଦୁଇ ଜଣଙ୍କୁ ଧାନବାଦ ରୁ ଗିରଫ କଲ ବାଲେଶ୍ଵର ସାଇବର ଥାନା ପୋଲିସ
ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ସାଇବର ଥାନା ପୋଲିସ ଆଜି ଏକ ଅନ୍ଲାଇନ୍ ଠକେଇ ରାକେଟ୍କୁ ଧରିବାରେ ସଫଳ ହୋଇଛି। ଏହି ରାକେଟ୍ର ୨ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡର ଧାନବାଦରୁ ଗିରଫ କରିଛି। ସୂଚନା ଥାଉକି, ଗତ ୨୦ ମେ ୨୦୨୩ରେ ବାଲେଶ୍ବର ସାଇବର ଥାନାରେ ଔପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ୧୫/୨୩ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କର ବନ୍ଧନ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍ ରହିଥିବା ବେଳେ ଅନ୍ଲାଇନ୍ ଚୋର ତାଙ୍କୁ ଯୋଗାଯୋଗ କରି ଏକ କୁରିଅର ଏଜେଣ୍ଟ୍ର ପରିଚୟ ଦେଇଥିଲେ। ଏହାପରେ ଓଟିପି ସେୟାରିଂ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫିକ୍ସ ଡିପୋଜିଟ୍କୁ ଭାଙ୍ଗି ସେଥିରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ। ଏହା ଜାଣିବା ପରେ ସେ ସାଇବର ଥାନାରେ ଆଶ୍ରୟ ନେଇଥିଲେ। ପୋଲିସ ସମ୍ପୃକ୍ତ ରାକେଟ୍ର ୨ ଅଭିଯୁକ୍ତଙ୍କୁ ଧାନବାଦରୁ ଧରିଥିବା ବେଳେ ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ସୂଚନା ଦିଆଯାଇଛି।